ସଂକ୍ରମଣ ଉପରମୁହାଁ : ୪ ଦିନରେ ୨୦୦ ଟପିଲା

୭ ବ୍ୟାଙ୍କ୍ କର୍ମଚାରୀଙ୍କୁ କରୋନା, ୪୮ଘଣ୍ଟା ପାଇଁ ଏସ୍‌ବିଆଇ ମୁଖ୍ୟ ଶାଖା ସିଲ୍

ଭୁବନେଶ୍ବର : ରାଜଧାନୀରେ କରୋନା କାୟା ମେଲାଇବାରେ ଲାଗିଛି। ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ହଷ୍ଟେଲ୍‌, ହାଟ, ବଜାର ସବୁଠି କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେଲା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ସଙ୍ଗରୋଧରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ବହୁତ ଅଧିକ ରହିବା ରାଜଧାନୀ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଚଳିତ ବର୍ଷର ସବୁଠୁ ଅଧିକ ଆକ୍ରାନ୍ତ ଏପ୍ରିଲ ମାସରେ ଚିହ୍ନଟ ହେଲେଣି। ମାସର ପ୍ରଥମ ୪ଦିନରେ ୨୦୬ଜଣ ଅାକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୦ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୧୫୬ଜଣ ସ୍ଥାନୀୟ ସଂକ୍ରମିତ। ଏହି ସ୍ଥାନୀୟ ସଂକ୍ରମିତଙ୍କୁ କେଉଁଠୁ କିପରି କରୋନା ହେଲା ତା’ର ଖବର ଆକ୍ରାନ୍ତଙ୍କ ପାଖରେ ନାହିଁ କି ବିଏମ୍‌ସି ପାଖରେ ନାହିଁ। ତେଣୁ ହାଟ, ବଜାର, ସପିଂ ମଲ୍‌ ଆଦି ସ୍ଥାନରେ ବୁଲିବା ଏବେ ମହଙ୍ଗା ପଡ଼ିପାରେ। ରାଜଧାନୀରେ ଟିକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ଏବେ ଟିକା ନେବାକୁ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଲାଣି। ଟିକାଦାନ ଯେପରି ବଢ଼ୁଛି, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେହିପରି ହୁ ହୁ ବଢ଼ୁଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଏପ୍ରିଲ ୧ରେ ୫୨ଜଣ, ଏପ୍ରିଲ ୨ରେ ୪୫ଜଣ, ଏପ୍ରିଲ ୩ରେ ବର୍ଷର ସର୍ବାଧିକ ୭୧ଜଣ, ଏପ୍ରିଲ ୪ରେ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୭ ବ୍ୟାଙ୍କ୍ କର୍ମଚାରୀଙ୍କୁ କରୋନା
୪୮ଘଣ୍ଟା ପାଇଁ ଏସ୍‌ବିଆଇ ମୁଖ୍ୟ ଶାଖା ସିଲ୍, ସବୁ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ
ଭୁବନେଶ୍ବର : ୟୁନିଟ-୧ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ଶାଖାରେ ୭ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଏମ୍‌ସି ପକ୍ଷରୁ ମୁଖ୍ୟ ଶାଖାକୁ ୪୮ଘଣ୍ଟା ପାଇଁ ସିଲ୍‌ କରିଦିଆଯାଇଛି। ୪ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ଏସ୍‌ବିଆଇ ମୁଖ୍ୟ ଶାଖା ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି ପକ୍ଷରୁ ଆଜି ବାହାରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏସ୍‌ବିଆଇ ମୁଖ୍ୟ ଶାଖାର ପ୍ରଥମ ଓ ଦ୍ବିତୀୟ ମହଲାକୁ ୪୮ଘଣ୍ଟା ପାଇଁ ବନ୍ଦ ରଖାଗଲା। ଏହାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ବିଶୋଧନ କରିବେ। ଏହି ସମୟରେ ବ୍ୟାଙ୍କ ପରିସରକୁ ବିଏମ୍‌ସି କର୍ମଚାରୀଙ୍କ ବ୍ୟତୀତ କେହି ବାହାର ଲୋକ ପ୍ରବେଶ କରିପାରିବେନି। ଯେଉଁମାନେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ଘରେ ଆଇସୋଲେସନ୍‌ରେ ରହିବେ। କୌଣସି ପ୍ରକାରର ଅସୁବିଧା ହେଲେ ବିଏମ୍‌ସିକୁ ଜଣାଇବେ। ୬ତାରିଖରେ ଏସ୍‌ବିଆଇ ମୁଖ୍ୟ ଶାଖାର ସମସ୍ତ କର୍ମଚାରୀ, ହାଉସ୍‌କିପିଂ ଓ ସୁରକ୍ଷାକର୍ମୀଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ହେବ। ଏହା ଭିତରେ ଯଦି କାହାର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ବିଏମ୍‌ସିକୁ ଜଣାଇବାକୁ କୁହାଯାଇଛି।

ଏସ୍‌ବିଆଇ ମୁଖ୍ୟ ଶାଖାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ୟାଙ୍କ ଆସିଥିବା ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଏଠାରେ ଥିବା ଏଟିଏମ୍ ସାଙ୍ଗକୁ ‌ଋଣ ସମ୍ବନ୍ଧୀୟ ଏନ୍‌ଓସି, ଅଭିଯୋଗ, ବିଦେଶୀ ଟଙ୍କା ଏକ୍ସଚେଞ୍ଜ୍‌ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ। ଏହାବାଦ୍ ବ୍ୟାଙ୍କ କର୍ମଚାରୀ ୟୁନିଟ-୧ ମାର୍କେଟରେ ଥିବା ଫଳ ଦୋକାନ ଓ ଅନ୍ୟାନ୍ୟ ଦୋକାନୁ ଯାଇଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର