ଅଫିସ୍ ଖୋଲା, ବାବୁ ନାହାନ୍ତି
ନ’ତାଲାରେ ସବୁଠୁ ଅଧିକ
୪୫୦ରୁ ଅଧିକ ସରକାରୀ କର୍ମଚାରୀ ଏବେ ସକ୍ରିୟ ଆକ୍ରାନ୍ତ
ଭୁବନେଶ୍ବର : ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଇଁ ରୋଷ୍ଟର୍ ଡ୍ୟୁଟି ନିୟମ ଲାଗୁ କରିଛନ୍ତି। ଯଥାସମ୍ଭବ କମ୍ କର୍ମଚାରୀ ନେଇ କାମ କରିବାକୁ କୁହାଯାଇଛି। ଏପରିକି କରୋନା ଭୟରେ ବାହାର ଲୋକଙ୍କୁ କୌଣସି ସରକାରୀ ଅଫିସ୍ ଭିତରକୁ ଛଡ଼ା ଯାଉନି। ହେଲେ ଏବେ ସରକାରୀ ଅଫିସ୍ରେ ମାଳମାଳ କରୋନା ଆକ୍ରାନ୍ତ ବାହାରିଲେଣି। ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି।
ଲୋକସେବା ଭବନ, ଖାରବେଳ ଭବନରେ ଥିବା ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟରୁ ଆରମ୍ଭ କରି ନ’ତାଲା, କୃଷିଭବନ, ରାଜୀବ ଭବନ, ବିଭିନ୍ନ ନିର୍ଦ୍ଦେଶାଳୟ, ନିର୍ମାଣ ସୌଧ, ଉନ୍ନତି ଭବନ, ବିଭିନ୍ନ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ, ବିଏମ୍ସି ଓ ବିଡିଏ ସମେତ କମିସନରେଟ୍ ପୁଲିସରେ ଏବେ ମାଳମାଳ ଆକ୍ରାନ୍ତ। ଯେଉଁ ବିଭାଗକୁ ପଶିଯିବ, ସେଠାରେ ବାବୁ କରୋନା ଆକ୍ରାନ୍ତ ନଚେତ୍ ତାଙ୍କ ଘରେ କେହି ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବାବୁ ସଙ୍ଗରୋଧରେ ଅଛନ୍ତି। ସ୍ଥିତି ଏପରି ହୋଇଛି ଯେ ସରକାରୀ କାର୍ଯ୍ୟାଳୟ ଏବେ ଏକପ୍ରକାର କର୍ମଚାରୀଶୂନ୍ୟ ହୋଇଯାଇଛି।
ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ସରକାରୀ କାର୍ଯ୍ୟାଳୟରୁ ବହୁ ଆକ୍ରାନ୍ତ ଚିହ୍ନଟ ହେଲେଣି। କିଛି ବିଭାଗର କର୍ମଚାରୀମାନେ ସମ୍ମୁଖ ଯୋଦ୍ଧା ଭାବେ ଟିକା ନେଇଥିଲେ ହେଁ ବହୁ ବିଭାଗର କର୍ମଚାରୀ ଟିକା ନେଇ ନଥିଲେ। ତେଣୁ ସଚିବାଳୟ, ଖାରବେଳଭବନରେ ଥିବା ବିଭିନ୍ନ ବିଭାଗର ଏକାଧିକ କର୍ମଚାରୀ ଏବେ କରୋନା ଆକ୍ରାନ୍ତ ହୋଇଯାଇଛନ୍ତି। ଏହାବାଦ୍ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ସରକାରୀ କ୍ବାର୍ଟର୍ସ ଥିବା ଅଞ୍ଚଳରୁ ବହୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ବହୁ କର୍ମଚାରୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ଏବେ କରୋନା ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଟିକା ନେଇଛନ୍ତି ବୋଲି କୋଭିଡ୍ କଟକଣା ଉଲ୍ଲଂଘନ କରିବାରୁ ଅନେକ ଆକ୍ରାନ୍ତ ହୋଇଛନ୍ତି।
ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ୟୁନିଟ୍-୯, ୟୁନିଟ୍-୬, ୟୁନିଟ୍-୩, ୟୁନିଟ୍-୨, ୟୁନିଟ୍-୧, ୟୁନିଟ୍-୮ ଓ ୟୁନିଟ୍-୪ସ୍ଥିତି ବିଭିନ୍ନ ସରକାରୀ କ୍ବାର୍ଟର୍ସରୁ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସବୁଠୁ ଅଧିକ ଆକ୍ରାନ୍ତ ୟୁନିଟ୍-୯ ଓ ୟୁନିଟ୍-୬ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏପରିକି ଏଠାରେ ଗୋଷ୍ଠୀ ସଂକ୍ରମଣ ହେବା ଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ସରକାରୀ କ୍ବାର୍ଟର୍ସରୁ ଏବେ ସୁଦ୍ଧା ପ୍ରାୟ ୭୦୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଥିରେ ୪୫୦ରୁ ଅଧିକ ସରକାରୀ କର୍ମଚାରୀ ଅଛନ୍ତି। ଯେଉଁମାନେ ସ୍ଥାନୀୟ ସଂକ୍ରମିତ ଓ ଘରେ କେହି ଆକ୍ରାନ୍ତ ହେବା ପରେ ସଙ୍ଗରୋଧରେ ରହି ଆକ୍ରାନ୍ତ ହୋଇଛନ୍ତି।
ନ’ ତାଲାରେ ବହୁ କାର୍ଯ୍ୟାଳୟରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏଠାରେ କିଛି କିଛି କାର୍ଯ୍ୟାଳୟକୁ ସିଲ୍ କରି ବିଶୋଧନ କରାଯାଉଛି। ଏପରିକି ଯେଉଁ ସରକାରୀ କାର୍ଯ୍ୟାଳୟରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଗୁଡ଼ିକୁ ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଉଛି। ବିଶୋଧନ କରିବା ପରେ ଏହାକୁ ଖୋଲା ଯାଉଛି। ଏଠାରେ ହିଁ ବହୁ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।
ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପ୍ରତିଦିନ ଠିକ୍ ଭାବେ ବିଶୋଧନ ହେଉନି। ସର୍ବସାଧାରଣ ସ୍ଥାନ ଯଥା ଲିଫ୍ଟ, ଶିଡ଼ି, ଶୌଚାଳୟ ପରିସରଗୁଡ଼ିକ ନିୟମିତ ବ୍ୟବଧାନରେ ବିଶୋଧନ ହେଲେ ସଂକ୍ରମଣ ଭୟ କମିଯାଆନ୍ତା। କିନ୍ତୁ ବିଶୋଧନ ହେଉ ନଥିବାରୁ କେହି ସନ୍ଦିଗ୍ଧ ଆକ୍ରାନ୍ତ କୌଣସି ସ୍ଥାନକୁ ସ୍ପର୍ଶ କଲେ, ଏହାକୁ ଅନ୍ୟମାନେ ସ୍ପର୍ଶ କରୁଛନ୍ତି। ଫଳରେ ସଂକ୍ରମଣ ବ୍ୟାପୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/office.jpg)