ବଣଭୋଜି ବାଟ ଓଗାଳିଛି କରୋନା

ଅପେକ୍ଷାରେ ଜୟଦେବ ବାଟିକା ପିଣ୍ଡି, ଧଉଳିକୁ ଆସୁନାହାନ୍ତି

ଭୁବନେଶ୍ବର: ଶୀତର କୋହଲା ପରସ ମନକୁ ଅଥୟ କଲାଣି। ଜଙ୍ଗଲ ବି ହାତ ଠାରି ଡାକିଲାଣି। ଜଞ୍ଜାଳମୟ ଜୀବନରୁ ଟିକିଏ ଫୁରସତ ମିଳିବା କ୍ଷଣି ସାଙ୍ଗସାଥୀ ଓ ପଡ଼ୋଶୀଙ୍କ ସହ ମିଶି ବଣଭୋଜି କରିବାକୁ ମନ ଅଥୟ। ହେଲେ କରୋନାର କାୟା ଭାବିଲା ‌ବେଳକୁ ମନ ପଛଘୁଞ୍ଚା ଦେଉଛି। ଏକାଠି ହୋଇ ଯିବାକୁ ଇଚ୍ଛା ହେଉ ନାହିଁ। ସାଙ୍ଗସାଥୀଙ୍କ ସହ ମିଶିବାକୁ ବି ଡର ଲାଗୁଛି। କାଳେ କରୋନା ମାଡ଼ି ବସିବ। ଆକ୍ରାନ୍ତ ହୋଇଯିବି। ମନ‌ରେ ଏମିତି ଅନେକ କିଛି ଉଙ୍କି ମାରୁଛି। ସେପଟେ ବଣଭୋଜି ଲାଗି ଭୁବନେଶ୍ବର ଉପକଣ୍ଠରେ ଥିବା କେତେକ ପର୍ଯ୍ୟଟନ ସ୍ଥଳୀରେ ଅନୁମତି ଦିଆଯାଇ ସରିଲାଣି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରି ବଣଭୋଜି କରିହେବ। ତା’ପରେ ବି ନା ଅଛି ଗହଳି ଚହଳି। ନା ହାଣ୍ଡି କଡେଇର ଠକ୍‌ଠକ୍‌ ଶବ୍ଦ। ପ୍ରତିବର୍ଷ ନଭେମ୍ବରରେ ଭିଡ଼ ଜମୁଥିବା ନନ୍ଦନକାନନ ବଟାନିକାଲ୍ ଗାର୍ଡେନ, ଜୟଦେବ ବାଟିକା, ଡେରାସ, ଧଉଳି ଓ ଶିଖରଚଣ୍ଡୀ ପାଦଦେଶ ଏବେ ଶୂନଶାନ। କେବଳ ନିସ୍ତବ୍ଧର ନିରବତା।

ଅପେକ୍ଷାରେ ଜୟଦେବ ବାଟିକା ପିଣ୍ଡି
ଜୟଦେବ ବାଟିକା ପରିସରରେ ବଣଭୋଜି ଲାଗି ୧୨୦ରୁ ଅଧିକ ସ୍ପଟ୍‌ ରହିଛି। ଏଥିସହ ବୈଠକ ଲାଗି ଗୋଟିଏ ସମ୍ମିଳନୀ କକ୍ଷ ମଧ୍ୟ ଏହା ଭିତରେ ରହିଛି। ଏହାକୁ ବୁକିଂ ଲାଗି ୩ ହଜାର ଟଙ୍କା ଦେବାକୁ ପଡ଼ିବ। ଏହା ପରିସରରେ ସମସ୍ତ ପ୍ରକାର ସୁବିଧା ରହିଛି। ବଣଭୋଜି କରିବାକୁ ଆସୁଥିବା ବ୍ୟକ୍ତି ତଥା ଦଳଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଉ ନାହିଁ। ସାଙ୍ଗରେ ସାନିଟାଇଜର ବି ଆଣିବାକୁ କୁହାଯାଉଛି। ବଣଭୋଜି ସମୟରେ ଯେପରି ସାମାଜିକ ଦୂରତା ରକ୍ଷା କରାଯିବ ସେଥିପାଇଁ ନିୟମିତ ଭାବେ ଯାଞ୍ଚ ହେଉଛି। ୬ ଜଣ ସୁରକ୍ଷା କର୍ମୀ ଚାରିପାର୍ଶ୍ବ ବୁଲି ତଦାରଖ କରୁଛନ୍ତି।

ଜୟଦେବ ବାଟିକା ଦାୟିତ୍ବରେ ଥିବା ଦୟାନିଧି ଦାଶଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ପର୍ଯ୍ୟଟକଙ୍କ ଲାଗି ନୂତନ ଭା‌ବେ ୫୦ ହଜାର ବର୍ଗ ଫୁଟ୍‌ର ଲନ୍‌ କରାଯାଇଛି। ନୂଆ ଝରଣା ସହ କ୍ୟାସକେଣ୍ଟ ଫାଉଣ୍ଟେନ୍‌ ନିର୍ମାଣ ହୋଇଛି। ୧୨୦ ଏକର ପରିମିତ ଏହି ଅଞ୍ଚଳରେ ଏବର୍ଷ ୫୦ ହଜାର ଚାରା ରୋପଣ ହୋଇଛି। ପିଣ୍ଡି ଭଡ଼ା ବୃଦ୍ଧି କରାଯାଇ ନାହିଁ। ୩ ବର୍ଷ ହେଲା ଯାହା ଥିଲା ଏବେ ତାହା ରହିଛି। ନଭେମ୍ବର ମାସରେ ପ୍ରତିଦିନ ଅତି କମ୍‌ରେ ୩୦ରୁ ୪୦ଟି ଦଳ ବଣଭୋଜି କରିବାକୁ ଏଠାକୁ ଆସିଥାନ୍ତି। ତେବେ ଏଥର ବହୁ ପ୍ରଭାବିତ ହୋଇଛି। ନଭେମ୍ବର ପହିଲାରୁ ବଣଭୋଜି ଲାଗି ଅନୁମତି ମିଳିଥିଲେ ମଧ୍ୟ ଏବେ ସୁଦ୍ଧା ମାତ୍ର ୩ଟି ଟିମ୍ ବଣଭୋଜି କରିବାକୁ ବୁକିଂ କରିଛନ୍ତି। ପ୍ରତି ଆର୍ଥିକ ବର୍ଷରେ ଏଠାରୁ ଦୁଇ କୋଟି ଟଙ୍କା ରାଜସ୍ବ ଆସୁଥିବା ବେଳେ ଏଥର ବହୁ ପରିମାଣରେ କମିଛି। ଏବେ ସୁଦ୍ଧା ମାତ୍ର ୧୦ ଲକ୍ଷ ଟଙ୍କାର ରାଜସ୍ବ ଆସିଛି।

ଶିଖରଚଣ୍ଡିରେ ୧୭ ପିଣ୍ଡି
ପର୍ଯ୍ୟଟନ ଋତୁ ଆରମ୍ଭ ହେବା କ୍ଷଣି ଗହଳିଚହଳି ଲାଗିରହୁଥିବା ଶିଖରଚଣ୍ଡିରେ ଏଥର ସେମିତି ଭିଡ଼ ଦେଖିବାକୁ ମିଳୁନି। କେତେବେଳେ କେମିତି କାଁ ଭାଁ ପର୍ଯ୍ୟଟକ ଆସୁଛନ୍ତି। ବଣଭୋଜି କରିବାକୁ ଅନୁମତି ମିଳିଥିଲେ ମଧ୍ୟ ‌ପର୍ଯ୍ୟଟକଙ୍କ ଦେଖିବାକୁ ମିଳୁନି। ବଣଭୋଜି କରିବା ଲାଗି ପାହାଡ଼ ଉପର ଓ ପାଦଦେଶରେ ୧୭ଟି ପିଣ୍ଡି ରହିଛି। ଭୋଜି କରିବାକୁ ୮ଟି ପାଣି ଟାଙ୍କି ଓ ଟ୍ୟାପ୍‌ ପ୍ରତିଷ୍ଠା ହୋଇଛି। ବଣଭୋଜି ପାଇଁ ଭଡ଼ାରେ ହଣ୍ଡାହାଣ୍ଡି ଯୋଗାଇ ଦିଆଯାଉଛି। ଏବେ ସୁଦ୍ଧା ମୋଟ ୧୫ ‌ପେୟାର ସମଗ୍ରୀ ରହିଛି। ମନ୍ଦିର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶ ଲାଗି ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ମାତ୍ର ୧୦୦ ଟଙ୍କା ଲେଖାଏ ଫି’ ନିଆଯାଉଛି। କୌଣସି ପାର୍କିଂ ଫି’ ଆଦାୟ କରାଯାଉ ନାହିଁ। ତା’ ପରେ ବି ନଭେମ୍ବର ମାସରେ ଯେଉଁଭଳି ପର୍ଯ୍ୟଟକ ଆସନ୍ତି ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ସପ୍ତାହରୁ ମାତ୍ର ଦୁଇରୁ ୩ଟି ଦଳ ବଣଭୋଜି କରିବାକୁ ଆସୁଥିବା ସୂଚନା ମିଳିଛି।

ବଟାନିକାଲ ଗାର୍ଡେନ୍‌ରେ ଅନୁମତି ମିଳିନି
ବନ୍ଦ ରହିଥିବା ନନ୍ଦନକାନନର ବଟାନିକାଲ ଗାର୍ଡେନ୍ ଖୋଲିଛି। ପର୍ଯ୍ୟଟନ ତଥା ପିକ୍‌ନିକ୍‌ ଋତୁ ଆରମ୍ଭ ହେଉଥିବାରୁ ଭଳିକି ଭଳି ଫୁଲରେ ସଜେଇ ହୋଇଛି ଗାର୍ଡେନ୍‌। ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ। ତା’ ସାଙ୍ଗକୁ କାକ୍‌ଟସ୍‌, କଇଁ ଆଦି ବି ଶୋଭା ବଢ଼ାଉଛନ୍ତି। ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଚା, କାକ୍‌ଟସ୍‌ ହାଉସ୍‌, ଗ୍ଲାସ ହାଉସ୍, ଡ୍ରାଏ ଗାର୍ଡେନ୍‌, ଗ୍ରିନ୍‌ ହାଉସ୍‌, ଆର୍କିଡ୍‌ ହାଉସ୍‌, ଔଷଧୀୟ ଉଦ୍ୟାନ, ଜାପାନିଜ୍‌ ଗାର୍ଡେନ୍‌, ପ୍ଲମ୍‌ସ ଗା‌ର୍ଡେନ୍‌, ଶିଶୁ ଉଦ୍ୟାନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଗାର୍ଡେନ୍‌ ଖୋଲିଥିବାରୁ ପର୍ଯ୍ୟଟକମାନେ ବୁଲିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ପିକିନିକ୍‌ କରିବା ଲାଗି ଅନୁମତି ଦିଆଯାଇ ନ ଥିବା ନନ୍ଦନକାନନ ୱେବସାଇଟ୍‌ରେ ଉଲ୍ଲେଖ ହୋଇଛି।

ଝୁମୁକାରେ ଜମୁଛି
ଭୁବନେଶ୍ବର ଉପକଣ୍ଠ ଝୁମୁକା ଡ୍ୟାମ୍‌ ନିକଟରେ ବଣଭୋଜି ହେଉଛି। ‌ଏଠାରେ କୌଣସି ଫି’ ଦେବାକୁ ପଡ଼ୁ ନ ଥିବାରୁ ସହରରୁ ପର୍ଯ୍ୟଟକ ଆସି ବଣଭୋଜି କରୁଛନ୍ତି। ୪ରୁ ୫ ଜଣ ଲେଖାଏଁ ପର୍ଯ୍ୟଟକ ଆସି ଏକାଠି ଭୋଜି କରି ଜଙ୍ଗଲୀ ପରିବେଶର ମଜା ଉଠାଉଛନ୍ତି। ବେଶି ଭିଡ଼ ନ ଥିବାରୁ କରୋନା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ସେତେଟା ଭୟ ଦେଖିବାକୁ ମିଳୁ ନାହିଁ। ଅଧିକାଂଶ ପର୍ଯ୍ୟଟକ ପରିବାର ଆସି ବଣଭୋଜି କରୁଥିବା ଦେଖିବାକୁ ମିଳିଛି। ତେବେ ଡେରାସରେ ସେଭଳି ବଣଭୋଜି ଜମି ନାହିଁ।

ଧଉଳିକୁ ଆସୁନାହାନ୍ତି
ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଧଉଳି ପାଦଦେଶରେ ବଣଭୋଜି ହେଉ ନାହିଁ। ପର୍ଯ୍ୟଟକଙ୍କ ଦେଖା ନାହିଁ। ପାଦଦେଶରେ ଭୋଜି କରିବାକୁ କେତେକ ଘରୋଇ ବ୍ୟକ୍ତିବିଶେ‌ଷ ବ୍ୟବସ୍ଥା କରିଛନ୍ତି। ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେଉଛି। ତା’ପରେ ବି କରୋନା ଭୟରେ ପର୍ଯ୍ୟଟକଙ୍କ ଦେଖା ନାହିଁ। ତେଣୁ ପିଣ୍ଡି ପ୍ରସ୍ତୁତ କରିଥିବା ବ୍ୟକ୍ତିବିଶେଷ ଫାଟକରେ ତାଲା ପକାଇ ରଖିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର