ପାନ ଚାଷୀଙ୍କ ମୁଣ୍ଡରେ କରୋନା ଚଡ଼କ : ଚାଲାଣ ବନ୍ଦ, ଦୈନିକ ଲକ୍ଷାଧିକ ଟଙ୍କାର ପାନ ନଷ୍ଟ

ବାଲିଅନ୍ତା : ବାଲିଅନ୍ତ ସମେତ ପାଖ ବ୍ଲକ ଅଞ୍ଚଳରେ ପାନ ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। କରୋନା ମାଡ଼ରେ ପାନ ଚାଷୀଙ୍କ ଭାତହାଣ୍ଡି ଉଜୁଡ଼ି ଯାଇଛି। ପାନ ଚାଷୀଙ୍କ ଆର୍ଥିକ ପରିସ୍ଥିତି ବିଗିଡ଼ି ଯିବା ଫଳରେ ଏବେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ପାନ ବରଜର ରକ୍ଷଣାବେକ୍ଷଣ କରିବା ମଧ୍ୟ ସମ୍ଭବ ହେଉନାହିଁ। କ୍ଷେତ ଶ୍ରମିକମାନଙ୍କୁ ମଜୁରି ଦେଇ ହେଉନାହିଁ। ଯେତିକି ପରିମାଣର ପାନ ଉତ୍ପାଦନ ହେଉଛି ସ୍ଥାନୀୟ ବଜାର ଓ ଦୈନିକ ହାଟରେ ବିକା ଯାଇ ପାରୁନି। ବାହାର ପାନ ବ୍ୟବସାୟୀମାନେ ଗାଁ ଭିତରକୁ ଆସିପାରୁ ନାହାନ୍ତି। କିମ୍ବା ଗାଁ ଭିତରୁ ପାନ ଅନ୍ୟ ଅଞ୍ଚଳକୁ ଚାଲାଣ ହୋଇପାରୁ ନାହିଁ। ସବୁଠୁ ବଡ଼ କଥା ହେଉଛି, ଲକ୍‌ଡାଉନ ଯୋଗୁଁ ଜିଲ୍ଲା ତଥା ରାଜ୍ୟ ବାହାରକୁ ପାନ ଚାଲାଣ ବନ୍ଦ ହୋଇଯାଇଛି। ଗୃହବନ୍ଦୀ ହୋଇ ପାନ ବ୍ୟବସାୟୀମାନେ ହାତ ବାନ୍ଧି ବସିଛନ୍ତି। ଛକ ବଜାର ତଥା ଗାଁ ଗହଳି ଭିତରେ ଥିବା ପାନ ଦୋକାନ ମଧ୍ୟ ବନ୍ଦ ରହିଛି। ଫଳରେ ଏହି ବ୍ୟବସାୟ ପ୍ରଭାବିତ ହେବା ସହ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ପୂରା ଦୋହଲିଯାଇଛି।

ସୂଚନାନୁସାରେ ଉକ୍ତ ବ୍ଲକ ଜୟଦେବ ପଞ୍ଚାୟତ ଅଧୀନ ସାହେବନଗର ଓ ମହୁଖଣ୍ଡାରେ ବିଶେଷ କରି ପାନ ଚାଷ ହୋଇଛି। ଶ୍ରୀଧର ଗୋଚ୍ଛାୟତ, ମହେନ୍ଦ୍ର ଗୋଚ୍ଛାୟତ, ଶେଖ୍ ଆୟୁବ, ଶେଖ ହବି, ଶେଖ ସୟଦ, କପିଳେନ୍ଦ୍ର ଜେନା, ପ୍ରକାଶ ମଲ୍ଲିକ, ଉପେନ୍ଦ୍ର ଜେନାମଣି, ବୁଲେଇ ମଲ୍ଲିକ ଓ ଶେଖ୍ ରିୟାଜଦ୍ ଅଲ୍ଲୀ ଖାଁ ପ୍ରମୁଖ ପାନ ଚାଷ କରିଛନ୍ତି। ସେମାନଙ୍କ କହିବାନୁଯାୟୀ ପ୍ରତି ସପ୍ତାହକୁ ଦୁଇଟି ହାଟପାଳିରେ ପାନ ତୋଳାଯାଇଥାଏ। ଏବେ ଗଛ ସାରା ପାନ ଭର୍ତି ହୋଇରହିଛି। ନିୟମିତ ଭାବରେ ତୋଳା ନହେବାରୁ ପାକଳ ହୋଇଗଲାଣି। ମୂଳରେ ପତ୍ର ପାଚି ଗଲାଣି। ଗଛରୁ ତୋଳିଲେ ବିକ୍ରି ହୋଇନପାରି ଘରେ ପଚି ଯାଉଛି। ଏବର୍ଷ ଚାଷ ଭଲ ହୋଇଥିବାରୁ ରୋଜଗାର ବଢ଼ିବ ବୋଲି ଆଶା କରିଥିଲୁ। ହେଲେ କରୋନା ମାଡ଼ରେ ଆମର ସବୁ ସ୍ବପ୍ନ ଧୂଳିସାତ୍ ହୋଇଗଲା ବୋଲି ସେମାନେ କହିଛନ୍ତି।

ଲ୍ଲେଖଯୋଗ୍ୟ ବାଲିଅନ୍ତା ତଥା ଉପକଣ୍ଠ ଅଞ୍ଚଳରୁ ପାନ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟକୁ ପଠାଯିବା ନେଇ ସଂପୃକ୍ତ ଚାଷୀମାନେ ସୂଚନା ପ୍ରଦାନ କରିଛନ୍ତି। ଏଦିଗରେ ପ୍ରଶାସନ ଓ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର