କରୋନା ଛାଟରେ ଛଟପଟ: ପୁଣି ଚୁଡ଼ା‌, ମୁଢ଼ିରେ ଦିନ କଟିବ

ଭୁବନେଶ୍ବର : ‘ପର ଘରେ ପାଇଟି କଲେ ମୋ ଘରେ ଚୁଲି ଜଳେ। ପରର ଅଇଁଠା ବାସନ ମାଜିଲେ ମୋ ହାଣ୍ଡିରେ ଚାଉଳ ପଡ଼େ। ଦିନକୁ ଚାରି ଚାରି ଜଣଙ୍କ ଘରେ ହାଡ଼ଭଙ୍ଗା ଖଟଣିରୁ ଯେତିକି ପାଏ, ସେଥିରୁ ପିଲାଛୁଆଙ୍କୁ ଖାଇବାକୁ ଦେଇ ଭବିଷ୍ୟତ ପାଇଁ କିଛି ସଞ୍ଚୁଥିଲି। ସ୍ବଳ୍ପ ସଞ୍ଚୟରୁ ପିଲାଛୁଆଙ୍କୁ ପଢ଼ାଇ ମଣିଷ କରିବି ବୋଲି ଭାବିଥିଲି। ହେଲେ ଦୁଇ ବର୍ଷ ହେଲା ମହାମାରୀ କରୋନା ମୋ ଛୋଟିଆ ସ୍ବପ୍ନକୁ ଧୂଳିସାତ୍‌ କରିଦେଇଛି। ଗତବର୍ଷ କରୋନା ବ୍ୟାପିବା ଆଶଙ୍କାରେ କେହି ମୋ ଭଳି କାମବାଲିଙ୍କୁ ଘରେ ପୂରାଇଲେନି। ତେଣୁ ୬/୭ ମାସ ଘରେ ବସିଲି। ଯେତିକି ସଞ୍ଚିତ ଧନ ଥିଲା, ବସିକି ଖାଇବାରୁ ସେତକ ସରିଗଲା। ଚୁଡ଼ା ମୁଢ଼ିରେ ଦିନ କାଟିବାକୁ ପଡ଼ିଥିଲା। ଏବର୍ଷ ପୁଣି ସେଇ ପରିସ୍ଥିତି ଆସିଲାଣି। ସେମିତି ହେଲେ ମୋ ପରିବାର ବଡ଼ଦାଣ୍ଡକୁ ଚାଲିଯିବ।’ କରୋନାର ଦ୍ବିତୀୟ ଲହରକୁ ନେଇ ପ୍ରଶାସନର କଟକଣାକୁ ଲକ୍ଷ୍ୟ କରି ଏଭଳି ଦୁଃଖ ବଖାଣିଛନ୍ତି ଘରୋଇ ସହାୟିକା ବବି ନାୟକ।

