ଏମିତି ଚାଲିଛି ସଂସାର : ଲୁଣ ଥିଲେ ତେଲ ନାହିଁ
ଦରଦାମ୍ ଉପରେ ନିୟନ୍ତ୍ରଣ ନାହିଁ, ନେତାଙ୍କ ପାଇଁ ପ୍ରସଙ୍ଗ ନୁହେଁ ଗୁରୁତ୍ବପୂର୍ଣ୍ଣ!
ଭୁବନେଶ୍ୱର : ଦରମା ଥିଲା ମାସକୁ ୧୨ହଜାର। କରୋନା ଯୋଗୁଁ ମିଳୁଛି ୬ହଜାର। ଗାଡ଼ି କିସ୍ତି ଦେଇପାରୁନି କି ବୀମା ଦେୟ ଭରିପାରୁନାହିଁ। ଘର ଭଡ଼ାରେ ଯାଉଛି ୩ହଜାର। ପୁଅର ହରଲିକ୍ସ, କ୍ଷୀର ବନ୍ଦ କରିଦେଇଛି। ଡାଲି ଖାଇବା ଛାଡ଼ି ଦେଇଛି। ଆଳୁ ପିଆଜ କଥା ଭାବିବା ବେଳକୁ ମନ ବଳୁନାହିଁ। ଗୋଟେ ପଟେ କରୋନା ଦାଉରେ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଅନ୍ୟ ପାର୍ଶ୍ବରେ ଅତ୍ୟାବଶ୍ୟକ ଖାଦ୍ୟର ଅହେତୁକ ଦରଦାମ ବୃଦ୍ଧି ହାଣ୍ଡିଶାଳ ଉପରେ ଚଡ଼କ ପକାଇଛି। ବଞ୍ଚିଛୁ ସିନା, ବେଳେବେଳେ ଏ ଜୀବନ ଅସହ୍ୟ ଲାଗୁଛି ବୋଲି କହିଛନ୍ତି ଜାଗମରାର ଏକ ଚଷମା ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିବା ପ୍ରଦୀପ କୁମାର ବାରିକ। ଏହା କେବଳ ପ୍ରଦୀପଙ୍କ ମନର କଥା ନୁହେଁ, ବରଂ ପ୍ରତିଟି ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ମଙ୍ଗ ଧରିଥିବା ରୋଜଗାରିଆଙ୍କ ଅନ୍ତରର ବ୍ୟଥା।
Sambad is now on WhatsApp
Join and get latest news updates delivered to you via WhatsApp
ଦରଦାମ ବୃଦ୍ଧି ନୂଆ କଥା ନୁହେଁ, କିନ୍ତୁ କରୋନା କଷଣ ମିଶିଯିବା ପରେ ସମ୍ଭାଳିବା କାଠିକର ହୋଇଗଲାଣି। ଏଥିପାଇଁ ଚାକିରି ହରାଇବା ପରେ ଢେଙ୍କାନାଳର ଜଣେ ଯୁବକ ଆଜି ଆତ୍ମହତ୍ୟା କରିଛନ୍ତି। ସାଂପ୍ରତିକ ପରିସ୍ଥିତିର ପ୍ରଭାବର ଏହା ଏକ ଝଲକ ମାତ୍ର। ଗୁରୁତ୍ବପୂର୍ଣ୍ଣ କଥା ହେଲା, ୮ମାସ ତଳେ କରୋନା ଡରରେ ଗୃହବନ୍ଦୀ ହୋଇଯିବା ପରେ ବ୍ୟବସାୟ ୧୦ ବର୍ଷ ତଳକୁ ଫେରି ଯାଇଛି ବୋଲି ବ୍ୟବସାୟୀମାନେ କହୁଛନ୍ତି। ମାତ୍ର ୩ମାସ ହେବ ଲୋକେ କାମ ଧନ୍ଦାକୁ ଫେରିଛନ୍ତି। ହେଲେ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ କାମ ନାହିଁ। ବାସ୍ତବରେ ନିର୍ମାଣ କାମ ଅନେକାଂଶରେ ହ୍ରାସ ପାଇଛି। ପୁଣି ଯେଉଁମାନେ ବ୍ୟବସାୟ କେନ୍ଦ୍ର ଖୋଲିଛନ୍ତି, ସେମାନଙ୍କ ବ୍ୟବସାୟ ଧିମେଇ ଯାଇଥିବାରୁ ଅନେକ କମ୍ପାନି ଏବେ ବି କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେଉନାହାନ୍ତି। ଦୋକାନ ବା ବ୍ୟବସାୟ କେନ୍ଦ୍ର ଖୋଲୁଥିଲେ ହେଁ ବେପାର ହେଉ ନଥିବାରୁ ସେଠାରୁ ଲୋକଙ୍କୁ ଛଟେଇ ପ୍ରକ୍ରିୟାରେ ରୋକ୍ ଲାଗି ପାରୁନାହିଁ। ଏଣେ ଅହେତୁକ ଦରବୃଦ୍ଧି ସ୍ବାଭାବିକ ଜୀବନ ପ୍ରକ୍ରିୟାକୁ ମୋଡ଼ି ମକଚି ପକାଇଛି। ଡାଲି ଦର ଏଇ କିଛି ମାସରେ ବଢ଼ି ୧୧୦ଟଙ୍କା ଅତିକ୍ରମ କରିଛି। ରିଫାଇନ୍ ତେଲ ଲିଟର ୧୩୦ ଓ ସୋରିଷ ତେଲ ୧୫୦ରେ ପହଞ୍ଚିଲାଣି। ହାଣ୍ଡିଶାଳ ପାଇଁ ନିହାତି ଲୋଡ଼ା ପଡ଼ୁଥିବା ଆଳୁ ଓ ପିଆଜ ଦର ବି ଅହେତୁକ ବୃଦ୍ଧି ପାଇ ଯଥାକ୍ରମେ ୪୦ ଓ ୫୫ ଟଙ୍କାରେ ପହଞ୍ଚିଛି। ଡାଲି ଜାତୀୟ ଅଧିକାଂଶ ଶସ୍ୟର ଦର ବୃଦ୍ଧି ପାଇଛି।
ମୋବାଇଲ୍ ରିପ୍ୟାରିଂ ଦୋକାନ କରିଥିବା ବିଶ୍ବରଂଜନ ଜେନା କହିଛନ୍ତି, ଲାଗୁଛି ଯେମିତି ଜୀବନକୁ ପୁଣି ମୂଳରୁ ଜିଇଁବାକୁ ପଡ଼ିବ। ରାଜଧାନୀକୁ ନିଜର ପେଟପାଟଣା ପାଇଁ ଚାଲି ଆସିଥିଲୁ। ବ୍ୟବସାୟ କରି ଚଳି ଯାଉଥିଲୁ। ହେଲେ ଘରଭଡ଼ା ଓ ଦୋକାନ ଭଡ଼ା ଦେବାକୁ ବି ରୋଜଗାର ଅଣ୍ଟୁ ନାହିଁ। ଏଭଳି ସ୍ଥିତିରେ ଗାଁ’କୁ ଫେରିବାକୁ ବି ଚାରା ନାହିଁ। ସେଠାକୁ ଗଲେ କରିବୁ ବା କ’ଣ? ବିଡ଼ମ୍ବନା ଏହି ଯେ ଶୀତକାଳୀନ ବିଧାନସଭା ଅଧିବେଶନରେ ମହଙ୍ଗା ମାଡ଼ ପ୍ରସଙ୍ଗ କୌଣସି ସଦସ୍ୟ ଉଠାଇଲେ ନାହିଁ। ଗରିବ ଓ ନିମ୍ନ ମଧ୍ୟବିତ୍ତମାନେ ରୋଜଗାର ହରାଇ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କିଣିନପାରି କିଭଳି ଦହଗଞ୍ଜ ହେଉଛନ୍ତି ତାହା କାହା ପାଇଁ ଗୁରୁତ୍ବ ରଖିଲା ନାହିଁ।
ଏନେଇ ଅର୍ଥ ବିଶେଷଜ୍ଞ ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ରାଜୀବ ଶେଖର ସାହୁ କହିଛନ୍ତି, କରୋନା କାଳରେ ପ୍ରଥମ ୩ ମାସରେ ଜିଡିପି -୨୩.୯କୁ ଖସି ଆସିଥିଲା। ୬ ମାସରେ ଏହା -୭.୫ରେ ପହଞ୍ଚିଥିଲା। ତେଣୁ ଧୀରେଧୀରେ ସୁଧାର ଆସିବ। ୨୦୨୧-୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସେତେବେଳକୁ ଅନ୍ତତଃ ଦରମା ପ୍ରଦାନରେ ସ୍ବାଭାବିକତା ଆସିପାରିବ। ସଂପ୍ରତି କୋଭିଡ୍ ପରିଚାଳନା ସରକାରୀସ୍ତରରେ ମୁଖ୍ୟ ପ୍ରସଙ୍ଗ ହୋଇଛି। ଅନ୍ୟପକ୍ଷରେ ବିଭିନ୍ନ କାରଣ ପାଇଁ ଏସବୁର ଦରଦାମ ବୃଦ୍ଧି ପାଇଛି। ତେଣୁ ୨୦୨୧-୨୨ ଆର୍ଥିକ ବର୍ଷ ବେଳକୁ ଏହା ଉପରେ ଗୁରୁତ୍ବାରୋପ ପୂର୍ବକ ଏଥିରେ ସୁଧାର ଆସିପାରିବା ନେଇ ଆଶା କରାଯାଉଛି ବୋଲି ସେ କହିଛନ୍ତି।