କରୋନା ଛାଟରେ ଛଟପଟ: ମାଟିରେ ମିଶିବା ଯାଏ ସଂଘର୍ଷ କରିବି

ଭୁବନେଶ୍ବର : କରୋନା ପାଇଁ ଗତବର୍ଷ ଦୀପ ବିକ୍ରି ହେଲାନି। ତେଣୁ ଏ ବର୍ଷ ପଣା ସଂକ୍ରାନ୍ତିକୁ ଅନେଇ ରହିଥିଲୁ। ଚଉରାରେ ଠେକି ବାନ୍ଧିବା ଆମ ଓଡ଼ିଆ ଘରର ପରମ୍ପରା ହୋଇଥିବାରୁ ବେଶ୍‌ କିଛି ବିକ୍ରିବଟା ହେବ ବୋଲି ଆଶା ଥିଲା। କିନ୍ତୁ ଠିକ୍‌ ଏଇ ସମୟରେ କରୋନାର ଦ୍ବିତୀୟ ଲହର ଆସି ତା’ ବି ଛଡ଼ାଇନେଲା। ଘରେ ଶହଶହ ଠେକି ସେମିତି ଗଡ଼ୁଛି। ଦୁଇ ଦୁଇ ଥର ଯାକ କରୋନା ଆମକୁ ଏମିତି ମାରି ସାରିଲାଣି। ଏପରି ସ୍ଥିତିରେ କ’ଣ ବେପାର କରିବି? କୋଉଠୁ ପଇସା ଆଣି ପରିବାର ଚଳାଇବି? ପ୍ରତି ମୁହୂର୍ତ୍ତରେ ସେଇ ଚିନ୍ତା ଖାଇ ଗୋଡ଼ଉଛି। କୋହ ଓ କ୍ଷୋଭଭରା କଣ୍ଠରେ ଏମିତି କହିଛନ୍ତି ପୁରୁଣା ଭୁବନେଶ୍ୱରର କୁମ୍ଭାରସାହିରେ ରହୁଥିବା ସତ୍ୟଭାମା ମୁଦୁଲି।

ସତ୍ୟଭାମା ଜଣେ କୁମ୍ଭକାର। ସେ କହିଛନ୍ତି, ଅନ୍ୟମାନଙ୍କ ଘରେ ଦୀପ ଜଳିଲେ, ଆମ ଘରେ ଚୁଲି ଜଳେ। ତୁଳସୀ ଚଉରାରେ ପାଣି ଝରିଲେ, ଆମ ତୃଷ୍ଣା ମେଣ୍ଟେ। ଦିନ ଥିଲା, ମାଟି ନିର୍ମିତ ବିଭିନ୍ନ ସାମଗ୍ରୀ ବିକ୍ରି କରି ମୋ ପୂରା ପରିବାର ଚଳି ଯାଉଥିଲା। କିନ୍ତୁ ଗତବର୍ଷ କରୋନା ଆସିବା ପରଠାରୁ ସବୁ କିଛି ଓଲଟପାଲଟ ହୋଇଯାଇଛି। ଏମିତିରେ ଆଧୁନିକତା ପ୍ରଭାବରେ ବଜାରରୁ ଧୀରେଧୀରେ ମାଟିପାତ୍ରର ଚାହିଦା କମି ଗଲାଣି। ଖାଲି ବିଭିନ୍ନ ପର୍ବପର୍ବାଣି, ବିବାହ, ବ୍ରତ, ଯଜ୍ଞ ଆଦି ନୀତିକର୍ମରେ ଏବେ ମାଟିପାତ୍ର ଖୋଜା ପଡ଼ୁଥିଲା। କିନ୍ତୁ କରୋନା ସତେକ ବି ନେଇଗଲା। ଗତବର୍ଷ କରୋନା ହେଲା ଯେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ପୂଜା ପାର୍ବଣ ସବୁ ମାଡ଼ ଖାଇଗଲା। ବିବାହ, ବ୍ରତ ସଂଖ୍ୟା ବି କମିଗଲା। ତେବେ ପରିସ୍ଥିତି ସୁଧୁରିବା ପରେ ପୁଣି ଆଶା ଦେଖାଦେଲା। ହେଲେ ଏ ଦ୍ବିତୀୟ ଲହର ଯେଉଁ ବେଗରେ ମାଡ଼ି ଆସିଲା, ଆଗକୁ କ’ଣ ପରିସ୍ଥିତି ହେବ ତାହା ଚିନ୍ତା ବି କରିହେଉନି। ବେଶି ଦିନ ଏ କରୋନା ରହିଗଲେ, ଏଥରକ ଆମକୁ ତଳିତଳାନ୍ତ କରିଦେବ।

ଦୀପ, ସୁରେଇ, ମାଟି ଘଡ଼ି, ପାଣି ପାତ୍ର, ମାଟି ହାଣ୍ଡି ଆଦି ସେମିତି ଗଦା ହୋଇ ରହିଛି। କରୋନା ପୂର୍ବରୁ ୮ରୁ ୧୦ ହଜାର ଟଙ୍କାର ବ୍ୟବସାୟ ହେଉଥିଲା। ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତିରେ ହଜାର ହଜାର ଠେକି ବିକ୍ରି ହେଉଥିଲା। ହେଲେ ଗଲା ସଂକ୍ରାନ୍ତିରେ ମାତ୍ର ହଜାରେ ଠେକି ବିକ୍ରି ହୋଇଛି। ଏଥିରେ ବର୍ଷକର ଖର୍ଚ୍ଚ କେମିତି ଉଠିବ? ମାଟି କିଣା ଖର୍ଚ୍ଚ ବି ଉଠିବନି। ଗୋଟିଏ ଟ୍ରାକ୍ଟର ମାଟି ଆଣିଲେ ୬ ହଜାର ଟଙ୍କା ଦେବାକୁ ପଡ଼େ। ଗୋଟିଏ କି ଦୁଇଟା ଟ୍ରିପ୍ ଆଣିଲେ ଗୋଟିଏ ବର୍ଷ ଯାଏ। ଏଥର ତ କିଛି ବିକ୍ରି ହେଲାନି। ଟ୍ରାକ୍ଟର ଭଡ଼ା ବି ହାତରୁ ଗଲା। ମାଟିରେ ବିଭିନ୍ନ ସାମଗ୍ରୀ ଗଢ଼ିବା ଛଡ଼ା କୌଣସି କାମ ମୋତେ ଜଣା ନାହିଁ। ତେଣୁ ଆଗକୁ କିପରି ଚଳିବି ଓ ପରିବାର ଚଳାଇବି, ତାହା ଏବେ ଚିନ୍ତାର ବିଷୟ ହୋଇଛି। କରୋନା ଯୋଗୁଁ ସବୁ ସଞ୍ଚିତ ଅର୍ଥ ସରି ଯାଇଛି। ଏବେ ବୃତ୍ତି ବି ଶେଷ ପର୍ଯ୍ୟାୟରେ। ସ୍ବାମୀ ଏହି ବୃତ୍ତିରୁ ମୁହଁ ଫେରାଇ ଅନ୍ୟ କାମ କରୁଛନ୍ତି। ପୁଅ ବି ଆଉ ଏହାକୁ ଭରସା କରିପାରୁନି। ଆଗକୁ ଏହା କେତେ ଦିନ ଚାଲିବ କେଜାଣି। ତଥାପି ଏଇ ମାଟିକୁ ଭରସା କରିଛି। ମାଟିରେ ମିଶିବା ଯାଏ ସଂଘର୍ଷ ଜାରି ରଖିଥିବି ବୋଲି ସତ୍ୟଭାମା କହିଛନ୍ତି।

ସମ୍ବନ୍ଧିତ ଖବର