ରାଜଧାନୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଲା, ୧୦ ଦିନରେ ୧୦ ହଜାର

ସାଢ଼େ ୫ ମାସରେ ପ୍ରଥମ ୧୦ହଜାର, ୪୦ରୁ ୫୦ହଜାର ପାଇଁ ୧୦ଦିନ

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହୁ’ ହୁ’ ହୋଇ ବଢ଼ୁଛି। ପ୍ରତି ଗଳିକନ୍ଦିରେ ଆକ୍ରାନ୍ତ ଛାଇ ଗଲେଣି। ଆଜି ୧୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି। ଆଶ୍ଚର୍ଯ୍ୟର ବିଷୟ, ୧୪ ମାସ ଭିତରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ପ୍ରଥମ ଦଶ ହଜାର ଆକ୍ରାନ୍ତ ହେବାକୁ ସାଢ଼େ ୫ ମାସ ଲାଗିଥିବା ବେଳେ ଶେଷ ୧୦ହଜାର ଆକ୍ରାନ୍ତଙ୍କ ପାଇଁ ମାତ୍ର ୧୦ଦିନ ଲାଗିଛି। ରାଜଧାନୀରେ ଏବେ ଦିନକୁ ହଜାରେରୁ ଏଗାର ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଏବେ ସରକାରୀ ହିସାବରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଥିଲେ ହେଁ ମୃତକଙ୍କ ସଂଖ୍ୟା ସେଭଳି ବଢ଼ିନି ବୋଲି କୁହାଯାଇଛି। କିନ୍ତୁ ହଠାତ୍ ଅଧିକ ସକ୍ରିୟ ଆକ୍ରାନ୍ତ ବଢ଼ିଯିବାରୁ କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ଅଭାବ ଦେଖାଦେଇଛି।

ବିଏମ୍‌ସିର ହିସାବ ଅନୁଯାୟୀ, ମାର୍ଚ୍ଚ ୧୫, ୨୦୨୦ରେ ପ୍ରଥମ କରୋନା ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହୋଇଥିଲେ ହେଁ ଅଗଷ୍ଟ ୩୦, ୨୦୨୦ରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୨୧ ଥିଲା। ଏହି ସମୟରେ ୩୯୧୦ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ମାତ୍ର ଏହାର ୨୫ ଦିନ ପରେ ରାଜଧାନୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ଟପି ଯାଇଥିଲା। ସେପ୍ଟେମ୍ବର ୨୫ରେ ରାଜଧାନୀରେ ୩୬୧୨ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨୧୯ରେ ପହଞ୍ଚିଥିଲା। ଏହି ସମୟରେ ମୋଟ୍ ୮୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ୧୦ ହଜାରରୁ ୨୦ ହଜାର ଆକ୍ରାନ୍ତ ହେବା ମଧ୍ୟରେ ୩୯ଜଣଙ୍କର ମୃତ୍ୟୁ ହୋଇଥିଲା। ନଭେମ୍ବର ୧୪ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଥିଲା। ଏହି ଦିନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୦୭୦ ଜଣ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୨ ଥିଲା। ମୋଟ୍ ମୃତକଙ୍କ ସଂଖ୍ୟା ୧୯୨ରେ ପହଞ୍ଚିଥିଲା।

ଆଶ୍ଚର୍ଯ୍ୟର ବିଷୟ, ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରରୁ ୩୦ ହଜାରରେ ପହଞ୍ଚିବାକୁ ପ୍ରାୟ ଦେଢ଼ ମାସ ଲାଗିଥିବା ବେଳେ ସବୁଠୁ କମ୍‌ ସକ୍ରିୟ ଆକ୍ରାନ୍ତ ଏହି ସମୟରେ ଥି‌ଲେ। ଏହି ସମୟରେ ଆକ୍ରାନ୍ତ ଜଲଦି ସୁସ୍ଥ ହେଉଥିଲେ। ହେଲେ ୧୧୨ଜଣଙ୍କର ଏହି ସମୟରେ ମୃତ୍ୟୁ ହୋଇଥିଲା। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାରରୁ ୪୦ ହଜାରକୁ ପହଞ୍ଚିବାକୁ ବହୁତ ଦିନ ଲାଗିଥିଲା। ଏପରିକି ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କକୁ ଖସି ଆସିଥିଲା। ଏହି ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହେବାକୁ ସାଢ଼େ ୫ ମାସ ସମୟ ଲାଗିଥିଲା। ଏପ୍ରିଲ ୨୬ରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୬୨୮ରେ ପହଞ୍ଚିଥିଲା। ଏହି ସମୟରେ ୫୪୬୮ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ମୋଟ୍ ମୃତକଙ୍କ ସଂଖ୍ୟା ୨୫୫ରେ ପହଞ୍ଚିଥିଲା। ଏହି ୧୦ହଜାର ଆକ୍ରାନ୍ତଙ୍କ ମଧ୍ୟରେ ମାତ୍ର ୬୩ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା।

