ସଂଗିନ ହେଉଛି ରାଜଧାନୀ ସ୍ଥିତି: ଦିନକରେ ୭୦୮ ଆକ୍ରାନ୍ତ, ତିନି ମୃତ

ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ହଜାର ପାର୍

ଭୁବନେଶ୍ବର : କରୋନାରେ ଚଳିତବର୍ଷ ରାଜଧାନୀରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଏପ୍ରିଲ୍‌ରେ ୪ଜଣ ମରିଛନ୍ତି। ଆଜି ଗୋଟିଏ ଦିନରେ ତିନି ଆକ୍ରାନ୍ତଙ୍କର ମୃତ୍ୟୁ ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ରହିଥିବାରୁ ରାଜଧାନୀବାସୀ ସତର୍କ ରହିବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି।

ଆଜି ରାଜଧାନୀରେ ୭୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୦ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ୧୫୧ଜଣ ଚିହ୍ନଟ ହୋଇଥିବା ବେଳେ ୫୫୭ଜଣ ସ୍ଥାନୀୟ ସଂକ୍ରମିତ। ପଟିଆରୁ ସର୍ବାଧିକ ୫୧ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୭ଜଣ ସ୍ଥାନୀୟ ସଂକ୍ରମିତ ଓ ୧୪ଜଣ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରିରୁ ୪୦, ନୂଆପଲ୍ଲୀରୁ ୪୩, ପୋଖରୀପୁଟରୁ ୧୮, ପାତ୍ରପଡ଼ାରୁ ୧୩, ୟୁନିଟ୍‌-୩ରୁ ୧୨, ପଳାସୁଣିରୁ ୯, ନୀଳାଦ୍ରିବିହାରରୁ ୧୩, ପାତ୍ରପଡ଼ାରୁ ୯, ପୁରୁଣା ଭୁବନେଶ୍ବରରୁ ୨୨, ରସୁଲଗଡ଼ରୁ ୧୭, ମଞ୍ଚେଶ୍ବରରୁ ୨୪, ଝାରପଡ଼ାରୁ ୨୯, ଚନ୍ଦ୍ରଶେଖରପୁରରୁ ୧୭, ୟୁନିଟ୍‌-୯ରୁ ୧୭, ଆଇଗିଣିଅରୁ ୧୨, ବରମୁଣ୍ଡାରୁ ୧୩ ଓ ଡୁମଡୁମାରୁ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ସ୍ଥାନରେ ୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜିର ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୬୨୮ରେ ପହଞ୍ଚିଛି। ଏଥିରୁ ୩୪୮୮୪ଜଣ ସୁସ୍ଥ ହୋଇଥିବା ବେଳେ ୨୫୫ଜଣଙ୍କର ମୃତ୍ୟୁ ହୋଇଛି। ଏବେ ରାଜଧାନୀରେ ୫୪୬୮ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସ୍ବର୍ଗଦ୍ବାର ମନା ହେଲେ ବି ଶବଦାହ ସମସ୍ୟା ନାହିଁ: ବିଏମ୍‌ସି
ଭୁବନେଶ୍ବର : ରବିବାର ପୁରୀ ଜିଲ୍ଲା ପ୍ରଶାସନ ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଆକ୍ରାନ୍ତଙ୍କ ଶବ ସତ୍କାର ଉପରେ କଟକଣା ଲଗାଇଥିଲା। ଏହାପରେ ସତ୍ୟନଗର ଶ୍ମଶାନରେ ଅଧିକ ଚାପ ପଡ଼ିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ରୋକଠୋକ୍ ମନା କରିଛନ୍ତି ବିଏମ୍‌ସି କମିସନର। କମିସନର କହିଛନ୍ତି ଯେ, ସ୍ବର୍ଗଦ୍ବାର ମନା ହେଲେ ବି ବିଶେଷ କିଛି ପ୍ରଭାବ ପଡ଼ିବନି। ରାଜଧାନୀରେ ଶବ ସତ୍କାର ପାଇଁ ଆମର ସତ୍ୟନଗର ସମେତ ବିଭିନ୍ନ ୱାର୍ଡରେ ମଶାଣି ଅଛି। ଏସବୁ ବାଦ୍ ଆଉ ଦୁଇଟି ସାର୍ବଜନୀନ ମଶାଣି ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ। ଏଠାରେ କୋଭିଡ ଆକ୍ରାନ୍ତଙ୍କ ଶବ ସତ୍କାର ହେଲେ ବିଶେଷ କିଛି ସମସ୍ୟା ରହିବନି।

ସମ୍ବନ୍ଧିତ ଖବର