ଭୁବନେଶ୍ୱର: କରୋନା ଚଡ଼କରେ କୁକୁଡ଼ା ଚାଷ ପ୍ରଭାବିତ ହେବା ସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଅଣ୍ଡା ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିଲେ ମଧ୍ୟ ବିକ୍ରି ହୋଇପାରୁନି। ଦୋକାନ ବଜାର ବନ୍ଦ ହୋଇଥିବାରୁ ଅଣ୍ଡା କେହି ନେଉନାହାନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଓଡ଼ିଶାର ୧୨ଟି ଫାର୍ମ ଏବେ ବନ୍ଦ ହେବାକୁ ବସିଛି। ଯଦି ସହାୟତା ନ ମିଳେ ସେଗୁଡ଼ିକରେ ଖୁବ୍‌ଶୀଘ୍ର ତାଲା ପଡ଼ିବା ଥୟ।

Advertisment

ଅଲ୍‌ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏସନ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ବହୁ ପରିମାଣରେ ବଢ଼ିଛି। ୨୦୧୫ରେ ଓଡ଼ିଶାରୁ ୪୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୨୦୨୦ରେ ତାହା ୬୫ଲକ୍ଷରେ ପହଞ୍ଚିଛି। ପ୍ରତିବର୍ଷ ଏକ ହଜାର କୋଟି ଟଙ୍କାର ରାଜସ୍ୱ ଏହି ଶିଳ୍ପରୁ ଆସୁଛି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଓଡ଼ିଶାର ୨୦ହଜାର ଯୁବକ/ଯୁବତୀ ଏଥିରେ ନିୟୋଜିତ ଅଛନ୍ତି। ତେବେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଦ୍ୱାରା କୁକୁଡ଼ା ଓ ଅଣ୍ଡା ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ସହାୟତା ଯୋଗାଇଦେବାକୁ ଆସୋସିଏସନ୍‌ର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ଅଣ୍ଡା ଚାଷୀମାନେ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି। କରୋନା ସମୟରେ ସାମାଜିକ ଗଣମାଧ୍ୟମରେ ଅଣ୍ଡାକୁ ନେଇ ମିଥ୍ୟା ଖବର ପ୍ରକାଶ ପାଇଥିଲା। ଯେଉଁଥିପାଇଁ ଲୋକେ ଅଣ୍ଡା କି ଚିକେନ୍ ଖାଇଲେ ନାହିଁ। ସେହିପରି ମଧ୍ୟାହ୍ନ ଭୋଜନ ଓ ଏସଏନପି କାର୍ଯ୍ୟକ୍ରମରେ ଅଣ୍ଡା ପ୍ରଦାନ ବନ୍ଦ ଯୋଗୁଁ ଅଣ୍ଡା ବିକ୍ରି ପ୍ରଭାବିତ ହୋଇଛି। ଆଉ ଏବେ ଲକ୍‌ଡାଉନ୍‌ ଯୋଗୁଁ ଅଣ୍ଡା ବିକ୍ରି ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏଥିସହ ୨୦୧୯ରେ ବାତ୍ୟା ‘ଫନି’, ଏହାପରେ ବାର୍ଡ ଫ୍ଲୁ ଓ ଏବେ କରୋନା ମାଡ଼ ଅଣ୍ଡା ଶିଳ୍ପର ଅଣ୍ଟା ଭାଙ୍ଗି ଦେଇଛି। ବ୍ୟବସାୟୀ ଯେତିକି ଅର୍ଥ ବିନିଯୋଗ କରିଥିଲେ, ସେହି ଅନୁସାରେ ଅର୍ଥ ପାଇ ପାରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। କୁକୁଡ଼ା ଚାଷୀ ନେଇଥିବା ବିଭିନ୍ନ ଋଣ ଉପରେ କିଛି ଛାଡ଼, ଏଭଳି ସମୟରେ ଚାଷୀଙ୍କୁ ଆଗୁଆ ଋଣ ପ୍ରଦାନ, ଅଣ୍ଡା ଓ ବୟଲର ଚାଷୀଙ୍କ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା, କୁକୁଡ଼ା ଖାଦ୍ୟ ଉପରେ ସହାୟତା ଦିଆଯାଉ। ଏଥିସହ ମଧ୍ୟାହ୍ନଭୋଜନ ଓ ଏସ୍‌ଏନ୍‌ପିରେ ଅତିରିକ୍ତ ଅଣ୍ଡା ପ୍ରଦାନ ପାଇଁ ଅନୁମତି ପ୍ରଦାନ, ସ୍କୁଲ ଛୁଟି ସମୟରେ ବି ଅଣ୍ଡା ବଣ୍ଟନ ଜାରି ରଖିବାକୁ ଦାବି କରିଛନ୍ତି।