ହେଲେ ୫୦ ହଜାର ଆକ୍ରାନ୍ତ ସଂଖ୍ୟା ଛୁଇଁବାକୁ ଖୁବ୍‌ କମ୍‌ ଦିନ ଲାଗିଲା। ୧୦ ଦିନରେ ଅର୍ଥାତ୍ ମେ’ ୬ରେ ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୪୪୮ରେ ପହଞ୍ଚିଛି। ଏହି ସମୟରେ ମୋଟ୍ ମୃତକଙ୍କ ସଂଖ୍ୟା ୨୭୮ ରହିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୮୬୧ ରହିଛି। ଅର୍ଥାତ୍ ଏହି ୧୦ ହଜାର ଆକ୍ରାନ୍ତଙ୍କ ମଧ୍ୟରେ ୯୮୬୧ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ୨୩ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ସତ୍ୟନଗର ଶ୍ମଶାନରେ ଦୈନିକ ଯେଉଁଭଳି ଶବଦାହ ହେଉଛି, ସେଥିରେ ରାଜଧାନୀରେ ଆଜି ସୁଦ୍ଧା ମାତ୍ର ୨୭୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି, ତାହା ଯେ କେହି ବି ବିଶ୍ବାସ କରିବା ସହଜ ନୁହେଁ।

୧୧୧୮ ଆକ୍ରାନ୍ତ, ୬୭୩ ସୁସ୍ଥ, ୩ ମୃତ
ଭୁବନେଶ୍ବର : ଗୁରୁବାର ଭୁବନେଶ୍ବରରୁ ୧୧୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୩ଜଣ ସୁସ୍ଥ ‌ହୋଇଛନ୍ତି। କିନ୍ତୁ ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଲଗାତାର ତିନି ଦିନ ହେଲା ପ୍ରତିଦିନ ତିନି ଜଣ ଲେଖାଏଁ କରୋନାରେ ମରୁଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ରାଜଧାନୀରେ ଲକ୍‌ଡାଉନ୍ ଘୋଷଣା ହେବା ସତ୍ତ୍ବେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ବିଏମ୍‌ସି ପକ୍ଷରୁ ଟେଷ୍ଟିଂ ଅଧିକ କରାଯାଉଥିବାରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରୁଛି ବୋଲି କୁହାଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୧୧୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୫ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣ ସ୍ଥାନୀୟ ସଂକ୍ରମିତ। ସବୁଠୁ ଅଧିକ ଆକ୍ରାନ୍ତ ପଟିଆରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ଆଜି ୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣ ସ୍ଥାନୀୟ ସଂକ୍ରମିତ। ‌ସେହିପରି ନୂଆପଲ୍ଲୀରୁ ୫୩ଜଣ, ଚନ୍ଦ୍ରଶେଖରପୁରରୁ ୪୮ଜଣ, ବରମୁଣ୍ଡାରୁ ୫୧ଜଣ, ଖଣ୍ଡଗିରିରୁ ୪୧ଜଣ, ଭୀମଟାଙ୍ଗିରୁ ୧୪ଜଣ, ଲକ୍ଷ୍ମୀସାଗରରୁ ୩୧ଜଣ, ବିଜେବି ନଗରରୁ ୩୨ଜଣ, ଜାଗମରାରୁ ୧୭ଜଣ, ବମିଖାଲରୁ ୨୯ଜଣ, ଚିନ୍ତାମଣିଶ୍ବରରୁ ୧୭ଜଣ, ଜୟଦେବ ବିହାରରୁ ୧୭ଜଣ, ମଞ୍ଚେଶ୍ବରରୁ ୧୭ଜଣ, ବାପୁଜୀନଗରରୁ ୧୩ଜଣ, ନୀଳାଦ୍ରିବିହାରରୁ ୧୫ଜଣ, ପାତ୍ରପଡ଼ାରୁ ୧୧ଜଣ, ପୁରୁଣା ଭୁବନେଶ୍ବରରୁ ୪୪ଜଣ, ରସୁଲଗଡ଼ରୁ ୨୩ଜଣ, ସୁନ୍ଦରପଦାରୁ ୨୯ଜଣ, ୟୁନିଟ୍‌-୩ରୁ ୨୬ଜଣ, ୟୁନିଟ୍‌-୪ରୁ ୧୩ଜଣ, ୟୁନିଟ୍‌-୨ରୁ ୧୧ଜଣ, ଶୈଳଶ୍ରୀବିହାରରୁ ୩୨ଜଣ, ଟଙ୍କପାଣି ରୋଡ୍‌ରୁ ୧୬ଜଣ, ୟୁନିଟ୍‌-୬ରୁ ୧୬ଜଣ, ୟୁନିଟ୍‌-୮ରୁ ୧୪ଜଣ, ୟୁନିଟ୍‌-୧ ଓ ୟୁନିଟ୍‌-୯ରୁ ୬ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର