ସବୁଠି କରୋନା ମାଡ଼: ବିଏମ୍‌ସିର ରାଜସ୍ବ ଆଦାୟ ୮୦କୋଟି ଟପିବନି, ଟାର୍ଗେଟ୍‌ଠାରୁ ୭୦କୋଟି କମିବ

ମାର୍ଚ୍ଚରେ ଆଦାୟ ହୁଏ ୬୦ରୁ ୭୦କୋଟି, ଏଥର ହୋଇଛି ୧୮କୋଟି ଟାର୍ଗେଟରୁ ୭୦କୋଟି କମିବ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ୧୫୦ କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍ ରଖିଥିଲା। ହେଲେ ଗୋଟିଏ ଆର୍ଥିକ ବର୍ଷରେ ଦୁଇ ଦୁଇଟି ବିପର୍ଯ୍ୟୟ ବିଏମ୍‌ସି ପାଇଁ ଧାର୍ଯ୍ୟ ରାଜସ୍ବ ଆଦାୟ ଚିନ୍ତା ବଢ଼ାଇ ଦେଇଛି। ମେ ମାସରେ ବାତ୍ୟା ଫନି ଯୋଗୁଁ ଦୁଇ ମାସ ଯାଏ ରାଜସ୍ବ ଆଦାୟ ହୋଇପାରିଲାନି। ଆଉ ଏବେ କରୋନା ମୁକାବିଲାରେ ବିଏମ୍‌ସିର ସବୁ କର୍ମଚାରୀ ଓ ଅଧିକାରୀ ନି‌େ‌ୟାଜିତ ଥିବାରୁ ରାଜସ୍ବ ଆଦ‌ାୟ ଏକରକମ ଠପ୍ ହୋଇଯାଇଛି। ଆର୍ଥିକ ବର୍ଷ ସରିବାକୁ ଆଉ ୪ଦିନ ଥିବା ବେଳେ ବର୍ତ୍ତମାନର ସ୍ଥିତି ଯାହା ବିଏମ୍‌ସି ରାଜସ୍ବ ଆଦାୟ ୮୦ କୋଟି ଛୁଇଁବା ବି କଷ୍ଟକର ହୋଇଯିବ। କେବଳ ଦୁଇଟି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ବିଏମ୍‌ସିର ରାଜସ୍ବ ଆଦାୟ କମୁଛି ତାହା ନୁହେଁ। ହୋଲଡିଂ ଟିକସ ଆଦାୟ ନିୟମ ସଂଶୋଧନ ହେବାରୁ ନୂଆ ନିୟମ ଲାଗୁ ହେବ କି ନାହିଁ ସେନେଇ ଦ୍ବନ୍ଦ୍ବ ଉପୁଜିବାରୁ ଏବଂ ୱାର୍ଡ ଅଫିସରଙ୍କ ଦ୍ବାରା ଅନଲାଇନରେ ଡାଟା ପ୍ରସ୍ତୁତ କରିବା, ଆର୍ଥିକ ବର୍ଷ ଆରମ୍ଭରୁ ଦୁଇ ଜଣ କମିସନର ବଦଳିବା, ବିଏମ୍‌ସିରେ ନିର୍ବାଚିତ ପ୍ରତିନିଧି ନ ରହିବା ଯୋଗୁ ୱାର୍ଡ ଅଫିସରଙ୍କ ଉପରେ ଅଧିକ ଚାପ ପଡ଼ିବା ଭଳି କାରଣ ଯୋଗୁଁ ଏଥର ବିଏମ୍‌ସି ଟାର୍ଗେଟ୍ଠାରୁ ପ୍ରାୟ ୭୦କୋଟି ରାଜସ୍ବ କମିବ। ଏପରିକି ୨୦୧୭-୧୮ରେ ବିଏମ୍‌ସି ୧୩୫ କୋଟି ରାଜସ୍ବ ଆଦାୟ କରିବା ପରେ ୨୦୧୮-୧୯ରେ ୧୦୧ କୋଟି ରାଜସ୍ବ ଆଦାୟ କରିଥିଲା। ତେଣୁ ୨୦୧୯-୨୦ରେ ୧୫୦ କୋଟି ଟାର୍ଗେଟ୍ ଛୁଇଁବ ବୋଲି ଟାର୍ଗେଟ୍ କରାଯାଇଥିଲା। ହେଲେ ଏଥର ବି ପୂର୍ବବର୍ଷର ୧୦୧ କୋଟି ଛୁଇଁବା ଅସମ୍ଭବ ହୋଇପଡ଼ିଛି। ଯଦି ଆର୍ଥିକ ବର୍ଷ ଅବଧି ବଢ଼େ, ‌ତେବେ ବିଏମ୍‌ସି ୧୦୦କୋଟି ଅତିକ୍ରମ କରିପାରେ। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମର ହୋଲଡିଂ ଟିକସ ମୁଖ୍ୟ ଆୟ ହୋଇଥାଏ। ଏଥିରୁ ପ୍ରାୟ ୬୦କୋଟି ପାଇବୁ ବୋଲି ଟାର୍ଗେଟ୍ ରଖିଥିଲୁ। ହେଲେ ବର୍ତ୍ତମାନ ସୁଦ୍ଧା ୨୯କୋଟି ଆଦାୟ ହୋଇଛି। ଏତେ କମ୍‌ ସମୟରେ ୩୦କୋଟି ଛୁଇଁବ କି ନାହିଁ ସନ୍ଦେହ। ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି ଯେ ଆମର ପ୍ରତିବର୍ଷ ମାର୍ଚ୍ଚ ମାସରେ ମୋଟ୍ ରାଜସ୍ବର ଅଧା ଆଦାୟ ହୁଏ।

ଅର୍ଥାତ୍‌ ପ୍ରାୟ ୬୦ରୁ ୭୦କୋଟି ରାଜସ୍ବ ଆଦାୟ ହୁଏ। ହେଲେ ଏଥର ମାତ୍ର ୧୮କୋଟି ଆଦାୟ ହୋଇଛି। କରୋନା ମୁକାବିଲା ପାଇଁ ସବୁ ଅଧିକାରୀ ନିୟୋଜିତ ହୋଇଥିବାରୁ କେହି ରାଜସ୍ବ ଆଦାୟକୁ ଧ୍ୟାନ ଦେଇ ପାରୁ ନାହାନ୍ତି। ବିଏମ୍‌ସି ପାଇଁ ଲୋକଙ୍କୁ ସେବା ଯୋଗାଇବା ଆଗ କର୍ତ୍ତବ୍ୟ ହୋଇଥିବାରୁ ଆମେ ଲୋକଙ୍କ କାମ କରୁଛୁ। ଯେଉଁମାନେ ଚଳିତବର୍ଷ ଟିକସ ଦେଉନାହାନ୍ତି ସେମାନେ ଆସନ୍ତା ଆର୍ଥିକ ବର୍ଷରେ ଦେବେ। କାହାକୁ ଛାଡ଼ ହେବନି। ତେଣୁ ଏଥର ଲୋକ ସ୍ବତଃସ୍ଫୂର୍ତ୍ତ ଦେଇଦେଲେ ଭଲ। ବର୍ତ୍ତମାନର ପରିସ୍ଥିତିରେ ଲୋକଙ୍କ ଘରକୁ କେହି କର୍ମଚାରୀ ଗଲେ ସେମାନେ କଥା ହେଉନାହାନ୍ତି। ଏପରିକି ଅନେକ କର୍ମଚାରୀ ଯିବାକୁ ରାଜି ବି ହେଉନାହାନ୍ତି। ହୋଲଡିଂ ଟିକସ ଆଦାୟ ପାଇଁ ନିୟୋଜିତ ହୋଇଥିବା କିନ୍ନର ଗୋଷ୍ଠୀ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ବି ଯାଉନାହାନ୍ତି। ସମସ୍ତଙ୍କୁ କରୋନା ଭୟ ଘାରିଛି। ଯେଉଁମାନେ ହୋଲଡିଂ ଟିକସ ନଦେବେ ତାଙ୍କର ପାଣି ଓ ବିଦ୍ୟୁତ୍‌ ସଂଯୋଗ କଟାଯିବ ବୋଲି ଆମେ ନିର୍ଦ୍ଦେଶନାମା ଦେଇଥିଲୁ। କିଛି ଲୋକଙ୍କର ପାଣି ସଂଯୋଗ ବି କାଟିଥିଲୁ। କିନ୍ତୁ ଯେତେବେଳେ ଲକ୍‌ଡାଉନ୍ ଘୋଷଣା ହେଲା ଆମେ ପୁଣି ଯାଇ ପାଣି ସଂଯୋଗ ଦେଇଦେଲୁ। ଗିରଫ ପରୱାନା କରିବୁ ବୋଲି ନୋଟିସ୍ ଦେଇଥିଲୁ। ହେଲେ ବର୍ତ୍ତମାନ ସ୍ଥିତିରେ ଅମାନବୀୟ କାମ ନ କରି ରହିଯାଇଛୁ। ଲୋକମାନେ ଯଦି ଟିକସ ନ ଦେବେ ତେବେ ଆମେ ଆଉ କ’ଣ କରିପାରିବୁ। ଯେଉଁମାନେ ହୋଲଡିଂ ଟିକସ ଦେବାକୁ ଚାହିବେ, ସେମାନେ ଅନ୍‌ଲାଇନରେ ବି ଟିକସ ଦେଇପାରିବେ। ସେହିପରି ଏଥର ବିଭିନ୍ନ ସରକାରୀ ସଂସ୍ଥାରୁ ୫୦କୋଟି ହୋଲଡିଂ ଟିକସ ବାବଦକୁ ଆଦାୟ ହେବାର ଥିଲା। କିନ୍ତୁ କରୋନା ପାଇଁ ବିଭିନ୍ନ କାର୍ଯ୍ୟାଳୟ ଛୁଟି ହୋଇଯିବା ପରେ ଯେଉଁ ବିଭାଗରୁ ଆମେ ଟଙ୍କା ପାଇବୁ ସେଠାରେ ଫାଇଲ୍‌ ପ୍ରୋସେସିଂ କରିବାକୁ କେହି ନାହାନ୍ତି। ଯେଉଁଥିପାଇଁ ବିଏମ୍‌ସି ଏଥର ୫୦କୋଟି ରାଜସ୍ବ ଏ ବାବଦକୁ ପାଇବନି। ଏହାବାଦ୍ ବହୁ ପାର୍କିଂ ସ୍ଥାନର ଟେଣ୍ଡର ହୋଇନି । ଯେଉଁଠୁ ବିଏମ୍‌ସି ବର୍ଷକୁ ୭ରୁ ୮କୋଟି ପାଏ। କିନ୍ତୁ ସେ ବାବଦକୁ ମ‌ାତ୍ର ୧.୨୫କୋଟି ପାଇଛି। ବିଜ୍ଞାପନ ବାବଦକୁ ପ୍ରାୟ ୧୫ କୋଟି ମିଳୁଥିବା ବେଳେ ଏଥର ୮କୋଟି ମିଳିଛି। ଟ୍ରେଡ୍ ଲାଇସେନ୍‌ସ ବାବଦକୁ ୩କୋଟି, ମାର୍କେଟରୁ ୪କୋଟି, ଅନ୍ୟାନ୍ୟ ଆୟ ବାବଦକୁ ପ୍ରାୟ ୩୦ କୋଟି ଟଙ୍କା ଆଦାୟ  ହୋଇଛି।

ସୂଚନାଯୋଗ୍ୟ, ବିଏମ୍‌ସି କର୍ତ୍ତୃପକ୍ଷ ଏଥର ହୋଲଡିଂ ଟିକସ ବାବଦକୁ ୬୦ କୋଟି, ଟ୍ରେଡ୍ ଲାଇସସେନ୍ସ ବାବଦକୁ ୭କୋଟି, ବିଜ୍ଞାପନ ବାବଦକୁ ୧୫କୋଟି, ନିଜସ୍ବ ସମ୍ପତ୍ତି ଭଡ଼ା ବାବଦକୁ ୬କୋଟି, ଅନ୍ୟାନ୍ୟ ରାଜସ୍ବ ବାବଦକୁ ୬୨କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍‌ ରଖିଛନ୍ତି।

ସମ୍ବନ୍ଧିତ ଖବର