ଖଣ୍ଡଗିରି : ‘ମଣିଷ ସିନା ସଂଘର୍ଷ କରି ପାରିବ, ନିୟତିକୁ କ’ଣ ପରାସ୍ତ କରିପାରିବ? ଭାଗ୍ୟ ଯଦି ବାରମ୍ବାର ଆଘାତ ଦେଇ ଚାଲେ, ଜଣେ ଗରିବ ସାଧାରଣ ମଣିଷ ପୁଣି ଜଣେ ମହିଳା କେତେ ବା ସହି ପାରିବ ଓ ପରିବାରର ବୋଝ ଉଠାଇ ବାଟ ଚାଲି ପାରିବ? ତଥାପି ଆଶା ରହିଛି ଓ ଦେହରେ ଶକ୍ତି ଥିବା ପର୍ଯ୍ୟନ୍ତ ଖଟିବି, ତେଣିକି ଭଗବାନଙ୍କ ଇଚ୍ଛା।’ କରୋନାର ଦ୍ବିତୀୟ ଲହରକୁ ନେଇ ଆତଙ୍କିତ ଜଣେ କର୍ମଜୀବୀ ମହିଳାଙ୍କ ମନର ବ୍ୟଥା ଓ ବେଦନା ଥିଲା ଏମିତି।
ରାଜଧାନୀ ଉପକଣ୍ଠ ତମାଣ୍ଡୋ ପଞ୍ଚାୟତ ସିଜିପୁଟ ଅଞ୍ଚଳରେ ଜଣାଶୁଣା ସିଲେଇ ଦିଦି ହେଉଛନ୍ତି ବାସନ୍ତୀ। ଭଲ ପୋଷାକପତ୍ର ତିଆରି କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ନାଁ ଅଛି। ସେ ଘରେ ସିଲେଇ ଦୋକାନଟିଏ କରି ପରିବାର ଭରଣପୋଷଣ କରୁଛନ୍ତି। ବଡ଼ କଷ୍ଟରେ ବାପାମା’ ତାଙ୍କୁ ବାହା ଦେଇଥିଲେ। କିନ୍ତୁ ଭାଗ୍ୟ ସହଯୋଗ କଲାନି, ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କର ମୃତ୍ୟୁ ହୋଇଗଲା। ଶ୍ବଶୁର ଘରର ଅର୍ଥାଭାବ କାରଣରୁ ବାପଘରକୁ ଚାଲି ଆସିଲେ ବାସନ୍ତୀ। ଏକ ଛୋଟ ଜଳଖିଆ ଦୋକାନରୁ ଘର ଚଳାଉଥିବା ବାପାଭାଇଙ୍କ ଉପରେ ବୋଝ ହୋଇ ରହିବାକୁ ପସନ୍ଦ କଲେନି ସେ। ତେଣୁ ସିଲେଇ ଶିଖି ଦି’ପଇସା କମେଇବାକୁ ଅଣ୍ଟା ଭିଡ଼ିଲେ। ଏଥିରେ କିନ୍ତୁ ଭାଗ୍ୟ ତାଙ୍କୁ ବେଶ୍ ସହଯୋଗ କଲା। ଭଲ କାମ ଶିଖିଲେ ଓ ପରେ ମେସିନ୍ କିଣି ଛୋଟ ଦୋକାନଟିଏ କରି ନିଜ ଗୋଡ଼ରେ ଠିଆ ହୋଇପାରିଲେ। ତାଙ୍କ ରୋଜଗାରରୁ ଝିଅର ପଢାଖର୍ଚ୍ଚ ସହିତ ଘରଖର୍ଚ୍ଚ ଉଠି ଯାଉଥିଲା।
ମାତ୍ର ଦୋକାନ କରିବାର ବର୍ଷଟିଏ ହେଇଛି କି ନାହିଁ ମହାମାରୀ କରୋନା ମାଡ଼ି ଆସିଲା। ଲକ୍ଡାଉନ୍, ସଟ୍ଡାଉନ୍ ଭିତରେ ରୋଜଗାର ହରାଇ ବସିଲେ ବାସନ୍ତୀ। ପର୍ବପର୍ବାଣି ଫିକା ପଡ଼ିଯିବାରୁ ନୂଆ ପୋଷାକ ସିଲେଇ ବହୁ ମାତ୍ରାରେ କମିଗଲା। ତେଣୁ ହାତବାନ୍ଧି ବସି ରହିବାକୁ ପଡ଼ିଲା ବାସନ୍ତୀଙ୍କୁ। ଟଙ୍କାଟିଏ ରୋଜଗାର କରିବା ସମ୍ଭବ ହେଲା ନାହିଁ। ମରାମତି କାମରୁ ଯାହା କିଛି ମିଳିଲା, ତା ସମୁଦ୍ରକୁ ଶଙ୍ଖେ ଭଳି। ତେବେ କିଛିଦିନ କଷ୍ଟରେ କଟିବା ପରେ କଟକଣା କୋହଳ ହେଲା। ବଜାର ହାଟ ସ୍ବାଭାବିକ ହେଲା। ଲୋକେ କାମଧନ୍ଦା ପାଇଲେ। ତେଣୁ ବାସନ୍ତୀଙ୍କ ସିଲେଇ ମେସିନ୍ ପୁଣି ଚାଲିଲା। ଆଗକୁ ଆସୁଥିଲା ରଜ। ଭଲ ଦି ପଇସା ରୋଜଗାର ହୋଇଥାନ୍ତା। ମାତ୍ର ପୁଣି ଦାଉ ସାଧିଲାଣି କରୋନାର ଦ୍ବିତୀୟ ଲହର।
ଏବେ କରୋନା କଥା କହୁ କହୁ ବାସନ୍ତୀଙ୍କ ଆଖିରେ ଲୁହ ଜକେଇ ଆସୁଛି। ପୁଣି କେତେ ଦିନ ସେ ହାତବାନ୍ଧି ବସିବେ ବୋଲି ଭାବି କାନ୍ଦି ପକାଉଛନ୍ତି। ଲକ୍ଡାଉନ୍ ହେଲେ ବାପାଭାଇଙ୍କ ଜଳଖିଆ ଦୋକାନ ବି ବନ୍ଦ ହୋଇଯିବ। ତେଣୁ ପାଞ୍ଚ ପ୍ରାଣୀ ଚଳିବେ କେମିତି ବୋଲି ତାଙ୍କ ଚିନ୍ତା ବଢ଼ି ଯାଉଛି। ଗତବର୍ଷ ଏମିତି ସ୍ଥିତି ହେଲା ଯେ ଖାଇବା ପିଇବା ଠିକଣା ନ ଥିଲା। ତେଣୁ ଏ ବର୍ଷ ଯଦି ସେମିତି କିଛି ପରିସ୍ଥିତି ସୃଷ୍ଟି ହୁଏ, ତାହା ଅଧିକ ଯନ୍ତ୍ରଣାଦାୟକ ହେବ, ଏକଥା ସେ ଭଲ ଭାବେ ଜାଣନ୍ତି। ଆଖିରୁ ଲୁହ ପୋଛି ବାସନ୍ତୀ କହନ୍ତି, ତଥାପି ବଞ୍ଚିବାକୁ ପଡ଼ିବ। ସଂଘର୍ଷ କରିବାକୁ ପଡ଼ିବ। କରୋନା କେତେ ଦିନ କନ୍ଦାଇବାର ଅଛି, ଦେଖିବାକୁ ପଡ଼ିବ। ହାରିଗଲେ କେହି କିଛି ଦେବେ କି ବୋଲି ସେ ନିଜକୁ ଦମ୍ଭ କରି ପଚାରିଛନ୍ତି।