ଭୁବନେଶ୍ବର : କରୋନା ବଦଳାଇ ଦେଇଛି ଡ୍ୟୁଟିର ପରିଭାଷା। ଆଣିଛି ନୂଆ ଅନୁଭୂତି। ବଦଳାଇ ଦେଇଛି କର୍ମମୟ ଜୀବନର ଚିରାଚରିତ ଧାରା। ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ପରିବାର, ପରିଜନଙ୍କଠାରୁ ଦୂରେଇ ଯିବାକୁ ବାଧ୍ୟ ହୋଇଛନ୍ତି। ଦୂରତ୍ବ ରକ୍ଷା କଲେ ସମସ୍ତେ ସୁରକ୍ଷିତ ରହିପାରିବେ। ଦୁଃଖ ଲାଗିଲେ ବି ଡ୍ୟୁଟି ଆଗରେ ସବୁ ତୁଚ୍ଛ ପାଲଟି ଯାଇଛି। କାର୍ଯ୍ୟରତ କିଛି ପୁଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା...
ଲକ୍ଡାଉନ୍ଠାରୁ ଏକୁଟିଆ ଗ୍ୟାରେଜ୍ ଘରେ
ସକାଳ ୫ଟାରୁ ରାତି ୧୦ଟା। ମଧ୍ୟାହ୍ନ ଭୋଜନ ଓ କିଛି ସମୟ ବିଶ୍ରାମକୁ ଛାଡ଼ି ଦେଲେ ଦିନତମାମା ଡ୍ୟୁଟି। ମାର୍ଚ୍ଚ ୨୨ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଡ୍ୟୁଟି ଚାଲୁ ରହିଛି। ପ୍ରଥମେ ପ୍ରଥମେ ଲୋକ ଅବୁଝା ହେଉଥିଲେ। କାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା ତ ଆଉ କାହାକୁ ତାଗିଦ୍ କରି ଛାଡ଼ି ଦିଆଯାଉଥିଲା। ପୁଲିସ ପ୍ରଶାସନର ବାରମ୍ବାର ଅନୁରୋଧ, ଗଣମାମଧ୍ୟରେ ସଚେତନତା ବାର୍ତ୍ତା ପରେ ଏବେ ଲୋକ ଧୀରେଧୀରେ ନିୟମ ପାଳନ କରୁଛନ୍ତି। କିନ୍ତୁ ପୁଲିସର ଡ୍ୟୁଟି ପୂର୍ବଭଳି ଜାରି ରହିଛି। ସକାଳ ୫ଟାରୁ ଉଠିବା ପରେ ନିତ୍ୟକର୍ମ ସାରି ଜଳଖିଆ ଖାଏ। ୟୁନିଫର୍ମ ପିନ୍ଧି ସାରିବା ପରେ ମାସ୍କ, ଗ୍ଲୋଭସ୍, ଚଷମା ଏ ସବୁ ପିନ୍ଧି ପ୍ରାୟ ୬ଟାରେ ଡ୍ୟୁଟିକୁ ବାହାରିବାକୁ ପଡ଼େ। ଦିନ ପ୍ରାୟ ୧ଟାରେ ଘରକୁ ଫେରି ଗାଧୋଇବା ପରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେଇ ପୁଣି ଅପରାହ୍ଣ ୪ଟାରେ ଡ୍ୟୁଟି ଯିବାକୁ ପଡ଼େ। ରାତିରେ ଫେରିବା ପରେ ଆଉ ଥରେ ଗୋଧୋଇ ସାରି ଗ୍ୟାରେଜ୍ ରୁମ୍ରେ ଅଲଗା ରହିବାକୁ ପଡ଼ୁଛି। ଯେହେତୁ ଡ୍ୟୁଟି ସମୟରେ ବହୁତ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡ଼େ, ତେଣୁ ଅଲଗା ରହିବାକୁ ବାଧ୍ୟ। ଯେବେଠାରୁ କରୋନା ଡ୍ୟୁଟି ଆରମ୍ଭ ହୋଇଛି, ସେବେଠାରୁ ପରିବାର ଲୋକଙ୍କୁ କେବଳ ଦୂରରୁ ଦେଖୁଛି। ମୁଁ ବି ସେମାନଙ୍କୁ ପାଖକୁ ଆସିବା ପାଇଁ ବାରଣ କରୁଛି। ୩୭ ବର୍ଷ ଚାକିରି କାଳ ଭିତରେ ଅନେକ ଡ୍ୟୁଟି କରିବାକୁ ପଡ଼ିଛି କିନ୍ତୁ ଏହି ଡ୍ୟୁଟି ସମସ୍ତଙ୍କ ପାଇଁ ନୂଆ ତଥା ଆହ୍ବାନପୂର୍ଣ୍ଣ। ଲୋକଙ୍କ ସେବା ଲାଗି ନିଜକୁ ଆତ୍ମସନ୍ତୋଷ ମିଳୁଛି। ଦିନରାତି ଏକ କରି କାମ କରୁଥିବା ପୁଲିସ କମିସନର୍ଙ୍କ କାର୍ଯ୍ୟଶୈଳୀ ମୋତେ ପ୍ରେରଣା ଦେଇଛନ୍ତି। ଜନସାଧାରଣଙ୍କୁ ଗୋଟିଏ ଅନୁରୋଧ, ପୁଲିସ ଆପଣଙ୍କ ସେବାରେ ଲାଗିଛି, ଘରେ ରହି ପୁଲିସକୁ ସହଯୋଗ କରନ୍ତୁ।
ନିର୍ମଳ ଶତପଥୀ, ଡିସିପି(ସିକ୍ୟୁରିଟି), ଭୁବନେଶ୍ବର
/sambad/media/post_attachments/wp-content/uploads/2020/04/banita-maharana.jpeg-300x202.jpg)
ନୂଆ ତରିକାର ଯୁଦ୍ଧ ଆମ ପାଇଁ ଚ୍ୟାଲେଞ୍ଜ
ଆଇନଶୃଙ୍ଖଳା ପରିସ୍ଥିତିରେ ଆମକୁ ପ୍ରସ୍ତୁତି ପାଇଁ ସମୟ ମିଳିଥାଏ। ପୂର୍ବ ନିର୍ଦ୍ଧାରିତ ପ୍ରସ୍ତୁତିକୁ ଆମକୁ କାର୍ଯ୍ୟରେ ପରିଣତ କରିବାକୁ ପଡ଼ିଥାଏ। କିନ୍ତୁ କରୋନା ମୁକାବିଲା ଏକ ନୂଆ ତରିକାର ଯୁଦ୍ଧ। କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ। କେବଳ ସାମାଜିକ ଦୂରତ୍ବ ଏକମାତ୍ର ଅସ୍ତ୍ର। ଲକ୍ଡାଉନ୍ ନିୟମକୁ ମାନି ଯଦି ଆମେ ଘରେ ରହିବା, ଅଧିକ ସୁରକ୍ଷିତ ରହିବା। ଅନ୍ୟ ଡ୍ୟୁଟିଠାରୁ କରୋନା ଡ୍ୟୁଟି ସବୁଠାରୁ ଭିନ୍ନ। ପ୍ରଥମଥର ଲାଗି ଏଭଳି ଏକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ୁଛି। ସକାଳ ୭ଟାରୁ ଘରୁ ବାହାରିଲେ ଫେରିବା ବେଳକୁ ରାତି ୧୧ଟା ହୋଇଯାଉଛି। ତା’ ସହ ପରିବାର ଲୋକଙ୍କ ଭଲପାଇବା, ତାଗିଦ୍ ଆମକୁ ଡ୍ୟୁଟି ସମୟରେ ଆହୁରି ସତର୍କ କରାଇଦେଉଛି। ନିୟମିତ ବ୍ୟବଧାନରେ ସାନିଟାଇଜର୍ ଲଗାଇବାକୁ ପଡ଼ୁଛି। ଘରକୁ ଯାଇ ପୂରା ସଫାସୁତରା ହେବାକୁ ପଡ଼ୁଛି। ପ୍ରତିଦିନି କିଛି କିଛି ନୂଆ ନିୟମ ଲାଗୁ ହେଉଛି। ତାହାକୁ ପୁଲିସକୁ କାର୍ଯ୍ୟକାରୀ କରିବାକୁ ପଡ଼ୁଛି। ଆଗ ଅପେକ୍ଷା ଜନସାଧାରଣ ବହୁ ମାତ୍ରାରେ ସଚେତନ ହେଲେଣି। ସୁରକ୍ଷା ପାଇଁ ବେଶି ଚିନ୍ତିତ ହେବାକୁ ପଡ଼ୁଛି। କରୋନା ଯୁଦ୍ଧ ଯେତେ ଆହ୍ବାନପୂର୍ଣ୍ଣ ହେଲେ ବି ସତର୍କ ରହିଲେ ଏହାକୁ ଆମେ ନିଶ୍ଚିତ ଜିତିପାରିବା।
ବନିତା ମହାରଣା, ଆଇଆଇସି, ମହିଳା ଥାନା
/sambad/media/post_attachments/wp-content/uploads/2020/04/swastik-panda.jpeg-f-300x204.jpg)
ମା’ଙ୍କ ମନ ବୁଝୁନି
କରୋନା ଡ୍ୟୁଟିର ଧାରା ବଦଳାଇ ଦେଇଛି। ରାସ୍ତାରେ ଗାଡ଼ି ସଂଖ୍ୟା କମିଯାଇଛି, କିନ୍ତୁ ଯେତିକି ଗାଡ଼ି ଚାଲିଛି, ସବୁ ଯାଞ୍ଚ କରିବାକୁ ପଡ଼ୁଛି। ଜରୁରୀକାଳୀନ ସେବାରେ ନିୟୋଜିତ ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀ, ପାଥୋଲାବ୍ କର୍ମଚାରୀ, ମେଡିସିନ୍ ଷ୍ଟୋର୍ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ଯେଉଁମାନେ ବି ପାସ୍ ପାଇଛନ୍ତି, ସେମାନେ ରାସ୍ତାରେ ଯିବା ବେଳେ ଗାଡ଼ି ଅଟକାଇବାକୁ ପଡ଼ୁଛି। ଯାଞ୍ଚ ପରେ ଯଦି ପାସ୍ ଅଛି, ତା’ହେଲେ ଛଡ଼ାଯାଉଛି, ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସକାଳ ୬ଟାରୁ ଘରୁ ବାହାରିବାକୁ ପଡ଼ୁଛି। ପ୍ରଥମେ ଗୁରୁତ୍ବପୂର୍ଣ୍ଣ ଛକ ସମେତ ବିଭିନ୍ନ ଛକରେ ଟ୍ରାଫିକ୍ କର୍ମଚାରୀ ମୁତୟନ ଅଛନ୍ତି କି ନାହିଁ, ବୁଲି ବୁଲି ଯାଞ୍ଚ କରିବାକୁ ପଡ଼ୁଛି। ଏହାପରେ ହାଟ ବାରରେ ସେଠାକୁ ଯାଇ ସାମାଜିକ ଦୂରତ୍ବ ଉପରେ ବି କାର୍ଯ୍ୟ କରିବାକୁ ପଡ଼ୁଛି। ଆମିଷ ବଜାରରେ ବି ସେହିଭଳି ସାମାଜିକ ଦୂରତ୍ବ ଉପରେ ଧ୍ୟାନ ଦେବା ସହ ଲୋକଙ୍କୁ ସଚେତନ କରାଯାଉଛି। ଦୁଇ ସିଫ୍ଟରେ ଡ୍ୟୁଟି ସାରି ରାତି ପ୍ରାୟ ୧୧ ଟାରେ ଘରକୁ ଫେରିବାକୁ ପଡ଼ୁଛି। ଘରେ ଏକୁଟିଆ ୬୫ବର୍ଷୀୟା ବୃଦ୍ଧା ମା’ ଥିବାରୁ ତାଙ୍କ ମନ କଷ୍ଟ ହେଉଛି। ବହୁତ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ମା’ଙ୍କ ମନରେ ଭୟ ରହୁଛି। ଡ୍ୟୁଟି ସମୟରେ ମା’ ଫୋନ୍ କରି ସତର୍କ ରହିବାକୁ କୁହନ୍ତି। ମାସ୍କ, ଗ୍ଲୋଭସ୍ ବ୍ୟବହାର କରିବା ସହ ସତର୍କତାମୂଳକ ପଦକ୍ଷେପ ନେଉଥିବା କହି ମା’ଙ୍କୁ ବୁଝାଇ ଦେଉଛି।
ସ୍ବସ୍ତିକ ପଣ୍ଡା, ଟ୍ରାଫିକ୍ ଏସିପି, ଭୁବନେଶ୍ବର
/sambad/media/post_attachments/wp-content/uploads/2020/04/dayanidhi-nayak.jpeg-300x236.jpg)
ଲୋକଙ୍କ ସେବାରେ ମିଳୁଛି ଆତ୍ମସନ୍ତୋଷ
