ଭୁବନେଶ୍ବର : ମହାମାରୀ କରୋନା ପିଲାଙ୍କ ପାଠପଢ଼ା ଖାଇଗଲା। ୨ ବର୍ଷ ହେଲା ପିଲାଙ୍କ ପାଠପଢ଼ା ନାହିଁ। କାମଚଳାରେ ଚାଲିଛି ଅନ୍ଲାଇନ୍ ପାଠପଢ଼ା। କେବଳ ପାଠପଢ଼ା ନୁହେଁ, ଏହି ମହାମାରୀ ବିଦ୍ୟାଳୟ ପରିବେଶ ଉପରେ ବି ପ୍ରଭାବ ପକାଇଛି। ବହୁ ବିଦ୍ୟାଳୟର ପୂରା ପରିବେଶକୁ ବି ଧ୍ବସ୍ତବିଧ୍ବସ୍ତ କରିପକାଇଛି। ୨ ବର୍ଷ ହେଲା ବନ୍ଦ ପଡ଼ିଥିବା ସ୍କୁଲଗୁଡ଼ିକର ପରିବେଶ ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତି କେହି ନଜର ଦେଇନଥିବାରୁ ଶ୍ରେଣୀଗୃହରୁ ଆରମ୍ଭ କରି ବଗିଚା, ଶୌଚାଳୟ ଓ ଖେଳପଡ଼ିଆ ସବୁ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି। ଖୋଦ୍ ରାଜଧାନୀରେ ବହୁ ବିଦ୍ୟାଳୟର ଅବସ୍ଥା ଏମିତି। ରାଜଧାନୀର କେନ୍ଦ୍ରସ୍ଥଳସ୍ଥ ୟୁନିଟ୍-୨ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଏହାର ନଗ୍ନ ନମୁନା। ମଧ୍ୟାହ୍ନ ଭୋଜନ ଗୃହ, ଶୌଚାଳୟ, ବଗିଚାରେ ଲାଗିଥିବା ଖସଡ଼ି ଆଦି ସବୁ ନଷ୍ଟ ହୋଇଗଲାଣି। ପୂରା ପରିବେଶ ବଣଜଙ୍ଗଲ ଭଳି ହୋଇପଡ଼ିଛି।
ବିଦ୍ୟାଳୟକୁ ଉପରୁ ଦେଖିଲେ ପୂରା ଚିକ୍କଣ ଦେଖାଯାଉଛି। ବିଦ୍ୟାଳୟ କୋଠାକୁ ବାଦ୍ ଦେଲେ ଭିତରେ ସବୁ ଅଙ୍ଗାର ପାଲଟିଯାଇଛି। ପିଲାଙ୍କ ପାଇଁ ସ୍ବତନ୍ତ୍ର ଭାବେ ନିର୍ମାଣ ହୋଇଥିବା ୨ଟି ଯାକ ଶୌଚାଳୟ ଭିତରେ କିଛି ଜିନିଷ ଭଲ ଅବସ୍ଥାରେ ନାହିଁ। ବେସିନ୍ ଓ ପାଣି ଟ୍ୟାପ୍ ଭାଙ୍ଗିଯାଇଛି। ପାଇଖାନ ପ୍ୟାନ୍ ଭିତରେ ବୋତଲ, ପଲିଥିନ୍ ଆଦି ଭର୍ତ୍ତି ହୋଇରହିଛି। ଦେଖିଲେ ଲାଗୁଛି, ବର୍ଷ ବର୍ଷ ଧରି ଏହା ଅବ୍ୟବହୃତ ହୋଇ ରହିଛି। ସେହପରି ସାଧାରଣ ପରିସ୍ରାଗାର ଭିତରେ ଘାସଲତା ମାଡ଼ିଗଲାଣି। ଚଟାଣ ଦେଖାଯାଉନାହିଁ। ଭିତରେ ଗୋଡ଼ ପକାଇବାକୁ ଘୃଣା ଲାଗିବ। ପିଲାଙ୍କ ଖେଳ ପାଇଁ ଥିବା ସମ୍ମୁଖ ବଗିଚାରେ ଥିବା ଖସଡ଼ିରେ ଶିଉଳି ଲାଗିଗଲାଣି ଏବଂ ତା ଉପରେ ବଣୁଆଲତା ମାଡ଼ିଗଲାଣି। ମଧ୍ୟାହ୍ନ ଭୋଜନ ଗୃହର ସିଲିଂରୁ ପ୍ଲାଷ୍ଟର ଛାଡ଼ିଗଲାଣି। ଭିତର ସାରା ଧୂଳିଅଳନ୍ଦୁ ଭର୍ତ୍ତି ହୋଇରହିଛି। ବହୁ ଶ୍ରେଣୀଗୃହର କବାଟରେ ଉଇ ଲାଗିଗଲାଣି। କିଛି ଶ୍ରେଣୀଗୃହ ଭିତରକୁ ଘାସଲତା ମାଡ଼ିଗଲାଣି। ତେଣୁ ବିଦ୍ୟାଳୟ ଭିତରକୁ ପଶିଗଲେ, ଏହା ବହୁ ବର୍ଷର କୌଣସି ପରିତ୍ୟକ୍ତ କୋଠା ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି।
ଜାନୁଆରି ୩ରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇସାରିଥିଲା। ମାତ୍ର ପୁଣି ଓମିକ୍ରନ୍ ଭୟ ଏଥିରେ ପ୍ରତିବନ୍ଧକ ସାଜିଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ସ୍କୁଲ୍ ଖୋଲିଥାନ୍ତା, ପିଲାମାନେ କି ପ୍ରକାର ପରିବେଶରେ ପଢ଼ିଥାଆନ୍ତେ? ବଡ଼ କଥା ହେଉଛି କରୋନା ପାଇଁ ପିଲାଙ୍କ ପାଇଁ ବିଦ୍ୟାଳୟ ବନ୍ଦ ଥିଲେ ବି ଶିକ୍ଷକମାନେ ବିଦ୍ୟାଳୟକୁ ବିଭିନ୍ନ କାମରେ ଆସୁଥିଲେ। ଅଥଚ ବିଦ୍ୟାଳୟ ପରିବେଶ ଏମିତି ନଷ୍ଟ ହେଲା କେମିତି? ଏବାବଦରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଫନି ବାତ୍ୟା ପରଠାରୁ ବିଦ୍ୟାଳୟର ଏପରି ଅବସ୍ଥା ହୋଇଛି। କରୋନା ପାଇଁ ମରାମତି କାର୍ଯ୍ୟ ହୋଇପାରିନାହିଁ। ଶୌଚାଳୟ ମରାମତି କରିବା ପାଇଁ ପିଏଚ୍ଡି ବିଭାଗକୁ ଜଣାଇ ଦିଆଯାଇଛି। ପାଚେରି ନଥିବାରୁ ରାତିରେ ଅସାମାଜିକ ତତ୍ତ୍ବମାନେ ବିଦ୍ୟାଳୟ ଭିତରେ ଆଡ଼ା ଜମାଉଛନ୍ତି। ଫଳରେ ପରିବେଶ ଅଧିକ କ୍ଷତିଗ୍ରସ୍ତ ହୋଇପଡ଼ୁଛି ବୋଲି ବିଦ୍ୟାଳୟ ପରିଚାଳନା କମିଟିର ଜଣେ ସଦସ୍ୟ କହିଛନ୍ତି।