ଏପ୍ରିଲକୁ ବଳେଇବ ମେ’

ଏପ୍ରିଲରେ ୧୧,୯୬୫ ଆକ୍ରାନ୍ତ, ୧୧ ମୃତ, ମେ’ ଦୁଇ ଦିନରେ ୧୯୦୨ ଆକ୍ରାନ୍ତ, ୫ ମୃତ

ଭୁବନେଶ୍ବର : ରାଜଧାନୀରେ ଦୈନିକ ସଂକ୍ରମଣ ଏବେ ପ୍ଲାଟିୟୁ ସ୍ଥିତିରେ ଅଛି। ଖୁବ୍‌ ଶୀଘ୍ର ଶିଖରରେ ପହଞ୍ଚିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମେ’ରେ ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି। ହେଲେ ରାଜ୍ୟ ସରକାର ମେ ୫ରୁ ଲକ୍‌ଡାଉନ୍ ଘୋଷଣା କରିଥିବାରୁ ସ୍ଥିତି କିଛି ସୁଧୁରିବାର ଆଶା କରାଯାଉଛି।

ଏପ୍ରିଲ ରାଜଧାନୀବାସୀଙ୍କ ପାଇଁ ଭୟଙ୍କର ମାସ ଥିଲା। ମାସ ଶେଷକୁ ଲଗାତାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ଅଧିକ ରହିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ମେ’ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାରୁ ଏହା ଆଗକୁ କେଉଁ ରୂପ ନେବ ତାହା ସମୟ ହିଁ କହିବ।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଏପ୍ରିଲ ମାସରେ ୧୧,୯୬୫ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ମାତ୍ର ୪୬୩୭ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ସରକାରୀ ଭାବେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ହଠାତ୍ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯିବାରୁ କୋଭିଡ ହସ୍ପିଟାଲ ଖୋଲିବା, ଆକ୍ରାନ୍ତଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବାରେ ସମସ୍ୟା ହେଲା। ଯାହା ବହୁ ଲୋକଙ୍କ ଜୀବନ ନେଇଗଲା। ଅପରପକ୍ଷେ ମେ’ରେ ସ୍ଥିତି ସଙ୍ଗିନ ହେବ ତାହା ପ୍ରଥମ ଦୁଇ ଦିନରୁ ଜଣାପଡ଼ିଗଲାଣି। ଏହି ଦୁଇ ଦିନରେ କରୋନାରେ ୧୯୦୨ଜଣ ଆକ୍ରାନ୍ତ ହୋଇଥିବାବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ସବୁଠୁ ଅଧିକ ଆକ୍ରାନ୍ତ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରୁ ଚିହ୍ନଟ ହେଉଥିବାରୁ ତାହା ବିଏମ୍‌ସି ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଦିନକରେ ୮୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୯୮ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଜି ସବୁଠୁ ଅଧିକ ଆକ୍ରାନ୍ତ ପୁରୁଣା ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ୫୫ଜଣ, ସଙ୍ଗରୋଧରୁ ୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପଟିଆରୁ ୫୮ଜଣ, ଖଣ୍ଡଗିରିରୁ ୫୦ଜଣ, ଚନ୍ଦ୍ରଶେଖରପୁରରୁ ୩୬ଜଣ, ନୂଆପଲ୍ଲୀରୁ ୩୮ଜଣ, ଲକ୍ଷ୍ମୀସାଗରରୁ ୧୬ଜଣ, ବାପୁଜୀନଗରରୁ ୧୩ଜଣ, ବରମୁଣ୍ଡାରୁ ୨୧ଜଣ, ଜୟଦେବ ବିହାରରୁ ୧୮ଜଣ, ମଞ୍ଚେଶ୍ବରରୁ ୧୫ଜଣ, ଝାରପଡ଼ାରୁ ୧୫ଜଣ, ନୀଳାଦ୍ରିବହାରରୁ ୧୩ଜଣ,ସୁନ୍ଦରପଦାରୁ ୨୩ଜଣ, ପୋଖରୀପୁଟରୁ ୧୭ଜଣ, ରସୁଲଗଡ଼ରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର