ବିଜେବିରେ କରୋନା ଯାଞ୍ଚ କଡ଼ାକଡ଼ି

ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ, ବିଏମ୍‌ସିକୁ ଅବଗତ କଲେ କର୍ତ୍ତୃପକ୍ଷ

ଭୁବନେଶ୍ବର : ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଜଣେ ଛାତ୍ରୀ ଗତକାଲି କରୋନା ଆକ୍ରାନ୍ତ ପରେ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ବିଦ୍ୟାଳୟ ନୋଟିସ୍‌ ବୋର୍ଡରେ ଆକ୍ରାନ୍ତ ଛାତ୍ରୀଙ୍କ ରୋଲ୍‌ ନମ୍ବର ସହ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ କୁହାଯାଇଛି। ଏଥିସହ ନିଜକୁ ନିଜେ ୭ଦିନ ସଙ୍ଗରୋଧରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେପଟେ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ବଳ ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିସନରଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି। ଆବଶ୍ୟକ ପଡ଼ିଲେ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ପାଇଁ କ୍ୟାମ୍ପସ୍‌ରେ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ଆକ୍ରାନ୍ତ ଚିହ୍ନଟ ହୋଇଥିବା ଛାତ୍ରୀଜଣକ ୧୫ଦିନ ହେଲା ବିଦ୍ୟାଳୟକୁ ଆସୁ ନଥିଲେ। ସମ୍ପୃକ୍ତ ଛାତ୍ରୀଜଣକ ନିଜର ସମ୍ପର୍କୀୟଙ୍କ ଘରେ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଅନ୍ୟ ଛାତ୍ରଛାତ୍ରୀ ଭୟଭୀତ ହେବାର କୌଣସି କାରଣ ନାହିଁ। ତା’ ପରେ ବି ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ କ୍ୟାମ୍ପସକୁ ଆସୁଛନ୍ତି, ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ହାତ ବି‌ଶୋଧନ ହେଉଛି। ଏଥିସହ ପ୍ରତିଦିନ ସଫେଇ କରିବାକୁ ସ୍ଥିର ହୋଇଛି। କଲେଜ ଅଧ୍ୟକ୍ଷ ଶ୍ରୀ କର କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବଦା‌ ପ୍ରାଥମିକତା ଦେଉଛୁ। ଛାତ୍ରୀଜଣକ ଦୁଇ ସପ୍ତାହ ହେଲା କ୍ଲାସକୁ ଆସୁ ନ ଥିବାରୁ ଅନ୍ୟମାନେ ଆକ୍ରାନ୍ତ ହେବା ସମ୍ଭାବନା କମ୍‌। ତା’ ପରେ ବି ଆମେ ପଦକ୍ଷେପ ନେଇଛୁ। ମାସ୍କ ପରିଧାନ ଓ ସାମାଜିକ ଦୂରତା ପାଳନକୁ ପ୍ରାଥମିକତା ଦିଆଯାଉଛି। ଆଜି ମାସ୍କ ପିନ୍ଧି ଆସି ନ ଥିବା କିଛି ପିଲାଙ୍କୁ ଫେରାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେମାନେ ମାସ୍କ ପିନ୍ଧି ଆସିଥିଲେ। ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ଚାଲିଥିବାରୁ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟରେ ଘଣ୍ଟାଏ ବ୍ୟବଧାନ ରଖିବାକୁ ନିଷ୍ପତ୍ତି ନେଇଛୁ। ସାଙ୍ଗରେ ପାଣି ବୋତଲ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର