କରୋନା ଛାଟରେ ଛଟପଟ: ମନ୍ଦିର ବନ୍ଦ ତ ଦିବ୍ୟାଙ୍ଗ ଦମ୍ପତିଙ୍କ ଖାଇବା ବନ୍ଦ

ଭୁବନେଶ୍ବର : ‘ମନ୍ଦିର ଆମ ପାଇଁ ଭାତହାଣ୍ଡି। ମନ୍ଦିର ଖୋଲା ଥିଲା ଯାଏ ଆମ ପେଟ ଖାଲି ରହେନି। ଶ୍ରଦ୍ଧାଳୁମାନଙ୍କ ଦାନରେ ଆମ ସ୍ବାମୀ-ସ୍ତ୍ରୀଙ୍କ ଦି’ଟା ପେଟ ଭରିଯାଏ। କିନ୍ତୁ କରୋନା ମହାମାରୀ ଦୁଇ ବର୍ଷ ହେଲା ଦାଉ ସାଧୁଛି। ଗତବର୍ଷ ମନ୍ଦିର ବନ୍ଦ ହେଲା, ଆମେ ବାର ଦୁଆର ହେଲୁ। ଏବର୍ଷ ପୁଣି ସେୟା କଲାଣି। ମନ୍ଦିର ବନ୍ଦ ହେଲାଣି। ତେଣୁ କିଏ କୋଉଠି ମୁଠାଏ ଖାଇବାକୁ ଦେବ କି ନାହିଁ, ସେହି ଚିନ୍ତାରେ ଆମ ଆଖିକୁ ନିଦ ନାହିଁ। ଠାକୁରଙ୍କୁ ହାତ ଟେକି ଦେଇଛୁ, ରଖିଲେ ରଖିବେ, ମାରିଲେ ମାରିବେ!’ ମହାମାରୀ କରୋନାର ଦ୍ବିତୀୟ ଲହର ପାଇଁ ଧୀରେଧୀରେ କଟକଣା କଠୋର ହେଉଥିବାକୁ ଲକ୍ଷ୍ୟ କରି ଏମିତି କହିଛନ୍ତି ରାମ ମନ୍ଦିର ନିକଟରେ ରହୁଥିବା ଦିବ୍ୟାଙ୍ଗ ବେନୁ ମହାପାତ୍ର।

ବେନୁଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁର। ବୟସ ୬୫ ବର୍ଷ। ଜନ୍ମରୁ ସେ ଦିବ୍ୟାଙ୍ଗ। ଯାହାଙ୍କ ହାତ ଧରିଛନ୍ତି ସେ ବି ଦିବ୍ୟାଙ୍ଗ। ବାପା ମା’ ମରିଗଲା ପରେ ଭାଇମାନେ ପଚାରିଲେ ନାହିଁ। ତେଣୁ ଦୀର୍ଘ ୨୦ ବର୍ଷ ହେବ ରାଜଧାନୀରେ ଆସି ଭିକ୍ଷା ବୃତ୍ତି କରୁଛନ୍ତି। ରାମ ମନ୍ଦିର ହିଁ ତାଙ୍କ ପାଇଁ ସାହା। ମନ୍ଦିର ପାଚେରିକୁ ଲାଗି ପାଲଟଣା କୁଡ଼ିଆରେ ପଡ଼ି ରହିଛନ୍ତି ସେମାନେ। ଶ୍ରଦ୍ଧାଳୁ ମାନଙ୍କ ଦାନ ଓ ଭିକ୍ଷା ସେମାନଙ୍କ ପାଇଁ ଯଥେଷ୍ଟ। ସେହିଭଳି ନିକଟସ୍ଥ ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଥିବାରୁ ଜନଗହଳିପୂର୍ଣ୍ଣ ଏହି ସ୍ଥାନରେ ସେମାନଙ୍କୁ ଚଳିବା କଷ୍ଟକର ହୁଏ ନାହିଁ। ମୁଠାଏ ଖାଇବା ଓ ଖଣ୍ଡେ ପିନ୍ଧିବା ବ୍ୟତୀତ ସେମାନଙ୍କର ଅଉ କିଛି ଲୋଡ଼ା ନାହିଁ। ତେଣୁ ପେଟ ପୂରିଗଲେ କଥା ସରିଲା। କିନ୍ତୁ ଗତବର୍ଷ କରୋନା ସେମାନଙ୍କୁ ବେଶ୍ କନ୍ଦାଇଲା। ସଟ୍‌ଡାଉନ୍‌ ପାଇଁ ମନ୍ଦିର ବନ୍ଦ ହୋଇଗଲା। ମନ୍ଦିର ବନ୍ଦ ହେବା ପରଠାରୁ ସେମାନଙ୍କୁ ଖାଇବା ମିଳିଲା ନାହିଁ। ପ୍ରଥମେ ବାରଦୁଆର ହେଲେ। ଅନେକ ‌ଲୋକ ନାକ ଟେକିଲେ। ପୋଡ଼ି ଯାଉଥିବା ପେଟ ପାଇଁ ହାତ ପାତିବାକୁ ପଡ଼ୁଥିଲା।

ବେନୁ ସେଦିନର ଅନୁଭୂତି ବଖାଣିବାକୁ ଯାଇ କହନ୍ତି, ‘ବଡ଼ କଷ୍ଟ ବାବୁ। ହାତ ପାତିବା ବେଳେ କେହି ନାକ ଟେକିଲେ, ମନକୁ ବଡ଼ ଯନ୍ତ୍ରଣା ହୁଏ। ସେ କଥା ବର୍ଣ୍ଣନା କରିବା କଷ୍ଟ। ତେବେ ପରେ ତମାଣ୍ଡୋ ସ୍ଥିତ ଏକ ଅସ୍ଥାୟୀ ଶିବିରରେ ସରକାର ରହିବାର ବ୍ୟବସ୍ଥା କରାଇବା ପରେ ବଞ୍ଚିଗଲୁ। ପୁଣି ଏ ବର୍ଷ କରୋନା ଲେଉଟିଲାଣି। ପୁଣି ବାରଦୁଆର ହେବାକୁ ପଡ଼ିବ। ପୁଣି ଅନ୍ୟର ଛିଛାକର କଥା ଶୁଣିବାକୁ ପଡ଼ିବ। ସରକାର ଯଦି ପୁଣି ଶିବିର କରିବେ ବଞ୍ଚିବୁ, ନ ହେଲେ ରାସ୍ତା କଡ଼‌ରେ ଭୋକ ଉପାସରେ ଛଟପଟ ହୋଇ ମରିବା ସାର ହେହ। ବଡ଼ କଥା ହେଉଛି ବେନୁ ଆଜି ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଭତ୍ତାରୁ ବଞ୍ଚିତ। ନିଜର ସ୍ଥା‌ୟୀ ଠିକଣା ନଥିବାରୁ କେହି ତାଙ୍କୁ ପଚାରୁନାହାନ୍ତି। ଥରେ କେହି ବାବୁ ଦିବ୍ୟାଙ୍ଗ ଭତ୍ତା କରାଇବାକୁ ତାଙ୍କଠାରୁ କାଗଜପତ୍ର ନେଇଥିଲେ। କିନ୍ତୁ ତାପରେ ତାଙ୍କର ଦେଖ‌ା ଦର୍ଶନ ମିଳିଲା ନାହିଁ। ସେହିଭଳି ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ୍ କରାଯାଇନାହିଁ ବୋଲି ସେ କହିଛନ୍ତି। କେଉଁଠି କାହାକୁ ଆବେଦନ କଲେ, ତାଙ୍କୁ ଏହି ସୁବିଧା ମିଳିବ ବୋଲି ସେ ବୁଝି ପାରିନାହାନ୍ତି। ନିଜେ ଧାଇଁବାର ଶକ୍ତି ନଥିବାରୁ ତାଙ୍କୁ କୌଣସି ସରକାରୀ ସୁବିଧା ମିଳିନାହିଁ ବୋଲି ସେ କହିଛନ୍ତି। ତେଣୁ ମନ୍ଦିର ଅଛି ତ ତାଙ୍କର ସବୁ ଅଛି ବୋଲି ସେ କୋହଭରା ସ୍ବରରେ କହିଛନ୍ତି।

ସମ୍ବନ୍ଧିତ ଖବର