କରୋନା ଛାଟରେ ଛଟପଟ, ପେଟକୁ ଲାତ ମାରି ରାଜଧାନୀରୁ ତଡ଼ିଦବ କରୋନା

ଭୁବନେଶ୍ବର: ‘ରୋଜଗାର କରିବାକୁ ଗାଁ ଛାଡ଼ି ରାଜଧାନୀ ପଳାଇ ଆସିଥିଲି। ରିକ୍ସା ଟାଣି ପେଟ ପୋଷୁଥିଲି। ସମୟ ବଦଳିଲା, ରିକ୍ସାର ଚାହିଦା କମିଗଲା। ତେଣୁ ମଣିଷ ବୋହିବା କାମ ନମିଳିବାରୁ ଶେଷରେ କବାଡ଼ିଆ ‌ଗୋଦାମକୁ ଭଙ୍ଗାରୁଜା ମାଲ୍‌ ବୋହିଲି। ବୟସ ବଢ଼ିବାରୁ ଦିନକୁ ଦିନ ବଳ କମୁଛି ଓ ରୋଜଗାର ବି କମୁଛି। ତଥାପି ଏଇଠି ମୁହଁମାଡ଼ି ପଡ଼ି ରହିବାକୁ ଇଛା। କିନ୍ତୁ ଗତବର୍ଷଠାରୁ କରୋନା ଯେମିତି କନ୍ଦେଇଲାଣି, ଆଉ ଏଠି ରହିବା ସମ୍ଭବ ନୁହେଁ। ଏଠି ଭିକ ମାଗିବା ଅପେକ୍ଷା ଗାଁ ମାଟିରେ ପଡ଼ି ପଡ଼ି ମରିବା ଭଲ। କରୋନା ଯେମିତି ହରବର କଲାଣି, ମୋ ପେଟକୁ ଲାତ ମାରି ମାରି ମୋତେ ରାଜଧାନୀରୁ ତଡ଼ିବ।’ କରୋନାର ଦ୍ବିତୀୟ ଲହରରେ ରୋଜଗାର ହରାଇବାକୁ ଯାଉଥିବା ଗରିବ ରିକ୍ସାବାଲା ଦେବ ବ‌େହେରାଙ୍କ ମନର ଦୁଃଖଦ କଥା ଥିଲା ଏମିତି।

ରାଜମହଲ ଓଭରବ୍ରିଜ୍‌ ତଳେ ରିକ୍ସାରେ ଶୋଇ ଦେବ ଏମିତି ବଖାଣିଥିଲେ ତାଙ୍କ ମନର ବ୍ୟଥା। ନ୍ରୟାଗଡ଼ର ୬୭ ବର୍ଷ ବୟସ୍କ ଦେବ। ଗାଁରେ କାମ ଧନ୍ଦା ନମିଳିବାରୁ ଗରିବ ଦେବ ଭେଣ୍ଡିଆବେଳୁ ରାଜଧାନୀକୁ ଚାଲି ଆସିଥିଲେ। ପ୍ରାୟ ୪୦ବର୍ଷ ହେଲା ଭୁବନେଶ୍ବରରେ ଅଛନ୍ତି। ରିକ୍ସା ଟାଣି ଟାଣି ବୁଢ଼ା ହେଲେଣି। କିନ୍ତୁ ସରଳପଣିଆ ପାଇଁ କୌଣସି ବସ୍ତିରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଇ‌ପାରିନାହାନ୍ତି। ଫଳରେ ବିଭିନ୍ନ ସରାକରୀ ଯୋଜନା ତାଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରିକ୍ସା ତାଙ୍କ ଘର। ବର୍ଷା ଓ ଶୀତ ସମୟରେ ବାପୁଜୀନଗରର ଜଣେ ବାବୁଙ୍କ ବାରଣ୍ଡା ତାଙ୍କ ଆଶ୍ରୟସ୍ଥଳ। ସେମିତି ଭୁଲବଶତଃ ଆଧାର କାର୍ଡରେ ୫୮ ବର୍ଷ ବୟସ(ପ୍ରକୃତ ବୟସ ୬୭ ବର୍ଷ) ହୋଇଥିବାରୁ ତାଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବି ମିଳୁନି। ବଡ଼ କଥା ହେଉଛି, କେବେ କାହାର ଦୟାର ପାତ୍ର ହେବାକୁ ସେ ଇଛା କରିନଥିବାରୁ ଏଭଳି ଅବସ୍ଥା। ଦେହରେ ବଳ ଅଛି, ଖଟିବି ଓ ପେଟ ପୋଷିବି, ଏଇ ହେଉଛି ତାଙ୍କ ଜୀବନର ମନ୍ତ୍ର। ରିକ୍ସାରେ ମଣିଷ ବୋହୁଥିବା ବେଳେ ଭଲ ରୋଜଗାର ହେଉଥିଲା। କିନ୍ତୁ ଗାଡ଼ିମଟର ଯୁଗ ଆସିବା ପରେ ତାଙ୍କ ରିକ୍ସା ଅଚଳ ହୋଇଗଲା। କିନ୍ତୁ ଦେବ ହାରିଗଲେନାହିଁ। ସେହି ମଣିଷ ଟଣା ରିକ୍ସାରେ ସେ କବ‌ାଡ଼ିଆ ଗୋଦାମକୁ ମାଲ୍ ବୋହିଲେ। ଭଙ୍ଗା ଡବା, ଜରି ଓ ବୋତଲ ଗୋଟାଉଥିବା ଲୋକଙ୍କ ମାଲ୍‌ ବୋହି ପେଟ ପୋଷିଲେ। ସେମିତି ଚାଲିଛି ତାଙ୍କ ଜୀବନରଥ। କିନ୍ତୁ ଗତବର୍ଷଠାରୁ ମହାମାରୀ କରୋନା ତାଙ୍କୁ ସମସ୍ୟାରେ ପକାଇଛି। ଗତବର୍ଷ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗି ତାଙ୍କୁ ଭୋକରେ ଦିନ କାଟିବାକୁ ପଡ଼ିଥିଲା। ତେଣୁ କିଛି ଦିନ ପାଇଁ ଗାଁକୁ ପଳାଇଥିଲେ।

ଗାଁରେ ବି ଦିନ‌େ ଖାଇଲେ, ଦି’ଦିନ ଉପାସରେ କଟିଥିଲା। କଟକଣା କୋହଳ ହେବା ପରେ ସେ ରାଜଧାନୀକୁ ଛୁଟି ଆସିଥିଲେ। କିନ୍ତୁ ପୁଣି କରୋନା ମାଡ଼ି ଆସିଲାଣି। ଆଜି ଲକ୍‌ଡାଉନ୍‌ ଯୋଗୁଁ ରିକ୍ସା ଗଡ଼ିନି। କାଲି ବି ରିକ୍ସା ଗଡ଼ିବନାହିଁ। ତେଣୁ କେତେ ସାଇତିଛି ଯେ ବିନା ରୋଜଗାରରେ ଚଳିଯିବି। ଚୁଡ଼ା ଚିନି ମୁଠାଏ ଖାଇଛି। ଆଗକୁ ଲକ୍‌ଡାଉନ୍‌ ବଢ଼ିବ ବୋଲି କହୁଛନ୍ତି। ତେଣୁ ଆଉ ଏଠି ପଡ଼ି କ’ଣ କରିବି ବୋଲି କୁହନ୍ତି ଦେବ। ଗାଁରେ କାମ ମିଳିବ ନାହିଁ। ତଥାପି ସେଠି ମାଗିଯାଚି ଚଳିହେବ। କିନ୍ତୁ ଏଠି ରାଜଧାନୀରେ କାହାକୁ ହାତ ପାତିବେ ନାହିଁ ବୋଲି ସ୍ବାଭିମାନ ଭରା ସ୍ବରରେ ସେ କହିଛନ୍ତି। ତାଙ୍କ ଦୁଃଖ ଏତିକି ଯେ ଆଉ କିଛି ଦିନ ରାଜଧାନୀରେ ରିକ୍ସା ଟାଣି ସେ ବଞ୍ଚି ଯାଇଥାନ୍ତେ। କିନ୍ତୁ କରୋନା ତାହା କରାଇଦେବା ଆଶା ନାହିଁ। କରୋନା ତାଙ୍କ ପେଟକୁ ଲାତ ମାରି ରାଜଧାନୀରୁ ତଡ଼ିବ ବୋଲି ସେ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର