ଭୁବନେଶ୍ବର : ରାଜଧାନୀରେ କରୋନା ସ୍ଥିତି ବିସ୍ଫୋରକ ହେବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାବେଳେ ଆଜି ଗୋଟିଏ ଦିନରେ ୩୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବଦିନ ତୁଳନାରେ ଏହା ୨୩ ପ୍ରତିଶତ ଅଧିକ। ଏହା ସହ ଚଳିତବର୍ଷର ଏହା ସର୍ବାଧିକ ସଂକ୍ରମଣ। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଧ୍ୟା ଧୀରେ ଧୀରେ ୨ହଜାର ନିକଟର ହୋଇଛି।
ଚିହ୍ନଟ ହୋଇଥିବା ୩୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ ସଙ୍ଗରୋଧରୁ ଓ ୨୭୦ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ପୁରୁଣା ଭୁବନେଶ୍ବରରୁ ସର୍ବାଧିକ ୧୭ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ନୂଆପଲ୍ଲୀରୁ ୧୫, ପଟିଆରୁ ୧୩, ଖଣ୍ଡଗିରିରୁ ୧୧, ଚନ୍ଦ୍ରଶେଖରପୁରରୁ ୧୦, ମଞ୍ଚେଶ୍ବରରୁ ୮ ଏବଂ ଅନ୍ୟ ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତ ବାହାରିଛନ୍ତି। ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୭୯କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୬୬ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ଏବେ ୧୭୯୪ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ସମୁଦାୟ ସଂକ୍ରମଣର ୫ ପ୍ରତିଶତ।
ଅପରପକ୍ଷରେ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଓ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଆଉ ଜଣେ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଛାତ୍ର ଜଣକ ଜଣେ ଇଣ୍ଟର୍ଣ୍ଣ ବୋଲି ଜଣାପଡ଼ିଛି। ତେଣୁ ତାଙ୍କ ସଂସ୍ପର୍ଶରେ ଆସୁଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୦ଦିନ ପାଇଁ ନିଜକୁ ଏକାନ୍ତବାସରେ ରହିବାକୁ କୁହାଯାଇଛି। ଏହାକୁ ନଜରରେ ରଖି ଆଜି ଓ ଆସନ୍ତାକାଲି ଦୁଇଦିନ ଲାଗି ହସ୍ପିଟାଲକୁ ବନ୍ଦ ରଖିବା ଲାଗି କଲେଜ ଅଧ୍ୟକ୍ଷ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନଙ୍କର ଆଇଏଲଆଇ/ଏସଏଆରଆଇ ଲକ୍ଷଣ ରହିଛି ସେମାନେ ତୁରନ୍ତ ନିଜକୁ ଆଇସୋଲେଟ୍ କରିବାକୁ ନିର୍ଦେଶ ଦିଆଯାଇଛି। ସେମାନେ ଚାହିଁଲେ ଘରକୁ ଯାଇ ପାରିବେ। ଏହାସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିୟମିତ ବ୍ୟବଧାନରେ ବାହାରକୁ ଯିବାକୁ ବାରଣ କରାଯାଇଥିବା ବେଳେ ସପ୍ତାହରେ ଥରେ ଜିନିଷପତ୍ର କିଣିବା ଲାଗି କୁହାଯାଇଛି। ଡାଇନିଂ ହଲ୍, କମନ ରୁମ୍/ଟିଭି ରୁମ୍ ଓ ପ୍ରାର୍ଥନା ହଲ୍କୁ ବନ୍ଦ କରି ଦିଆଯାଇଛି। ଏପରିକି ହଷ୍ଟେଲ ପରିସରରେ ଏକାଠି ହୋଇପାରିବେ ନାହିଁ ବୋଲି କଲେଜ କର୍ତୃପକ୍ଷ ଆଜି ନୋଟିସ୍ ଜାରି କରିଛନ୍ତି।
ବାଲିଅନ୍ତାରେ କରୋନା ନେଲା ଜଣଙ୍କ ଜୀବନ
ବାଲିଅନ୍ତା : ବାଲିଅନ୍ତା ବ୍ଲକ୍ ବଇଁଚୁଆ ପଞ୍ଚାୟତ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣେ ଔଷଧ ଦେକାନୀ। ସେ ସ୍ଥାନୀୟ ଏକ ବଜାରରେ ଔଷଧ ଦୋକାନ କରିଥିଲେ। ଖବର ପାଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଟିମ୍ ଗ୍ରାମରେ ପହଞ୍ଚି ପରିବାରଲୋକଙ୍କୁ ପଚରାଉଚରା କରି ରିପୋର୍ଟ କରିଛନ୍ତି।ସୂଚନା ଅନୁଯାୟୀ, ଗତ ସପ୍ତାହରେ ଯୁବକଙ୍କର ଥଣ୍ଡା ଜ୍ବର ଓ କାଶ ଲାଗି ରହିଥିଲା। ପରିବାରଲୋକ ତାଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେ ପଜିଟିଭ ଚିହ୍ନଟ ହେବାରୁ ଡାକ୍ତର ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମତ୍ୟୁ ହୋଇଯାଇଥିଲା। ପରିବାର ଏବଂ ସଂପର୍କୀୟମାନେ ଅତି ତରବରିଆ ଭାବେ ଗ୍ରାମ ଶ୍ମଶାନରେ ଶବ ଦାହ କରିଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୋଟ ୨୧ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ଏ ବର୍ଷର ପ୍ରଥମ କରୋନା ମୃତ୍ୟୁ ବୋଲି ବାଳକାଟି ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।