ନୂଆପଲ୍ଲୀ ଅଞ୍ଚଳରେ ଘର ଘର ବୁଲି ଘରୋଇ ସହାୟିକା ଭାବେ କାମ କରନ୍ତି ସାଲିଆସାହିରେ ରହୁଥିବା ବବି। ୪ଜଣଙ୍କ ଘରେ ସକାଳେ ଓ ସଂଧ୍ୟାରେ ଘଣ୍ଟାଏ ଲେଖାଏଁ ପ୍ରାୟ ୮ଘଣ୍ଟା ହାଡ଼ଭଙ୍ଗା ଖଟଣି ଖଟନ୍ତି। ସ୍ବାମୀ ରାଜମିସ୍ତ୍ରି। ଦୁଇଟି କୁନି ଛୁଆ ଅଛନ୍ତି ତାଙ୍କ ଅଭାବୀ ସଂସାରରେ। କରୋନା ପୂର୍ବରୁ ସ୍ବାମୀ-ସ୍ତ୍ରୀ ଭଲ ଦୁଇ ପଇସା ରୋଜଗାର କରୁଥିଲେ। ମାସିକ ପ୍ରାୟ ୮ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। କିନ୍ତୁ ମହାମାରୀ କରୋନା ଆସିବା ପରେ ସବୁ ଓଲଟପାଲଟ ହୋଇଗଲା। ସ୍ବାମୀଙ୍କୁ କାମ ମିଳିଲା ନାହିଁ। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ସବୁଆଡ଼େ ନିର୍ମାଣ କାମ ବନ୍ଦ ହୋଇଗଲା। ସେମିତି ବବିଙ୍କୁ ବି କାମ ମିଳିଲା ନାହିଁ। ବାବୁମାନେ କାମ ଦେବେ କ’ଣ, ଦେଖିବା ମାତ୍ରେ ଦୂର୍‌ଦୂର୍‌ ମାର୍‌ମାର୍‌ କଲେ। ତେଣୁ ବିନା ରୋଜଗାରରେ ସ୍ବାମୀ-ସ୍ତ୍ରୀ ୬ ମାସ ଘରେ ହାତବାନ୍ଧି ବସିଲେ। ଯେତିକି ସଞ୍ଚିଥିଲେ, ସେତକ ମାସ କେଇଟାରେ ସରିଗଲା। ତେଣୁ ପିଲାଙ୍କ ପେଟକୁ ଦେଇ ନିଜେ ଚୁଡ଼ା, ମୁଢ଼ିରେ ଦିନ କାଟିଲେ। ବଞ୍ଚିବା ପାଇଁ କିଛି କରଜ ବି କଲେ। ନଭେମ୍ବର ଆଡ଼କୁ କଟକଣା ହଟିଲା। ପୁଣିଥରେ ପର ଘରେ କାମ କରିବା ଆରମ୍ଭ କଲେ। କରୋନା କ୍ଷତିଭରଣା କରିବା ପାଇଁ କିଛି ଘରୋଇ ହଷ୍ଟେଲରେ ଯାଇ ଖଟିଲେ। ମାସିକ ୨ ହଜାର ଟଙ୍କା ବି ଅଧିକ କମଇଲେ। ଭାବିଥିଲେ କଷ୍ଟ ହେଉ ପଛେ, ଏମିତି ଆଉ କିଛି ଦିନ ଖଟିଦେଲେ, ଗତବର୍ଷର କ୍ଷତି ଭରଣା ହୋଇଯିବ। ବାକି ଥିବା କରଜ ସୁଝି ହୋଇଯିବ। କିନ୍ତୁ ଦଇବ ପୁଣି ଦାଉ ସାଧିଲା।

କୋହ କୋହ ହୋଇ ବବି କହନ୍ତି ‘ନିଆଁଲଗା କରୋନା, ପୁଣି ମୋ ସଂସାରରେ ନିଆଁ ଲଗାଇଲାଣି। ମୋ ପରିବାରର ଖୁସି ଯେମିତି କରୋନାକୁ ଅସହ୍ୟ ହୋଇପଡ଼ିଛି। ଦୁଇଜଣ ବାବୁ ଘରକୁ ଆସିବାକୁ ମନା କରି ଦେଇଛନ୍ତି। ହଷ୍ଟେଲ ତ ବନ୍ଦ ହୋଇଯାଇଛି। ତେଣୁ ଗତବର୍ଷର କରୋନା କ୍ଷତି ଭରଣା କ’ଣ କରିବି, ଏବର୍ଷର ଚିନ୍ତା ଘାରିଲାଣି। ସ୍ବାମୀଙ୍କୁ ମଧ୍ୟ ଏଇ କିଛି ଦିନ ହେଲା ନିୟମିତ କାମ ମିଳୁନାହିଁ। ତେଣୁ ସବୁ ଦିଗ ଅନ୍ଧାର ଦିଶିଲାଣି। ପିଲାଙ୍କ ପଢ଼ା କଥା ପଛକୁ ଥାଉ, ଆଗ କେମିତି ବଞ୍ଚିବୁ ବୋଲି ମୁଣ୍ଡ ଘୁରାଇ ଦେଉଛି।’

ସମ୍ବନ୍ଧିତ ଖବର