ଦିନକରେ ୩୯୫ ସଂକ୍ରମିତ, ରାଜଧାନୀ କରୋନା ସଂକ୍ରମଣ ୧୬ ହଜାର ପାର୍

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୧୬ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ରାଜଧାନୀରୁ ୩୯୫ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୬,୨୪୦‌ରେ ପହଞ୍ଚିଛି। ତେବେ ଉଲ୍ଲେଖନୀୟ ବିଷୟ ହେଉଛି, ରାଜଧାନୀରେ ଚିକିତ୍ସିତ କରୋନା ରୋଗୀଙ୍କ ସଂଖ୍ୟା ୫ହଜାର ତଳକୁ ଖସି ଆସିଛି। ଫଳରେ ଭୁବ‌ନେଶ୍ବରରେ ଏବେ ୪୭୩୫ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଚିହ୍ନଟ ୩୯୫ ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ସଙ୍ଗରୋଧରୁ ଓ ୨୭୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ମଧ୍ୟରେ ନୂଆପଲ୍ଲୀ, ୬ଜଣ ପୁଲିସ କର୍ମଚାରୀ, ସାଲିଆସାହି, ଭିଏସ୍‌ଏସ୍ ନଗର, ଟଙ୍କପାଣି ରୋଡ୍‌, ନୀଳାଦ୍ରିବିହାର, ଝାରପଡ଼ା, ଲକ୍ଷ୍ମୀସାଗର, କପିଳେଶ୍ବର, ଚକେଇସିଆଣି, ବିଡିଏ କଲୋନି, ୨ଜଣ ଗଣମାଧ୍ୟମ କର୍ମଚାରୀ, ୟୁନିଟ୍‌-୯ ଆଦି ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତରେ ନୂଆପଲ୍ଲୀ ଅଞ୍ଚଳରୁ ୧୨ଜଣ, ୟୁନିଟ୍‌-୯ରୁ ୧୩ଜଣ, ଶୈଳଶ୍ରୀବିହାର, ବିବେକାନନ୍ଦ ମାର୍ଗ, ୟୁନିଟ୍‌-୬, ଭିଏସ୍‌ଏସ୍‌ ନଗର, ଟଙ୍କପାଣି ରୋଡ୍, ରସୁଲଗଡ଼, ପାହାଳ, ପଳାସପଲ୍ଲୀ, ଚନ୍ଦକା, ରୁଚିକା ମାର୍କେଟ୍‌, ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ହଂସପାଳ, ପୁରୁଣା ଭୁବନେଶ୍ବର ଓ ପଳାଶୁଣୀ ଆଦି ଆଞ୍ଚଳରୁ ପୁଳା ପୁଳା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୧,୪୩୦ କରୋନା ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୦ ପ୍ରତିଶତକୁ ଛୁଇଁଛି।

ଅପରପକ୍ଷରେ ଆଜି ୨ଜଣ କରୋନା ରୋଗୀଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହେବା ପରେ ରାଜଧାନୀରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର