ରାଜଧାନୀରେ ଲମ୍ବା ଡିଆଁ ମାରୁଛି କରୋନା; ଚିହ୍ନଟ ହେଲେ ୪୫୧ ଆକ୍ରାନ୍ତ, ଦିନକରେ ୧୪୦ ଅଧିକ

ଭୁବନେଶ୍ବର : ରାଜଧାନୀରେ କରୋନା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିିଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଲାଗାତାର ତିନି ଦିନ ହେଲା ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ହଠାତ୍ ଆକ୍ରାନ୍ତ ସଂଖ୍ୟା ୪୫୦ ଟପିଯାଇଛି। ଶୁକ୍ରବାର ୩୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଅଧିକ ୧୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ଏଭଳି ଲମ୍ବା ଡିଆଁ ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି। ରାଜଧାନୀ ପାଇଁ ଚିନ୍ତାର ବିଷୟ ପାଲଟିଛି ଆକ୍ରାନ୍ତ ଓ ସୁସ୍ଥ ହାର। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ସେହି ଅନୁଯାୟୀ ଲୋକ ସୁସ୍ଥ ହେଉନାହାନ୍ତି। ଫଳରେ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୧୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ଆଗକୁ ହସ୍ପିଟାଲରେ ଶଯ୍ୟା ଅଭାବ ପରିସ୍ଥିତିକୁ ଏଡ଼ାଯାଇ ନ ପାରେ।

ଆଜି ରାଜଧାନୀରେ ୪୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ୩୬୦ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ବାକି ୯୧ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀରୁ ସର୍ବାଧିକ ୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବରମୁଣ୍ଡାରୁ ୨୫ଜଣ, ବଡ଼ଗଡ଼ରୁ ୧୭ଜଣ, ପଟିଆରୁ ୧୯ଜଣ, ଲକ୍ଷ୍ମୀସାଗରରୁ ୧୭ଜଣ, ଖଣ୍ଡଗିରିରୁ ୧୫ଜଣ, ଟଙ୍କପାଣି ରୋଡ୍‌ରୁ ୧୪ଜଣ, ଶୈଳଶ୍ରୀ ବିହାରରୁ ୧୩ଜଣ, ବିଜେବି ନଗରରୁ ୭ଜଣ, ପଳାଶପଲ୍ଲୀରୁ ୭ଜଣ, ମଞ୍ଚେଶ୍ବରରୁ ୮ଜଣ, ୟୁନିଟ-୮ରୁ ୧୦ଜଣ, ସାମନ୍ତରାପୁରରୁ ୮ଜଣ, ବମିଖାଲରୁ ୧୨ଜଣ, ପୁରୁଣା ଭୁବନେଶ୍ବରରୁ ୧୨ଜଣ, ଆଇଆର୍‌ସି ଭିଲେଜ୍‌ରୁ ୮ଜଣ, କଳ୍ପନାରୁ ୮ଜଣ, ପୋଖରୀପୁଟରୁ ୧୧ଜଣ, ରସୁଲଗଡ଼ରୁ ୧୦ଜଣ, ନୀଳାଦ୍ରିବିହାରରୁ ୬ଜଣ, ହଂସପାଳରୁ ୫ଜଣ, ଜୟଦେବ ବିହାରରୁ ୩ଜଣ, ୟୁନିଟ-୯ରୁ ୫ଜଣ, ୟୁନିଟ-୨ରୁ ୬ଜଣ, ୟୁନିଟ-୩ରୁ ୪ଜଣ, ଝାରପଡ଼ାରୁ ୭ଜଣ, ସୁନ୍ଦରପଦାରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ପ୍ରାୟ ସମସ୍ତ ସ୍ଥାନରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସି ହସ୍ପିଟାଲର ୨ କର୍ମଚାରୀ ଆକ୍ରାନ୍ତ
ଭୁବନେଶ୍ୱର : ପୁରୁଣା ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବିଏମ୍‌ସି ହସ୍ପିଟାଲରେ ୧୭୫ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ତିନି ଦିନରେ ୧୦୦ ଜଣ ପଜିଟିଭ୍‌ ବାହାରିଛନ୍ତି। ସେଥିମଧ୍ୟରୁ ୨ଜଣ ହସ୍ପିଟାଲର କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ରମାଦେବୀରୁ ଆଉ ୪ ଆକ୍ରାନ୍ତ
ଭୁବନେଶ୍ବର : ଆଜି ରମାଦେବୀ ବିଶ୍ବବିଦ୍ୟାଳୟରୁ ୪ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜଣେ ଅଧ୍ୟାପିକା ଓ ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ରମାଦେବୀରେ ମୋଟ୍‌ ୬ଜଣ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜ‌ଣ ହଷ୍ଟେଲ ଅନ୍ତେବାସୀ ଥିବା ଜଣାପଡ଼ିଛି। ୧୯ତାରିଖରୁ ହଷ୍ଟେଲ୍ ବନ୍ଦ ହେବାକୁ ଥିବାବେଳେ ଏବେ ହଷ୍ଟେଲରୁ ଆକ୍ରାନ୍ତ ବାହାରିଥିବାରୁ ପୂରା ହଷ୍ଟେଲର ଅନ୍ତେବାସୀଙ୍କୁ କରୋନା ସଂକ୍ରମଣ ଭୟ ଘାରିଛି।

ମନ୍ତ୍ରୀଙ୍କ ସମେତ ୬୦ ସେବାୟତଙ୍କ କୋଭିଡ୍‌ ପରୀକ୍ଷା
ପୁରୁଣା ଭୁବନେଶ୍ୱର : ରୁକୁଣା ରଥଯାତ୍ରାରେ ସେବା ପ୍ରଦାନ କରିବାକୁ ଥିବା ସେବାୟତଙ୍କ ମଧ୍ୟରୁ ୬୦ଜଣଙ୍କର କୋଭିଡ୍‌ ପରୀକ୍ଷା କରାଯାଇଛି। ବ୍ରାହ୍ମଣ, ବଡ଼ୁ, ପୂଜାପଣ୍ଡା, କ୍ଷେତ୍ରବାସୀ ବ୍ରାହ୍ମଣ, ମହାରଣା, ଆପଟିଆ, କରଡ଼ା, ସମର୍ଥାଙ୍କ ପରୀକ୍ଷା କରାଯାଇଛି। ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କର ଏହି ପରୀକ୍ଷା କରାଯାଇଛି। ସେବାୟତଙ୍କ ଗହଣରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ନିଜର ପରୀକ୍ଷା କରାଇଛନ୍ତି। ସେ ସେବାୟତ ପରିବାରର ହୋଇଥିବାରୁ ତାଙ୍କର ରଥଯାତ୍ରା ଦିନ ପାଳି ରହିଛି। ସେଦିନ ଉପସ୍ଥିତ ରହିବା ସହ ରଥ ଟାଣିବା ପାଇଁ ଏହି ପରୀକ୍ଷା କରାଇଛନ୍ତି ବୋଲି ଜଣାପଡ଼ିଛି। ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର