କଳାକାରଙ୍କ ଅଭିନବ ପ୍ରୟାସ : ‘ସଚେତନତା ପାଇଁ ଭାଷା ଲୋଡ଼ା ନାହିଁ’

ଭୁବନେଶ୍ବର : କାୟା ବିସ୍ତାର କରିଛି କରୋନା। ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଲାଗୁ ହୋଇଛି ନିୟମ, ପ୍ରସ୍ତୁତ ହୋଇଛି କାଇଦା-କଟକଣା। ହେଲେ କେତେକ ଏହାକୁ ମାନୁ ନାହାନ୍ତି ବା ଏ ଦିଗରେ ସଚେତନ ହେଉ ନାହାନ୍ତି। ଏଭଳି ସ୍ଥିତିରେ ଲୁପ୍ତପ୍ରାୟ କଳା ଜରିଆରେ ଲୋକମାନଙ୍କୁ ସଚେତନ କରିବାକୁ ନିଆରା ପ୍ରୟାସ କରିଛନ୍ତି ଜଣେ ଗବେଷକ। ଆଜି ରାଜଧାନୀର ବିଭିନ୍ନ ଜାଗାରେ ମୂକ ଅଭିନୟ ଜରିଆରେ ଲୋକଙ୍କୁ ସଚେତନ କରାଇଛନ୍ତି ଓଡ଼ିଆ ନାଟକ ଉପରେ ଗବେଷଣା କରୁଥିବା ‘ମାଇମ୍‌ ଆର୍ଟିଷ୍ଟ’ ଚିତ୍ତରଂଜନ ଶତପଥୀ।

ସଚେତନତା ପାଇଁ ଭାଷା ଲୋଡ଼ା ନାହିଁ। କଥାବାର୍ତ୍ତା ବିନା ବି ଲୋକଙ୍କୁ ଯେ ସଚେତନ କରିହେବ ତାହା ସେ କରି ଦେଖାଉଛନ୍ତି। ପଣକିଆ ଘୋଷିଲେ ଯେମିତି ମନେ ରହିଯାଏ ସେଭଳି ବାରମ୍ବାର ଲୋକଙ୍କୁ ସଚେତନ କଲେ ଲୋକ ବୁଝି ଯାଆନ୍ତି। କେବଳ କୋଭିଡ୍‌-୧୯ ମୁକାବିଲା ନୁହେଁ, ବରଂ ଲୋକଙ୍କର ଥିବା ସମସ୍ତ ଖରାପ ଅଭ୍ୟାସ ଛାଡ଼ିବାର ବେଳ ଆସିଛି ବୋଲି କହିଛନ୍ତି ଚିତ୍ତରଞ୍ଜନ। ଥିଏଟର କଳାକାର ତଥା ଥିଏଟର କ୍ଷେତ୍ରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିନିୟର ଫେଲୋସିପ୍ ସ୍କିମ୍ ଅଧୀନରେ ସେ ଏବେ ଗବେଷଣାରତ। ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ତାଙ୍କର ବିଭିନ୍ନ ଗ୍ରୁପ୍ ପ୍ରଡକ୍ସନ୍ ବ୍ୟତୀତ ଶ୍ରୀ ଶତପଥୀଙ୍କ ଏକକ ପ୍ରଦର୍ଶନ ଉପରେ ପାରଦର୍ଶିତା ରହିଛି। ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦ ପରିବେଷଣ କରି ସେ ଚର୍ଚ୍ଚାକୁ ଆସିଥିଲେ।

ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ଜବତ ହେବା, ଲୋକ ତାଲାବନ୍ଦ ନିୟମ ନ ମାନି ଜରିମାନା ଗଣିବା, ମାସ୍କ ନ ପିନ୍ଧିବା ପ୍ରଭୃତି ଘଟଣାକୁ ନେଇ ଭାଙ୍ଗି ପଡ଼ିଥିଲେ। ଏଣୁ ସଚେତନତା ସୃଷ୍ଟି କରିବା ପାଇଁ ସେ ଅତିରିକ୍ତ ପୁଲିସ କମିସନର ଅନୁପ କୁମାର ସାହୁଙ୍କ ସହ‌ ଯୋଗାଯୋଗ କରି କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ଅନୁମତି ପାଇଥିଲେ। ଆଜି କ୍ୟାପିଟାଲ ଥାନା ସାମ୍ନାରେ ପରିବା ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରାଇଥିବା ବେଳେ ୟୁନିଟ୍‌-୨ ମାଛ ମାର୍କେଟ୍‌ରେ ମଧ୍ୟ ସଚେତନତା ସୃଷ୍ଟି କରିଥିଲେ। ବିନା କଥାବାର୍ତ୍ତାରେ ଅଙ୍ଗଭଙ୍ଗୀରେ ହାସ୍ୟରସ ସୃଷ୍ଟି କରୁଥିଲେ।

ତାଙ୍କ ପରିବାର ମିରଟ୍‌ରେ ରହୁଥିବା ବେଳେ ସେ ଏବେ ଭୁବନେଶ୍ବରରେ ରହୁଛନ୍ତି। ପତ୍ନୀ କର୍ଣ୍ଣଲ ସବିତା ପଣ୍ଡା ସେନାରେ କର୍ଣ୍ଣେଲ ଭାବରେ ଦେଶ ସେବା କରୁଛନ୍ତି। ଝିଅ ପ୍ରତୀକ୍ଷା ମଧ୍ୟ ଗବେଷଣା କରିବା ସହ ଏବେ ଦିଲ୍ଲୀ ସରକାରଙ୍କ ଅନୁମତି କ୍ରମେ ତାଲା ବନ୍ଦ ସମୟରେ ଘରେ ବସି ମାନସିକ ଚିନ୍ତାରେ ବୁଡ଼ି ରହିଥିବା ଲୋକଙ୍କୁ କାଉନ୍‌ସେଲିଂ କରୁଛନ୍ତି। ଏବେ ପରିବାର କଥା ନୁହେଁ, ଦେଶ କଥା ଚିନ୍ତା କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର