ଭୁବନେଶ୍ବର: ବିଡିଏ କାର୍ଯ୍ୟାଳୟରେ ଜଣେ ସୁରକ୍ଷାକର୍ମୀ କରୋନା ପଜିଟିଭ୍ ବାହାରିବା ପରେ ବିଏମ୍ସି ଓ ବିଡିଏ କାର୍ଯ୍ୟାଳୟରେ ଜୋରଦାର୍ କଟକଣା ଲଗାଯାଇଛି। ଏହି ଦୁଇଟି କାର୍ଯ୍ୟାଳୟକୁ ୧୫ଦିନ ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଆସିବାକୁ ମନା କରାଯାଇଛି। ଯାହାର ବି କିଛି ସମସ୍ୟା ଅଛି ସେମାନେ ୧୯୨୯ ନମ୍ବରରେ ଫୋନ୍ କରି ଜଣାଇବେ। ଯାହାର କିଛି ଆବେଦନ କରିବାର ଅଛି ବା ଟିକସ ପୈଠ କରିବାର ଅଛି ସେମାନେ ଭୁବନେଶ୍ବର.ମି ୱେବସାଇଟ୍କୁ ଯାଇ କରିପାରିବେ ବୋଲି ବିଏମ୍ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ବିଏମ୍ସି କମିସନର କହିଛନ୍ତି ଯେ, କରୋନା ସଂକ୍ରମଣ ବଢ଼ୁଥିବାରୁ ଜୁଲାଇ ମାସଟି ଗୁରୁତ୍ବପୂର୍ଣ୍ଣ। ବିଡିଏରେ ଜଣେ ସୁରକ୍ଷାକର୍ମୀ ପଜିଟିଭ୍ ବାହାରିଛନ୍ତି। ତେଣୁ ବିଡିଏର ଦ୍ବିତୀୟ ମହଲାରେ ଥିବା ପ୍ଲାନିଂ, ଆଲଟମେଣ୍ଟ ଏବଂ ଏଷ୍ଟାବ୍ଲିସମେଣ୍ଟ ବିଭାଗକୁ ସିଲ୍ କରାଯାଇଛି। ଏହି ତିନିଟି ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଘରେ ସଙ୍ଗରୋଧ ରହିବାକୁ କୁହାଯାଇଛି।
ଅପରପକ୍ଷେ ବିଏମ୍ସିକୁ ପ୍ରତିଦିନ ବହୁ ଲୋକ ଆସୁଛନ୍ତି। ଏବେ ସ୍ଥାନୀୟ ସଂକ୍ରମଣ ଅଧିକ ହେଉଥିବାରୁ କାହାକୁ କରୋନା ହୋଇଛି କି ନାହିଁ ଜାଣିବା କଷ୍ଟକର। ତେଣୁ ବିଏମ୍ସି ଓ ବିଡିଏ କାର୍ଯ୍ୟାଳୟକୁ ଜୁନ୍ ୨୯ରୁ ଜୁଲାଇ ୧୩ପର୍ଯ୍ୟନ୍ତ ସର୍ବସାଧାରଣ ଆସିବା ଉପରେ ରୋକ୍ ଲାଗିଛି। ବିଏମ୍ସିରୁ ପୂରା ଭୁବନେଶ୍ବର ଉପରେ ନଜର ରଖାଯାଉଛି। କିପରି ରାଜଧାନୀରେ କରୋନା କଟକଣା ଲାଗୁ ହେବ, କିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଗାଇଡଲାଇନ୍ ପାଳନ ହେବ, କେତେ କରୋନା ଆକ୍ରାନ୍ତ ବାହାରିଲେ, କେଉଁ ଅଞ୍ଚଳକୁ ସିଲ୍ କରାଯିବ ସେନେଇ ପଦକ୍ଷେପ ନେବାକୁ କଣ୍ଟ୍ରୋଲ ରୁମ୍ ହୋଇଛି। ଏଠାରେ ଯଦି କେହି କରୋନା ଆକ୍ରାନ୍ତ ବାହାରିବେ ତେବେ ସବୁ କାମ ଠପ୍ ହୋଇଯିବ। ବିଏମ୍ସି ଓ ବିଡିଏ କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ଏହି ଦୁଇଟି କାର୍ଯ୍ୟାଳୟକୁ ସର୍ବସାଧାରଣ ଆସିବା ଉପରେ ରୋକ୍ ଲାଗିଛି। ରାଜଧାନୀବାସୀଙ୍କ ହିତ ପାଇଁ ଏହିଭଳି ପଦକ୍ଷେପ ନିଆଯାଇଥିବାରୁ ସମସ୍ତେ ଏହାକୁ ସହଯୋଗ କରନ୍ତୁ ବୋଲି ଶ୍ରୀ ଚୌଧରୀ କହିଛନ୍ତି।
ଅପରପକ୍ଷେ ବିଏମ୍ସି ଓ ବିଡିଏରେ ହଠାତ୍ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲାଗିଯିବାରୁ ଆଜି ବହୁ ଲୋକ ବିଭିନ୍ନ କାର୍ଯ୍ୟରେ ଆସି ଫେରିଛନ୍ତି। ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷାକର୍ମୀ ଓ ପୁଲିସ ମୁତୟନ ହୋଇ ଲୋକଙ୍କୁ ଗେଟ୍ ନିକଟରୁ ଫେରାଇ ଦେଇଛନ୍ତି। ଯେଉଁମାନେ ଜରୁରୀ କାମରେ ବିଏମ୍ସି କାର୍ଯ୍ୟାଳୟକୁ ଆସିଥିଲେ ସେମାନେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ ବି କାହାକୁ ଭିତରକୁ ଛଡ଼ାଯାଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fs4hsf87h7s98fh798sfhsfhsfhshffhhf.jpg)