ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩ଶହ ଟପିଲା, ଘରୋଇ ସ୍କୁଲରୁ ପୁଣି ୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ୧୦ଦିନର ବ୍ୟବଧାନରେ ରାଜଧାନୀରେ କରୋନା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩ଶହ ଟପି ଯାଇଛି। ଏବେ ଭୁବନେଶ୍ବରରେ ୩୪୩ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଗତମାସ ୨୨ତାରିଖରେ ଭୁବନେଶ୍ବରରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ରହିଥିଲା। ମାତ୍ର କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବି ବଢ଼ିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୪୫ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୧୪ଜଣ ଓ ୩୧ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ ଭିତରେ ଜୟଦେବ ବିହାରରୁ ୮ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ପଟିଆ ଅଞ୍ଚଳର ଏକ ଘରୋଇ ସ୍କୁଲରୁ ୪ଜଣ, ସୁନ୍ଦରପଦା, ଶିଶୁଭବନ ଛକ, ଶୈଳଶ୍ରୀ ବିହାର, ଆଇଗିଣିଆ, କପିଳେଶ୍ବର, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସଙ୍ଗରୋଧରୁ ୟୁନିଟ୍‌-୯ ଅଞ୍ଚଳରୁ ୪ଜଣ, ଆଚାର୍ଯ୍ୟ ବିହାର, ବରମୁଣ୍ଡା, ଡୁମୁଡୁମା, ଶ୍ୟାମପୁର, ସତ୍ୟନଗର ଭଳି ଅଞ୍ଚଳରୁ କରୋନା ଆକ୍ରାନ୍ତ ବାହାରିଛନ୍ତି। ଭୁବନେଶ୍ବରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫୪୭ରେ ପହଞ୍ଚିଛି। ତହିଁରୁ ୩୧,୯୩୩ଜଣ ସୁସ୍ଥ‌ ହୋଇ ସାରିଲେଣି। କରୋନାରେ ରାଜଧାନୀରେ ଏ ପର୍ଯ୍ୟନ୍ତ ୨୫୦ଜଣଙ୍କ ମୃତ୍ୟୁ ହୋଇସାରିଛି।

ଛୁଟିରେ ବି ଏମ୍ସରେ ଟିକାକରଣ
ଭୁବନେଶ୍ବର : ଛୁଟିରେ ବି ଏମ୍ସ ଭୁବନେଶ୍ବରରେ ଟିକାକରଣ କାର୍ଯ୍ୟକ୍ରମ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୩୯୮୧ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍‌, ୨୫୫୦ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଟିକା ନେବା ପରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଜାନୁଆରି ମାସ ୧୬ ତାରିଖରୁ ଏଠାରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମାର୍ଚ ମାସ ୧ ତାରିଖରୁ ୬୦ ବର୍ଷ କିମ୍ବା ଊର୍ଧ୍ବ, ୪୫ରୁ ୫୯ ବୟସ୍କଙ୍କ ମନୋନୀତ ସ୍ବାସ୍ଥ୍ୟବସ୍ଥା ଅଛି, ସେମାନଙ୍କୁ ଟିକା ଦିଆଯାଉଛି। ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକା ଦିଆଯାଉଛି।

ସମ୍ବନ୍ଧିତ ଖବର