ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ସହ ଟେଷ୍ଟିଂ ବି କମୁଛି

ମୃତକଙ୍କ ସଂଖ୍ୟା ୪ଶହ ମୁହାଁ, ୪୪୩ ଆକ୍ରାନ୍ତ, ୬୧୫ ସୁସ୍ଥ

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଏବେ ଟେଷ୍ଟିଂ ବି କମିଲାଣି। ଗତ ସପ୍ତାହରେ ଦୈନିକ ପ୍ରାୟ ୪ହଜାରରୁ ୪୬୦୦ ଲୋକଙ୍କର କରୋନା ପରୀକ୍ଷା ହେଉଥିବା ବେଳେ ଏବେ ଏହା ୩ହଜାରକୁ ଖସିଛି।
ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ ୧୪ରେ ୩୬୨୦ଜଣଙ୍କ, ୧୫ରେ ୩୪୨୮, ୧୬ରେ ୩୨୭୩ ଏବଂ ୧୭ରେ ୩୦୪୩ଜଣଙ୍କ ‌କରୋନା ପରୀକ୍ଷା ହୋଇଛି। ଏଥିରେ ସରକାରୀ ଓ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କରୁଥିବା ଲୋକ ଅଛନ୍ତି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଆମର ସବୁ କେନ୍ଦ୍ରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା ଅଛି। ଯେଉଁଠିକୁ ଯେତେ ଲୋକ ଆସିବେ, ସମସ୍ତଙ୍କର ପରୀକ୍ଷା କରିବାକୁ କୁହାଯାଇଛି। ହେଲେ ଏବେ ପୂର୍ବ ଅପେକ୍ଷା କମ୍‌ ଲୋକଙ୍କ ନିକଟରେ ଲକ୍ଷଣ ଦେଖାଯାଉଛି। ବହୁ ଲୋକ ଦୁଇ ଡୋଜ୍ ଟିକା ନେଇ ସାରିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି।

ମୃତକଙ୍କ ସଂଖ୍ୟା ୪ଶହ ମୁହାଁ, ୪୪୩ ଆକ୍ରାନ୍ତ, ୬୧୫ ସୁସ୍ଥ
ଭୁବନେଶ୍ବର : ରାଜଧାନୀରେ କିଛି ଦିନ ହେଲା ଦୈନିକ ତିନିରୁ ଚାରି ଜଣଙ୍କର କରୋନାରେ ମୃତ୍ୟୁ ହେଉଥିବା ବିଏମ୍‌ସି ପକ୍ଷରୁ କୁହାଯାଉଛି। ଆଜି ୪ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ମୃତକଙ୍କ ସଂଖ୍ୟା ୩୯୬ରେ ପହଞ୍ଚିଥିବା ବେଳେ ବିଏମ୍‌ସିର ହିସାବ ଦେଖିଲେ ଶନିବାର ରାଜଧାନୀରେ କରୋନା ମୃତକଙ୍କ ସଂଖ୍ୟା ୪୦୦ ଟପିବ ବୋଲି ଅନୁମାନ କରାଯାଉଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଆଜି ୪୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୫ଜଣ ସୁସ୍ଥ ହୋଇଛନ୍ତି। ଏହାପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୭୦ରେ ପହଞ୍ଚିଥିବା ବେଳେ ଏଥିରୁ ୮୩୧୫୯ଜଣ ସୁସ୍ଥ ହୋଇଛନ୍ତି। ଏବେ ୨୪୯୪ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଆଜି ପଟିଆରୁ ସର୍ବାଧିକ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୨୫ଜଣ, ବରମୁଣ୍ଡାରୁ ୧୪ଜଣ, ଖଣ୍ଡଗିରିରୁ ୨୧ଜଣ, ଡୁମଡୁମାରୁ ୨୦ଜଣ, ଲକ୍ଷ୍ମୀସାଗରରୁ ୨୫ଜଣ, ପୁରୁଣା ଭୁବନେଶ୍ବରରୁ ୧୯ଜଣ, ନୂଆପଲ୍ଲୀରୁ ୨୧ଜଣ, ରସୁଲଗଡ଼ରୁ ୧୭ଜଣ, ନୀଳାଦ୍ରିବିହାରରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର