କରୋନା ହଜେଇଦେଲା ସୃଜନଶୀଳତା : ତୂଳୀ ଧରୁଥିବା ହାତରେ କୋଦାଳ

ଭୁବନେଶ୍ୱର : ମହାମାରୀ କରୋନା ଜୀବିକା ଉଜାଡ଼ିବା ପରେ ଜୀବନକୁ ବିପର୍ଯ୍ୟସ୍ତ କରିପକାଇଛି। ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଲୋକେ କେବଳ ଯେ ରୋଜଗାର ହରାଇଛନ୍ତି, ତା ନୁହେଁ, ବରଂ କରୋନା ଯୋଗୁଁ ହଜିଗଲାଣି ସୃଜନଶୀଳତା। ତୂଳୀ ଧରୁଥିବା ହାତ ଏବେ ପେଟ ପାଇଁ କୋଦାଳ ଧରି ଗାଁ ବିଲରେ ଖଟୁଛି। ୬ ମାସର ଦୁର୍ବିସହ ଜୀବନଯାପନ ଦ୍ବାରା ଶିଳ୍ପୀ ଭିତରର ସୃଜନଶୀଳତା ମରି ଗଲାଣି। ହସ୍ତଶିଳ୍ପରୁ ହଜାର ହଜାର ଟଙ୍କା ରୋଜଗାର କରୁଥିବା ଶିଳ୍ପୀ ଏବେ ମାତ୍ର କେଇ ଶହ ଟଙ୍କା ପାଇଁ ଗାଁରେ ସଂଘର୍ଷ କରୁଛି।

ଓଡ଼ିଆ ଶିଳ୍ପୀ ପ୍ରସ୍ତୁତ ପାରମ୍ପରିକ ଚିତ୍ର, ଦେବଦେବୀଙ୍କ ଛବି ଓ ମଧୁବନୀ ଚିତ୍ରର ଚାରିପଟେ ତାଳପତ୍ର ଓ ବାଉଁଶ କାଠିରେ ତିଆରି ସୂକ୍ଷ୍ମ କାରିଗରୀର ଫ୍ରେମ୍ ରାଜ୍ୟରେ, ରାଜ୍ୟ ବାହାରେ ଓ ଦେଶବିଦେଶରେ ବେଶ୍ ସୁନାମ ଅର୍ଜନ କରିଛି। ଘାସ ଓ ତାଳପତ୍ରରେ ପାରମ୍ପରିକ ଶୈଳୀରେ ନିର୍ମିତ ବାହାଘର, ବ୍ରତଘର ଆଦିର ନିମନ୍ତ୍ରଣ ପତ୍ର, ଘର ସାଜ୍ଜସଜା ପାଇଁ ବିଭିନ୍ନ ଉପକରଣର ବଜାର ଚାହିଦା ମଧ୍ୟ ବେଶ ବହୁତ। ଏହି ନିଆରା ହସ୍ତଶିଳ୍ପ କାରିଗରୀକୁ ନେବା ପାଇଁ ପୁରୀ ରଘୁରାଜପୁରଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲୋକେ କିଣନ୍ତି। ମାତ୍ର ଏବେ ଏହି ସ୍କ୍ରିନେକ୍ସ କ୍ରାଫ୍ଟ ହସ୍ତଶିଳ୍ପୀମାନଙ୍କ ଜୀବିକା ବଡ଼ ଦୟନୀୟ ଓ ଦୁର୍ଦ୍ଦଶାରେ ଗତି କରୁଛି। କରୋନା ପାଇଁ ଏହି ଅଭିନବ ହସ୍ତଶିଳ୍ପୀଙ୍କ ବ୍ୟବସାୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଅନେକ ସୃଜନଶୀଳ ହସ୍ତଶିଳ୍ପୀମାନେ ଜୀବିକା ହରାଇଛନ୍ତି। ପେଟ ପାଇଁ ରାଜଧାନୀ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଗାଁରେ କୋଦାଳ ଧରି ବିଲରେ ମୂଲ ଲାଗିବା ଆରମ୍ଭ କରିଛନ୍ତି। ସ୍ବଳ୍ପ ରୋଜଗାର ସେମାନଙ୍କ ବଞ୍ଚିବା ଶୈଳୀକୁ ବଦଳାଇ ଦେଇଛି। ବଡ଼ କଷ୍ଟରେ ସେମାନେ ବଞ୍ଚିଥିବା ଜଣାପଡ଼ିଛି। ତେବେ ସବୁଠୁ ପରିତାପର ବିଷୟ ହେଉଛି, ଯେଉଁ ସୃଜନଶୀଳ ହସ୍ତଶିଳ୍ପ ଦିନେ ସେମାନଙ୍କ ପାଇଁ ବଞ୍ଚିବାର ମାର୍ଗ ସାଜିଥିଲା, ତାହା କରୋନା ସଂକଟ ପାଇଁ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ପୂର୍ବରୁ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଯେଉଁ ଆଗ୍ରହ ସୃଷ୍ଟି ହେଉଥିଲା, ତା ଆଉ ପରିଲକ୍ଷିତ ହେଉନାହିଁ। ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଆଗମନ ବନ୍ଦ ହୋଇଯାଇଥିବାବେଳେ ବିଭିନ୍ନ ପ୍ରଦର୍ଶନୀ ଓ ମେଳା ଆଦି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଫଳରେ ବେପାର ପୂରା ଠପ୍ ହୋଇଯାଇଛି। ଯେଉଁଠି ମାସକୁ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହେଉଥିଲା, ଏବେ ସେଠାରେ ମାସିକ ୫ହଜାର ଟଙ୍କାର ବେପାର ହେଉନି।

ସ୍କ୍ରିନେକ୍ସ କ୍ରାଫ୍ଟ ଗ୍ରୁପ୍‌ର ମୁଖ୍ୟ ଶିଳ୍ପୀ ସରୋଜ ରଥଙ୍କ କହିବାନୁଯାୟୀ, ଦୀର୍ଘ ୩୫ ବର୍ଷର ହସ୍ତଶିଳ୍ପ ବ୍ୟବସାୟରେ ସେ କେବେ ଏଭଳି ଦୁଃସ୍ଥିତି ଦେଖିନଥିଲେ। ତାଙ୍କ ହସ୍ତଶିଳ୍ପ ଗ୍ରୁପ୍‌ରେ ୬୦ରୁ ଊର୍ଦ୍ଧ୍ବ ମହିଳା କାମ କରୁଥିଲେ। ମାତ୍ର କରୋନା ପ୍ରଭାବରେ ‌ବ୍ୟବସାୟ କ୍ରମଶଃ ମାନ୍ଦା ହୋଇପଡ଼ିଲା। କରୋନା କଟକଣାର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ସବୁ କାରିଗରଙ୍କୁ ଅଧା ଟଙ୍କାର ପାରିଶ୍ରମିକ ଦିଆଯାଇଥିଲା। ମାତ୍ର ବ୍ୟବସାୟ ପୁରା ମାନ୍ଦା ହୋଇଯିବା ପରେ ଏବେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ କାମରୁ ବିରତ ରଖିବାକୁ ପଡ଼ିଲା ବୋଲି ସେ କହିଛନ୍ତି। ଖାଲି ବ୍ୟବସାୟ ବଞ୍ଚେଇବା ତଥା ଛୋଟ ମୋଟ ବରାଦ ପାଇଁ ହାତଗଣତି ୫ ରୁ ୬ଜଣ ମହିଳା ଏବେ କାମ କରିବାକୁ ଆସୁଛନ୍ତି। ତାଙ୍କ ଗ୍ରୁପ୍‌ର ଅନେକ କାରିଗର ଗାଁକୁ ଚାଲି ଯାଇଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ସରକାରଙ୍କ ଉତ୍କଳିକା ସଂସ୍ଥା ମଧ୍ୟ ତାଙ୍କ ପାଖରୁ ହସ୍ତଶିଳ୍ପ ସାମଗ୍ରୀ ନେଇ ବିକ୍ରି କରେ। କିନ୍ତୁ କରୋନା ପାଇଁ ଉତ୍କଳିକା ବନ୍ଦ ଥିବାରୁ ସେପଟୁ ଆୟ ମଧ୍ୟ ହ୍ରାସ ପା‌ଇଛି। ତେଣୁ ଏବେ ସରକାରୀ ପ୍ରୋତ୍ସାହନ କିମ୍ବା ଏହି କାରିଗରୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଗଲେ ଶିଳ୍ପୀମାନଙ୍କ ଅବସ୍ଥାରେ ସୁଧାର ଆସିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର