ଆର୍ଥିକ ସମସ୍ୟା, ଘରୋଇ କଳି, ବେକାରି ମୁଖ୍ୟ କାରଣ
ଛାତ୍ର ଆତ୍ମହତ୍ୟାରେ ଦ୍ବିତୀୟ, ବେକାରିରେ ଚତୁର୍ଥ

Advertisment

ଭୁବନେଶ୍ୱର : ୨୦୨୦ରେ କରୋନା ପ୍ରଥମ ଲହର ସମୟରେ ଉଦ୍‌ବେଗଜନକ ସ୍ଥିତି ଦର୍ଶାଇଥିଲା ଆତ୍ମହତ୍ୟା ରିପୋର୍ଟ। ସେହିଭଳି ଦ୍ବିତୀୟ ଲହର ସ୍ଥିତି ମଧ୍ୟ ସଙ୍ଗିନ ଥିଲା। ରାଜଧାନୀରେ ଆତ୍ମହତ୍ୟା ରିପୋର୍ଟକୁ ଦେଖିଲେ ୨୦୨୦ ଠାରୁ ୨୦୨୧ରେ ୪୮ଟି ଆତ୍ମହତ୍ୟା ଅଧିକ ହୋଇଛି। ଏତେ ସଂଖ୍ୟାରେ ବଢ଼ିବା ଗତ ୫ ବର୍ଷ ଭିତରେ କେବେ ଦେଖିବାକୁ ମିଳି ନ ଥିଲା।

ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆରବି) ତଥ୍ୟ ଅନୁସାରେ, ୨୦୧୯ରେ ୪୫୮୨ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ଥିଲା ୫୫୪୬। ବର୍ଷକ ଭିତରେ ଆତ୍ମହତ୍ୟା ସଂଖ୍ୟା ୯୬୪ ବଢ଼ିଥିଲା। ଯାହା ନିହାତି ଭାବେ ଉଦବେଗଜନକ। ୨୦୨୦ ରିପୋର୍ଟ ଅନୁସାରେ ଛାତ୍ର ଆତ୍ମହତ୍ୟାରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଥିଲା। ମହାରାଷ୍ଟ୍ରରେ ୧୬୪୮ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ଏହା ପଛକୁ ଓଡ଼ିଶା ଦ୍ବିତୀୟରେ ଥିବା ବେଳେ ସଂଖ୍ୟା ଥିଲା ୧୪୬୯। ସେହିପରି ବେକାରି ଆତ୍ମହତ୍ୟାରେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଥିଲା ଓଡ଼ିଶା। ମହାରାଷ୍ଟ୍ର ପ୍ରଥମରେ ରହିଥିବା ବେଳେ ୧୮୪୩, ଏହା ପଛକୁ କେରଳରେ ୧୭୬୯, ତାମିଲନାଡ଼ୁରେ ୧୫୬୬ ଏବଂ ଓଡ଼ିଶାରେ ୧୩୯୮ ମାମଲା ସହ ଚତୁର୍ଥ ସ୍ଥାନରେ ରହିଥିଲା। କରୋନା କାଳରେ ଲୋକଙ୍କ ମାନସିକ ଶାନ୍ତି ବିଗିଡ଼ି ଥିବା ବେଳେ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ବଢ଼ିଥିବା ମନସ୍ତତ୍ତ୍ବବିତ ମତ ଦେଇଛନ୍ତି।

publive-image New Indian Express

୨୦୨୧ରେ ରାଜଧାନୀରେ ବଢ଼ିଛି ୪୮ ମାମଲା, ପୁରୁଷଙ୍କ ହାର ଅଧିକ
ଅକ୍ଟୋବର ୨୩ ତାରିଖରେ ଜଣେ ବି.ଟେକ୍ ଛାତ୍ର ବିନ୍ଦୁ ସାଗରକୁ ଡେଇଁ ଆତ୍ମହତ୍ୟା କରିଥିଲେ। ୨୪ ତାରିଖରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଆର୍ଥିକ ଅନଟନ ଆତ୍ମହତ୍ୟା ପଛର ମୁଖ୍ୟ କାରଣ ବୋଲି ପରିବାର ଲୋକ କହିଥିଲେ। ଛାତ୍ର ଜଣଙ୍କ ମାଙ୍କ ସହ ଭୁବନେଶ୍ବରରେ ରହୁଥିଲେ। ଅର୍ଥାଭାବ ଯୋଗୁ ଘର ଭଡ଼ା କିମ୍ବା କଲେଜ ଫି ଦେଇ ପାରୁ ନ ଥିଲେ ବୋଲି ଅଭିଯୋଗ ହୋଇଥିଲା। ସେହିପରି ଏକାଧିକ ସୋ ରୁମ୍ କର୍ମଚାରୀ, ସେଲସ ମ୍ୟାନ୍, ବେପାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। କରୋନା ଦ୍ବିତୀୟ ଲହରରେ ମାନସିକ ସ୍ଥିତି ଅଧିକ ବିଗିଡ଼ିବାରୁ ଆତ୍ମହତ୍ୟା ସଂଖ୍ୟା ବଢ଼ିଥିବା କୁହାଯାଉଛି। ୨୦୨୦ରେ ରାଜଧାନୀରେ ୨୨୯ଟି ଆତ୍ମହତ୍ୟା ମାମଲା ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବଢ଼ି ୨୭୭ରେ ପହଞ୍ଚିଥିଲା। ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ଥିଲା। ଗତବର୍ଷ ୮୭ ମହିଳା ଓ ୧୯୦ ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ। ପାରିବାରିକ କଳହ ଅନ୍ୟ କାରଣ ବୋଲି ଜଣାପଡ଼ିଥିଲା।

ଜୀବନ ମୂଲ୍ୟବାନ, ଆତ୍ମହତ୍ୟା କରନ୍ତୁ ନାହିଁ: ରାଜ୍ୟ ପୁଲିସ
ରାୟଗଡ଼ା ଜିଲ୍ଲାର ମଝିଗଉରୀ ବ୍ରିଜ୍ ଉପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ବେଳେ ପୁଲିସ ଉଦ୍ଧାର କରିଛି। ରାଜ୍ୟ ପୁଲିସ ପକ୍ଷରୁ ଏହି ଘଟଣାକୁ ଆଜି ଟ୍ବିଟ୍ କରି କୁହାଯାଇଛି ଜୀବନ ଅତି ମୂଲ୍ୟବାନ। ଆତ୍ମହତ୍ୟା ଭଳି ଘୃଣ୍ୟ ପଦକ୍ଷେପ ନେବାରୁ ଦୂରେଇ ରୁହନ୍ତୁ।

publive-image BBC

ବିଗିଡ଼ିଲା ଆର୍ଥିକ ସ୍ଥିତି, ସ୍ବାଧୀନତା ହରାଇଲେ ଲୋକ: ମନସ୍ତତ୍ତ୍ବବିତ
ମନସ୍ତତ୍ତ୍ବବିତ ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ କହିବା ଅନୁସାରେ, କରୋନା ହିଁ ଆତ୍ମହତ୍ୟା ବଢ଼ାଇବାର ପ୍ରମୁଖ କାରଣ ବୋଲି ଜଣାପଡ଼ିଥିଲା। ଲୋକମାନେ ଘରେ ରହିଲେ। କୁଆଡ଼େ ଯାଇ ପାରିଲେ ନାହିଁ, ବନ୍ଧୁ, ସାଙ୍ଗସାଥୀ ଓ ଦୂର ସମ୍ପର୍କୀୟଙ୍କ ସହ ମିଶି ପାରିଲେ ନାହିଁ। ଯାହା ଫଳରେ ସେମାନଙ୍କର ସ୍ବାଧୀନତାରେ ଆଞ୍ଚ ଆସିଲା। ସେହିପରି ବହୁ ଲୋକ ଚାକିରି ହରାଇଲେ, ଦରମା କଟିଲା, ବେପାର ବୁଡ଼ିଗଲା। ଲୋକ ଆର୍ଥିକ ସମସ୍ୟା ଦେଇ ଗତି କଲେ। ପାରିବାରିକ କଳହ ମଧ୍ୟ ଉଗ୍ରରୂପ ନେଇଥିଲା। ଆତ୍ମହତ୍ୟା ବଢ଼ିବା ପଛରେ ଏହି ସବୁ କାରଣ ଜଣାପଡ଼ିଛି। ଯଦି କେହି ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି ଏହା ପୂର୍ବରୁ ସେମାନେ ଥରୁଟିଏ ପରିବାର ଲୋକ, କିମ୍ବା ସାଙ୍ଗସାଥୀ, ସମ୍ପର୍କୀୟ, ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯଦି ସେମାନଙ୍କ ସହ କୌଣସି କାରଣରୁ କଥା ହୋଇ ପାରୁ ନାହାନ୍ତି ତାହେଲେ ଇଣ୍ଡିଆନ୍ ସାଇକ୍ରାଟିକ୍ ସୋସାଇଟିର ଟୋଲ୍ ଫ୍ରି ନମ୍ବର-୧୮୦୦୫୩୨୦୮୦୭କୁ କଲ୍ କଲେ ହୁଏତ ସମାଧାନ ହୋଇପାରେ ବୋଲି ସେ କହିଛନ୍ତି। ରାତି ୮ଟାରୁ ୨ଟା ପର୍ଯ୍ୟନ୍ତ ଏହି ହେଲପ୍ ଲାଇନ୍ ଖୋଲା ରହୁଛି।