ବାଲିଅନ୍ତା : ରବି ଧାନ ଫସଲ ଅମଳ ବେଳେ କରୋନା ବଇରୀ ସାଜିଛି। ଅପରପକ୍ଷରେ ଧାନ ଅମଳ କରିବା ମେସିନ (ହାର୍ବେଷ୍ଟର) ଚଳାଇବା ଲାଗି ଓଡ଼ିଶାରେ ତାଲିମପ୍ରାପ୍ତ ଅପରେଟର ନାହାନ୍ତି। ଏହାଛଡ଼ା ମରାମତି କାର୍ଯ୍ୟ କରିବା ପାଇଁ ଏଯାଏ ଓଡ଼ିଶାରେ କୌଣସି ଇଂଜିନିୟରିଂ ସଂସ୍ଥା ମଧ୍ୟ ନଥିବା ସୂଚନା ମିଳିଛି। ସେହିପରି ଯନ୍ତ୍ରାଂଶ ମଧ୍ୟ ବାହାରୁ ଆସିଥାଏ। ଫଳରେ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ହାର୍ବେଷ୍ଟର ମେସିନ ଚାଷୀଙ୍କ କାମରେ ଆସୁନାହିଁ। ତେଣୁ ବ୍ୟାଙ୍କ ଋଣ କିଭଳି ସୁଝିବେ ସେନେଇ ଚାଷୀ ପ୍ରଶ୍ନ କରିଛନ୍ତି।
ଏଭଳି ସମସ୍ୟା ବାଲିଅନ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି। ଏବେ ବାଲିଅନ୍ତା ଅଞ୍ଚଳରେ କିଛି ଧାନ ମଥା ମାରିଯାଇଥିବା ବେଳେ ଆଉ କିଛି ପାଚିଗଲାଣି। କିନ୍ତୁ ପୁରୀ ଜିଲ୍ଲାର ବ୍ରହ୍ମଗିରି, ଖଜୁରିଆ, ଶିରୁଳିମହାବୀର, ଡେଲାଙ୍ଗ, ସାକ୍ଷୀଗୋପାଳ ଆଦି ଅଞ୍ଚଳରେ ଧାନ ପାଚିଯାଇଥିବାରୁ ଅମଳ କରିବା ଲାଗି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ପାଚିଲା ରବି ଧାନ ଫସଲ ଅମଳ ହୋଇନପାରି ଗତବର୍ଷ ଭଳି ଫନିରେ ଉଜୁଡ଼ିଯିବା ଆଶଙ୍କା ରହିଛି। ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ଶତାଧିକ ଚାଷୀ ମେସିନ ନେଇ ଧାନକାଟିବାକୁ ସେଠାକୁ ଯାଇଥାନ୍ତି। କୃଷି ଯନ୍ତ୍ରପାତି ଯାତାୟାତ ଉପରେ ସରକାରୀ କଟକଣା କୋହଳ ହୋଇଥିଲେ ହେଁ ମେସିନ ଚଳାଇବା ପାଇଁ ଅପରେଟର ନଥିବାରୁ ଧାନ ଅମଳ ସମସ୍ୟା ଦେଖାଦେଇଥିବା ଚାଷୀମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ରାଜ୍ୟ ବାହାର ଯଥା ପଞ୍ଜାବ, ତାମିଲନାଡ଼ୁ, ମଥୁରା, କର୍ଣ୍ଣାଟକ, ଉତ୍ତରପ୍ରଦେଶ ତଥ୍ୟା ଅନ୍ୟାନ୍ୟ ରାଜ୍ୟରୁ ଅପରେଟରମାନେ ଓଡ଼ିଶାକୁ ଆସି ହାର୍ବେଷ୍ଟର ମେସିନ ଚଳାଇଥାନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ଠାରୁ ମେସିନ ଚଳାଇବା ପାଇଁ ଅଗ୍ରୀମ ଟଙ୍କା ନେଇଥିବା ସଂପୃକ୍ତ ଅପରେଟରମାନେ କରୋନା ସଂକ୍ରମଣ ଭୟରେ ଏଠାକୁ ନଆସିବା ସନ୍ଦେହ କରାଯାଉଛି। ବର୍ଷା ହେଲେ ଧାନ ଉଜୁଡ଼ିଯିବାର ଆଶଙ୍କା ବି ରହିଛି। ପାଚିଲା ଧାନ କିଭଳି ଅମଳ କରିବେ ଏବେ ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।
ବ୍ଲକ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଗତ ୧୦ ବର୍ଷ ମଧ୍ୟରେ ବାଲିଅନ୍ତା ବ୍ଲକକୁ ୩୦୦ଟି ଧାନଅମଳ ଯନ୍ତ୍ର ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ଶହେରୁ ଊର୍ଦ୍ଧ ମେସିନ କାର୍ଯ୍ୟକ୍ଷମ ରହିଛି। ଗୋଟିଏ ଲେଖାଏ ମେସିନର ଦାମ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବାଳକାଟି ସ୍ଥିତ କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/paddy.jpg)