କରୋନା କଣ୍ଟାରେ ଛଟପଟ ଜୀବନ, ରାହା ଖୋଜୁଛି ଜୀବିକା ବଦଳିଛି ବେଉସା

ଭୁବନେଶ୍ବର: ଜୀବନ ଓ ଜୀବିକା ପରସ୍ପରର ପରିପୂରକ। ଗୋଟିକ ବିନା ଅନ୍ୟଟି ଅର୍ଥହୀନ। ‌ତେଣୁ ମହାମାରୀ କରୋନା ଜୀବନକୁ ଗ୍ରାସ କରି ଚାଲିଥିବା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବିକା ତାକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରି ଚାଲିଛି। କରୋନାର ଭୟାବହତା ଜୀବିକାକୁ ପ୍ରଭାବିତ କରୁଥିଲେ ମଧ୍ୟ ସେ ହାରିବାକୁ ପ୍ରସ୍ତୁତ ନୁହେଁ। କରୋନାକୁ ମୁକାବିଲା କରିବାକୁ ଯାଇ ଜୀବିକା ନୂଆ ରାହା ଖୋଜି ଚାଲିଛି। ସ୍ବଳ୍ପ ଆୟ ହେଉ ପଛେ, ନୂତନ ବେଉସା ଆଦରି ନେଇ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବଞ୍ଚିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀ ବେପାର ଆଡ଼କୁ ସେମାନେ ମୁହାଁଇବା ଲକ୍ଷ୍ୟ କରାଯାଉଛି। ପୂର୍ବରୁ ଫାଷ୍ଟଫୁଡ୍‌, ଆଇସ୍‌କ୍ରିମ୍‌, ଦହିବରା, ଗୁପ୍‌ଚୁପ୍‌, ଚାଟ୍‌ ଆଦି ବେପାରରୁ ବେଶ୍ ଭଲ ଦି’ପଇସା କମାଉଥିବା ଲୋକଟି ଏବେ ରାସ୍ତାକଡ଼ରେ ପରିବା, ଫଳ, ସାନିଟାଇଜର୍‌ ଓ ମାସ୍କ ଧରି ଗ୍ରାହକକୁ ଅପେକ୍ଷା କରି ବସୁଛି। ବାରମ୍ବାର ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭିତରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିପାରିବ ବୋଲି ନିୟମ ରହୁଥିବାରୁ ଏବେ ବହୁ ଲୋକ ପରିବା, ଫଳ, ଦୁଗ୍ଧଜାତ ସାମଗ୍ରୀ, ରାସନ ସାମଗ୍ରୀ ଓ ମାସ୍କ ବେପାର ଆଡ଼କୁ ମୁହାଁଇଛନ୍ତି ଭିକ୍ଷା ଥାଳ ଧରେଇଲା କରୋନା

କଳାରାହଙ୍ଗ ପଞ୍ଚାୟତ ଅନ୍ତର୍ଗତ ପଦ୍ମକେଶରପୁର ଗାଁରେ ରହୁଛନ୍ତି ପ୍ରସନ୍ନ ଦାସ। ବୟସ ୬୫ବର୍ଷ। ଆଖିକୁ ଭଲ ଦେଖାଯାଉନି, ଦୁର୍ବଳତାରୁ ଅଣ୍ଟା ସଳଖି ଚାଲି ପାରୁନାହାନ୍ତି। ବହୁ ପୂର୍ବରୁ ପରିବାରର କୌଳିକବୃତ୍ତି ସାପ ଖେଳ ବନ୍ଦ ହୋଇଯାଇଥିଲା ଓ ପ୍ରସନ୍ନ ମୂଲପାତି ଲାଗି ପରିବାର ଚଳାଉଥିଲେ। କିନ୍ତୁ କରୋନା କଟକଣା ଯୋଗୁଁ ତାଙ୍କୁ ଆଉ ମୂଲପାତି ମିଳୁନି। ସ୍ତ୍ରୀ ତ୍ରିପଣୀ ରୋଗଶଯ୍ୟା‌‌ରେ। ଗୋଟିଏ ବୋଲି ଝିଅ ପ୍ରମିଳା ନବମ ଶ୍ରେଣୀ ଅଧାରୁ ପାଠ ପଢ଼ା ଛାଡ଼ି ପର ଘରେ ବାସନ ମାଜୁଛି। କିନ୍ତୁ ଏବେ ସେତକ ବି ବନ୍ଦ। କରୋନା କଟକଣା ପାଇଁ ପ୍ରମିଳା ଆଉ କାହା ଘରକୁ ଯାଇପାରୁନି। ତେଣୁ ଭୋକ ଉପାସରେ ରହିବା ଛଡ଼ା ଅନ୍ୟ ବାଟ ନାହିଁ। କିନ୍ତୁ ଜୀବନ ତ ଅଛି! ତେଣୁ ଭିକ୍ଷା ଥାଳ ଧରି ରାଜରାସ୍ତାକୁ ବାହାରି ପଡ଼ିଛନ୍ତି ବୃଦ୍ଧ ପ୍ରସନ୍ନ। କାମ ଦିଅ ନ ହେଲେ ଭିକ୍ଷା ଦିଅ ବୋଲି କହି ବୁଲୁଛନ୍ତି ସେ। ଏବେ ଭିକ୍ଷା ମାଗିବା ତାଙ୍କ ଜୀବିକା ପାଲଟିଛି।

​ମାସ୍କ୍ ଓ ସାନିଟାଇଜର୍ ନେଲା କଣ୍ଢେଇ ସ୍ଥାନ
ଚନ୍ଦ୍ରଶେଖରପୁର କାଞ୍ଚନ ଆପାର୍ଟମେଣ୍ଟ୍ ପାଖରେ ଥିବା ନବୀନନଗର ବସ୍ତିରେ ଦିବ୍ୟାଙ୍ଗ ମଦନ ମୋହନ ନାୟକ ଓ ପତ୍ନୀ ମଂଜୁଲତା ନାୟକ ରହୁଛନ୍ତି। ମଂଜୁ ତାଙ୍କ ନିଜ ବଡ଼ ଭଉଣୀର ପୁଅ କୁନାକୁ ପୁଅ କରି ରଖିଛନ୍ତି। ପୂର୍ବରୁ ଦୁହେଁ ବିଭିନ୍ନ ପ୍ରକା‌ର କଣ୍ଢେଇ ଓ ଖେଳନା ତିଆରି କରି ମାର୍କେଟ୍ ବିଲ୍‌ଡିଂରେ ବିକ୍ରି କରୁଥି‌ଲେ। କୁନାର ପାଠପଢ଼ା ଖର୍ଚ୍ଚ ସହ ପରିବାର ଚଳାଇବାରେ ସେମିତି କିଛି ବଡ଼ ସମସ୍ୟା ନଥିଲା। କିନ୍ତୁ କରୋନା କାଳ ହେଲା। ମାର୍କେଟ୍‌ ବିଲ୍ଡିଂ ବାରମ୍ବାର ବନ୍ଦ ହେଲା। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ବେପାର ବୁଡ଼ିଗଲା। କିନ୍ତୁ ହାରିଗଲେନି ଦିବ୍ୟାଙ୍ଗ ଦମ୍ପତି। କୁନା ବି ବାପାମା’ଙ୍କୁ ସହଯୋଗର ହାତ ବଢ଼ାଇଲା। ବିଦ୍ୟାଳୟ ବନ୍ଦ ଥିବାରୁ ପାଠପଢ଼ା ଏକପ୍ରକାର ବନ୍ଦ ରହିଛି। ତେଣୁ ଏବେ ବାପାଙ୍କ ସହ ରାସ୍ତା କଡ଼ରେ ମାସ୍କ ଓ ସାନିଟାଇଜର୍‌ ବିକୁଛି କୁନା। ସ୍କୁଲ୍‌ ଯିବା ସାଇକେଲ୍‌ରେ ମାସ୍କ ଓ ସାନିଟାଇଜର୍‌ ଧରି କୁନା ଚାଲି ଆସୁଛି ଫୁଟ୍‌ପାଥକୁ। ବାପା ମଦନଙ୍କ ସହ ବସୁଛି ମାସ୍କ ଓ ସାନିଟାଇଜର୍‌ ଧରି। କଣ୍ଢେଇ ଖେଳନା ଭଳି ବେପାର ହେଉନାହିଁ। କିନ୍ତୁ ଯେତିକି ଲାଭ ହେଉଛି, ସେତିକିରେ ବଡ଼ କଷ୍ଟରେ ପରିବାରର ବୋଝକୁ ମିଳିମିଶି ବୋହୁଛନ୍ତି ସେମାନେ। କୁନାର କଅଁଳ କାନ୍ଧ ଏହି ଦୁର୍ଦ୍ଦିନରେ ଦାରିଦ୍ର୍ୟର ବୋଝ ଉଠାଇ ପାରୁଛି ବୋଲି ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ମଦନ ଓ ମଞ୍ଜୁ।

