ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ବିଗତ ସାତ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତକୁ ଭଲଭାବରେ ତର୍ଜମା କଲେ ଏହା ଏକ ପ୍ରକାର ସ୍ପଷ୍ଟ ହେବାଭଳି ମନେ ହେଉଛି । କରୋନା ସଂକ୍ରମଣ ପିକ୍ରୁ ତଳକୁ ଖସିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ରଚୌଧୁରୀ ଏହା କହିଛନ୍ତି । ସେ କହିଛନ୍ତି ଯେ, କରୋନା ଭୁବନେଶ୍ୱରରେ ଏବେ ପିକ୍ରେ ନାହିଁ । ଏହା ଫ୍ଲାଟ ସ୍ତରକୁ ଆସିଯାଇଛି ।
ବିଏମସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ପୂର୍ବରୁ ଭୁବନେଶ୍ୱରରେ ଦିନକୁ ୪ ଶହରୁ ୫ଶହ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେଉଥିଲେ । ଏବେ ୩ଶହକୁ ଖସିଆସିଛି । ଆଇସିଏମଆର ଦ୍ୱାରା ବିଶ୍ଲେଷଣ କରାଯାଉଛି ଯେ, ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବ । ବିଶେଷଜ୍ଞଙ୍କ ମତରେ ପିକ୍ରୁ ଫ୍ଲାଟ ଓ ତା’ ପରେ ଡିକ୍ଳାଇନ ହୋଇଥାଏ । ଆଗାମୀ ଦିନରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି କମିବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୯ ହଜାର ୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୫ ହଜାର ୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୩ ହଜାର ୮୦୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୬୯ ଜଣଙ୍କର ପ୍ରାଣହାନୀ ଘଟିଛି ।
ଭୁବନେଶ୍ୱରରେ ଗତ ସେପ୍ଟେମ୍ବର ୧୬ରେ ୩୨୬ ଜଣ, ସେପ୍ଟେମ୍ବର ୧୭ରେ ୩୨୫ ଜଣ, ସେପ୍ଟେମ୍ବର ୧୮ରେ ୩୦୫ ଜଣ, ସେପ୍ଟେମ୍ବର ୧୯ରେ ୩୪୨ ଜଣ, ସେପ୍ଟେମ୍ବର ୨୦ରେ ୩୨୫ ଜଣ ଓ ସେପ୍ଟେମ୍ବର ୨୧ରେ ୩୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।