କରୋନା ମୁକାବିଲା ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଦିନ ହେଉ କି ରାତି, ସବୁ ସମୟରେ ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପୁଲିସର ମୂଳ ଲକ୍ଷ୍ୟ। ଲକଡାଉନ୍ ସମୟରେ ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଡ୍ୟୁଟି କରିବାକୁ ପଡ଼ିଛି। ମଧ୍ୟାହ୍ନ ଭୋଜନ ଓ କିଛି ସମୟ ବିଶ୍ରାମକୁ ଛାଡ଼ି ଦେଲେ ବାକି ସମୟ ଲୋକଙ୍କ ସେବାରେ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଜୟଦୁର୍ଗାନଗର ଅଞ୍ଚଳକୁ ସିଲ୍ କରାଯାଇଛି। ସେହି ଅଞ୍ଚଳରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବଡ଼ କାମ। କିଛି ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପଡ଼ୁଛି। ଏପରିକି ସେହି ଅଞ୍ଚଳ ସିଲ୍ ହେବା ପରେ ରାତି ପ୍ରାୟ ୨ଟା ପରେ ଦୁଇଜଣ ଗର୍ଭବତୀଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ ପଡ଼ିଛି। ଏହା ବାଦ୍ ଥାନା ଅଞ୍ଚଳରେ ଗାଡ଼ି ଯାଞ୍ଚ, ଲକ୍ଡାଉନ୍ ଆଇନ ଉଲ୍ଲଂଘନରେ କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ନେବାକୁ ପଡ଼ୁଛି। ରାତିରେ ଘରକୁ ଫେରିବା ପରେ ପରିବାର ସଦସ୍ୟ ଶୋଇ ପଡ଼ିଥାନ୍ତି। ଅଲଗା ଥିବା ବାଥ୍ରୁମରେ ଗାଧୋଇ ସାରି ଅଲଗା ରୁମ୍ରେ ଶୋଇବାକୁ ପଡ଼େ। ଜନତା କର୍ଫ୍ୟୁଠାରୁ ଗତ ୨୧ଦିନ ଭିତରେ ପିଲାଙ୍କ ଭଲମନ୍ଦ ଆଉ ବୁଝିପାରି ନାହିଁ। କିନ୍ତୁ ପତ୍ନୀ ମୋ ଡ୍ୟୁଟି ବିଷୟରେ ଭଲ ଭାବେ ଅବଗତ। ତେଣୁ ଏଭଳି ପରିସ୍ଥିତିରେ ଘର ଚଳାଇବାରେ ମୋ ଉପରେ ବେଶି ନିର୍ଭର କରୁନାହାନ୍ତି। ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବି। ପୂର୍ବରୁ ନକ୍ସଲ ଅପରେସନ୍, ଦଙ୍ଗା, ଆଇନଶୃଙ୍ଖଳା, ସାଧାରଣ ନିର୍ବାଚନ, ରଥଯାତ୍ରା ଡ୍ୟୁଟି କରିଥିଲେ ବି କରୋନା ସମ୍ପୂର୍ଣ୍ଣ ଭିନ୍ନ ଓ ନୂଆ ଅଭିଜ୍ଞତା ଆଣି ଦେଇଛି। ଡ୍ୟୁଟି ଯେତେ କଷ୍ଟ ହେଲେ ବି ଲୋକଙ୍କ ସେବାରେ ଯଥେଷ୍ଟ ଆତ୍ମସନ୍ତୋଷ ମିଳୁଛି। ପୁଲିସ ଦିନରାତି ଲୋକଙ୍କ ସେବାରେ ଲାଗିଛି। ବିନା କାମରେ ଅଯଥା ବାହାରକୁ ଆସୁଥିବା ଜନସାଧାରଣଙ୍କୁ ଏତିକି ଅନୁରୋଧ, ପୁଲିସକୁ ସହଯୋଗ କରନ୍ତୁ, ସୁରକ୍ଷିତ ରୁହନ୍ତୁ।
ଦୟାନିଧି ନାୟକ, ଆଇଆଇସି, ଲକ୍ଷ୍ମୀସାଗର ଥାନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/nirmala-satpathy.jpeg.jpg)