ଫାଷ୍ଟଫୁଡ୍‌ ଷ୍ଟଲ୍‌ରୁ ପରିବା ଝୁଡ଼ି
ରୂପାଲି ଛକରେ ‘ଅଶୋକ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌’ କରି ବେଶ୍‌ ଭଲ ଦି’ ପଇସା ରୋଜଗାର କରୁଥିଲି। ଦିନକୁ ହାରାହାରି ୧୦ହଜାର ଟଙ୍କାର ବେପାର ହେଉଥିଲା। ଭଲ ଲାଭ ମିଳୁଥିଲା ଓ ଆରାମରେ ଚଳି ଯାଉଥିଲୁ। କିନ୍ତୁ ଡିସେମ୍ବରରୁ ବଦଳିଗଲା ମୋ ବେପାରର ଚିତ୍ର। ବାର୍ଡ ଫ୍ଲୁ ପାଇଁ ବେପାର ପୂରା ମାନ୍ଦା ହୋଇଗଲା। ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଲାଗୁ ହେବା ପରଠାରୁ ବେପାର ସମ୍ପୂର୍ଣ୍ଣ ଠପ୍‌ ହୋଇଗଲା। ଲକ୍‌ଡାଉନ୍‌ ଯୋଗୁଁ ପ୍ରାୟ ୨ ମାସ ଘରେ ବସିବା ପରେ ମଝିରେ ଅନ୍‌ଲକ୍‌-୧ରେ ‌ଦୋକାନ ଖୋଲିଲି। କିନ୍ତୁ ବେପାର ହେଲାନାହିଁ। ଗୋଟିଏ ପାର୍ଶ୍ବରେ ଚିକେନ୍‌ଠାରୁ ଆରମ୍ଭ କରି ସବୁ ସାମଗ୍ରୀର ଚଢ଼ା ଦର ଓ ଅନ୍ୟ ପଟେ କରୋନା ଭୟରେ ଗ୍ରାହକଙ୍କ ଅଭାବ ପରିଲକ୍ଷିତ ହେଲା। ବେପାର କ୍ଷତିରେ ଚାଲିଲା। ହାତରୁ ମୂଳଧନ ସରିବାକୁ ଲାଗିଲା। ବଞ୍ଚିବାକୁ ତ ହେବ! ତେଣୁ ବେଉସା ବଦଳାଇବାକୁ ପଡ଼ିଲା। ଏବେ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ବସି ପରିବା ବିକୁଛି। ବେପାର ବି ସେମିତି ଭଲ ହେଉନାହିଁ। ଦିନକୁ ୩୦୦ ଟଙ୍କା ବି ଲାଭ ମିଳିବା କଷ୍ଟକର ହୋଇପଡ଼ୁଛି। ସେତିକିରେ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଇବାକୁ ପଡ଼ୁଛି।
ଅଶୋକ କୁମାର ନାୟକ, ପରିବା ବ୍ୟବସାୟୀ

ଅଟୋ ଅଚଳ, ଫଳ ବେପାର ଚାଲୁନି
ରାଜଧାନୀରେ ଅଟୋ ଚଳାଇ ଭଲ ରୋଜଗାର କରୁଥିଲି। ମୋର ନିର୍ଦ୍ଦିଷ୍ଟ କୌଣସି ଛକ ବା ଷ୍ଟାଣ୍ଡ ନ ଥିଲା। ନୀଳାଦ୍ରିବିହାରରୁ ବାହାରି ରାଜଧାନୀ ସାରା ବୁଲି ବୁଲି ଅଟୋ ଚଲାଉଥିଲି। କିନ୍ତୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ଅଟୋ ଗଡ଼ିବା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଦେଢ଼ ମାସ ପରେ ଲକ୍‌ଡାଉନ୍‌ ଖୋଲିଲା ସିନା କଟକଣା ଜାରି ରହିଲା। ଏଣୁ ଅଟୋରେ ଯାତ୍ରୀ ପରିବହନ କାରବାର ଚାଲିଲାନି। ଲୋକମାନେ ଘରୁ ବାହାରିବାକୁ ଡରିଲେ। ଅଟୋ ଅଚଳ ହୋଇ ରୋଜଗାର ଠପ୍‌ ହୋ‌ଇଯିବା ପରେ ରୂପାଲି ଛକରେ ଏକ ଫଳ ଦୋକାନଟିଏ କରି ବସିଛି। କିନ୍ତୁ ଅଜାତିକୁ ବଣିଜ ଅଡ଼ୁଆ ନ୍ୟାୟରେ ମୋ ଦେଇ ଏହି ବେପାର ହେଉନାହିଁ। ବହୁ ଲୋକ ଏବେ ପରିବା ଓ ଫଳ ବ୍ୟବସା‌ୟକୁ ଭରସା କରିଛନ୍ତି। ସମ୍ପ୍ରତି ରୋଜଗାର ହରାଇଥିବା ଲୋକମାନେ ମଧ୍ୟ ଫଳ ବଜାରକୁ ଅନାଉ ନାହାନ୍ତି। ତେଣୁ ଦୋକାନ ବଢ଼ିଛି ସିନା ଗ୍ରାହକ ନାହାନ୍ତି। ଫଳରେ ବିକ୍ରି ହୋଇ ନପାରିବାରୁ ପଚାସଢ଼ାରେ ବହୁତ ନଷ୍ଟ ହେଉଛି। ତେବେ ଦୁଃଖେକଷ୍ଟେ ଏହି ବେପାର ହିଁ ମୋ ସଂସାର ଚଳାଉଛି।
ରବୀନ୍ଦ୍ର ମହାରଣା, ଫଳ ବେପାରୀ

ସମ୍ବନ୍ଧିତ ଖବର