ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ୧୭୧ ଆକ୍ରାନ୍ତ, ଇଞ୍ଜିନିୟରିଂ କଲେଜରୁ ୫

ୟୁଟୋପିଆରୁ ବାହାରିଲେ ୧୧ ଆକ୍ରାନ୍ତ, ଷ୍ଟେସନରୁ ୪, ବିମାନବନ୍ଦରରୁ ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୭୧ଜଣ ହେଉଛନ୍ତି ରାଜଧାନୀର। ଏଥିରେ ୧୨୬ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୪୫ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ଭଳି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିଲେ ବି ସଙ୍ଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି।

ଆଜି ସଙ୍ଗରୋଧରୁ ୪୫ଜଣ ଚିହ୍ନଟ ହୋଇଥିବାବେଳେ ଏଥିରେ ପଟିଆର ଏକ ଇଞ୍ଜିନିୟରିଂ କଲେଜରୁ ୫ଜଣ ଅଛନ୍ତି। ଏହାବାଦ୍ ବିଜେବି ନଗରରୁ ୮ଜଣ, ପଟିଆରୁ ୫ଜଣ, ପୁରୁଣା ଭୁବନେଶ୍ବରରୁ ୭ଜଣ ଆକ୍ରାନ୍ତ ଅଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମିତ ହୋଇଥିବା ୧୨୬ଜଣଙ୍କ ମଧ୍ୟରୁ ଖଣ୍ଡଗିରିରୁ ୧୬ଜଣ, ଡେଲ୍‌ଟା ଛକରୁ ୧୧ଜଣ, ପଟିଆ, ପୁରୁଣା ଭୁବନେଶ୍ବର, ଟଙ୍କପାଣି ରୋଡ୍‌ରୁ ୬ଜଣ ଲେଖାଏଁ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଓ ପାତ୍ରପଡ଼ାରୁ ୫ଜଣ ଲେଖାଏଁ, ଆଇଆର୍‌ସି ଭିଲେଜ ଓ ଜାଗମରାରୁ ୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଲଗାତର ୫ମ ଦିନ ପାଇଁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରେ ମୋଟ୍ ଆକ୍ର‌ାନ୍ତଙ୍କ ସଂଖ୍ୟା ୩୩୩୬୪ରେ ପହଞ୍ଚିଛି। ଏଥିରୁ ୮୮୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଅର୍ଥାତ୍ ଏମାନେ ହସ୍ପିଟାଲ ଓ ଘରେ ଚିକିତ୍ସାଧୀନ ଅଛନ୍ତି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାବେଳେ ରବିବାର ବି ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ଜଣାପଡ଼ିଛି।

ଚିନ୍ତା ବଢ଼ାଉଛି ଆପାର୍ଟମେଣ୍ଟ, ୟୁଟୋପିଆରୁ ବାହାରିଲେ ୧୧ ଆକ୍ରାନ୍ତ
ଭୁବନେଶ୍ବର : ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟରୁ ୧୧ଜଣ ଆକ୍ରାନ୍ତ ୪ଦିନ ତଳେ ବାହାରିଥିବାବେଳେ ଶୁକ୍ରବାର ଡେଲ୍‌ଟା ଛକ ନିକଟସ୍ଥ ୟୁଟୋପିଆ ଆପାର୍ଟମେଣ୍ଟରୁ ୧୧ଜଣ ଆକ୍ରାନ୍ତ ବାହାରିଛନ୍ତି। କେବଳ ଏହି ଦୁଇଟି ଆପାର୍ଟମେଣ୍ଟ ନୁହେଁ; ରାଜଧାନୀର ବହୁ ଆପାର୍ଟମେଣ୍ଟରେ ଏବେ ଆକ୍ରାନ୍ତ ଛାଇ ଗଲେଣି। ରାଜଧାନୀରେ ଶିକ୍ଷାନୁଷ୍ଠାନ ପରେ ଏବେ ଆପାର୍ଟମେଣ୍ଟ ବିଏମ୍‌ସି ଚିନ୍ତା ବଢ଼ାଇଲାଣି। ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, କର୍ଣ୍ଣାଟକ ପ୍ରଭୃତି ଅଞ୍ଚଳରୁ କିଛି ଲୋକ ଫେରିଥିବାବେଳେ ସେମାନେ ସଙ୍ଗରୋଧରେ ରହିବା ପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ସେମାନେ କୋଭିଡ ପରୀକ୍ଷା କରି ଆକ୍ରାନ୍ତ ବୋଲି ଜଣାପଡ଼ିବା ପୂର୍ବରୁ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ବହୁ ଲୋକ ଏବେ କରୋନା ଚିହ୍ନଟ ହେଉଛନ୍ତି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆପାର୍ଟମେଣ୍ଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ସାମଗ୍ରୀ ଯଥା ପାର୍କ, ଜିମ୍‌, କ୍ଲବ୍ ଆଦିକୁ ବହୁ ଲୋକ ବ୍ୟବହାର କରୁଥିଲେ ହେଁ ଏହାକୁ ନି‌ୟମିତ ବିଶୋଧନ କରାଯାଉନି। ଫଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସାମଗ୍ରୀକୁ ସ୍ପର୍ଶ କରି ଅନ୍ୟ ଲୋକ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ସେମାନେ କେଉଁଠୁ ଆକ୍ରାନ୍ତ ହେଲେ ଜାଣିପାରୁନାହାନ୍ତି। ଯେଉଁଥିପାଇଁ ସ୍ଥାନୀୟ ସଂକ୍ରମିତ ଭାବେ ଗଣାହେଉଛନ୍ତି।

ଷ୍ଟେସନରୁ ୪, ବିମାନବନ୍ଦରରୁ ୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଭୁବନେଶ୍ବର ରେଳ ଷ୍ଟେସନରେ ବିଏମ୍‌ସି ପକ୍ଷରୁ ଚାଲିଥିବା ଅନସ୍ପଟ୍ ଟେଷ୍ଟିଂରେ ଆଜି ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିମାନବନ୍ଦରରେ ୬୪ ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବିମାନବନ୍ଦରରେ ୧୪୫ଜଣଙ୍କର ପରୀକ୍ଷା ହୋଇଥିବା ବେଳେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର