କାୟା ମେଲାଉଛି କରୋନା: ଆଶଙ୍କାରେ ଫୁଟ୍‌ପାଥ୍‌ ବେପାରୀ, ଲକ୍‌ଡାଉନ୍‌ ହେଲେ ଭାଙ୍ଗିଯିବ ଆର୍ଥିକ ମେରୁଦଣ୍ଡ

ବିକଳ୍ପ ‌ଖୋଜିଲେଣି ଗୁପ୍‌ଚୁପ୍‌, ଦହିବରା ଓ ଚାଟ୍‌ ବେପାରୀ, ୧୫ ଦିନ ହେଲା ‘ଖାଓ ଗଳି’ରେ ବେପାର ମାନ୍ଦା

ରାଜଧାନୀରେ କରୋନା ପୁଣି କାୟା ମେଲିବା ଆରମ୍ଭ କଲାଣି। କିଛି ମାସ ପୂର୍ବରୁ କୋହଳ କରାଯାଇଥିବା ସମସ୍ତ କଟକଣା ପୁଣି ଫେରି ଆସିଲାଣି। ସଭା ସମିତିଠୁ ନେଇ ଉତ୍ସବଅନୁଷ୍ଠାନ ଉପରେ ସରକାର ଧୀରେଧୀରେ ଲଗାମ୍‌ କଷିବାକୁ ଲାଗିଲେଣି। କେଉଁଠି ଶିକ୍ଷାନୁଷ୍ଠାନ ତ ଆଉ କେଉଁଠି ଆପାର୍ଟମେଣ୍ଟ ସିଲ୍‌ ହେଲାଣି। ଏସବୁ ଦେଖିଲେ ଗତବର୍ଷ କରୋନା ସ୍ଥିତିର ପୁନରାବୃତ୍ତି ଭଳି ମନେ ହେଉଛି। ନାଇଟ୍‌ କର୍ଫ୍ୟୁ କି ଲକ୍‌ଡାଉନ୍‌ ନ କରିବାକୁ ବିଏମ୍‌ସି ଆଶ୍ବସ୍ତ କରିଥିଲେ ସୁଦ୍ଧା ଦୋକାନ, ବଜାର ଓ ମଲ୍‌ ଆଦି ଉପରେ ପୁଲିସ ଓ ବିଏମ୍‌ସିର ଜୋରଦାର ଚଢ଼ଉ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ରାଜଧାନୀର ଫୁଟ୍‌ପାଥରେ ଛୋଟମୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବେପାରୀ ଓ ଉଠାଦୋକାନୀ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି। ଗତବର୍ଷ କରୋନା ମାଡ଼ରେ ପ୍ରଭାବିତ ଏହି ବ୍ୟବସାୟୀମାନେ ଧୀରେଧୀରେ ଅଣ୍ଟା ସଳଖୁଥିବା ବେଳେ ପୁଣିଥରେ ଲକ୍‌ଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯିବ ବୋଲି ଆଶଙ୍କା କଲେଣି। ରାଜଧାନୀରେ ଏହିଭଳି ପ୍ରାୟ ହଜାର ହଜାର ଉଠାଦୋକନୀଙ୍କ ଆଶଙ୍କା ଏବଂ ସରକାରଙ୍କଠାରୁ ସେମାନଙ୍କ ଆଶାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…

 

ବିକଳ୍ପ ‌ଖୋଜିଲେଣି ଗୁପ୍‌ଚୁପ୍‌, ଦହିବରା ଓ ଚାଟ୍‌ ବେପାରୀ
ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରାୟ ୪ ଶହରୁ ଊର୍ଧ୍ବ ଦହିବରା ଓ ଚାଟ୍ ଦୋକାନୀ ବେପାର କରୁଛନ୍ତି। ଏଥିରୁ ଯାହା ରୋଜଗାର ହୁଏ ତାଙ୍କର ପରିବାର ଚଳେ। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଖୋଲିବା ପରେ ବେପାର ଟିକେ ଜମିଥିଲା। ଆଗାମୀ ଦିନରେ ଯଦି ଲକ୍‌ଡାଉନ୍ ହୁଏ ତା’ ହେଲେ ବେପାର ସମ୍ପୂର୍ଣ୍ଣ ଠପ୍ ହୋଇଯିବ। ତା’ ପରେ କ’ଣ କରିବୁ ବୋଲି ସେମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ‘ଆମେ ଏବେ କରୋନା କଟକଣା ମାନି ବେପାର କରୁଛୁ। ହେଲେ ଆଗକୁ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଆମେ ଚଳିବୁ କେମିତି। ଗତବର୍ଷ ଭଳି ଜୀବିକା ବଦଳାଇ ପନିପରିବା କିମ୍ବା ମାଛ ବେପାର କରିବୁ ବୋଲି କହିଛନ୍ତି ଦହିବରା ବେପାରୀ ହବିତ ଖାନ। ସେହିପରି ଚାଟ୍‌ ବେପାରୀ ଶତ୍ରୁଘ୍ନ ରାଉତ କହିଛନ୍ତି, ଆମେ ଦିନିକିଆ ବେପାର କରି ପରିବାର ପୋଷୁଛୁ। ପ୍ରତିଦିନ ବେପାର କଲେ ଖାଇବୁ ନହେଲେ ଉପାସ ରହିବୁ। ଏଣୁ ଆଗର ସ୍ଥିତି କଥା ଭାବି ଚିନ୍ତା ଲାଗୁଛି ବୋଲି ସେ କହିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖରେ ‌ଗୁପ୍‌ଚୁପ୍‌ ଠେଲା ପକାଇଥିବା ପ୍ରକାଶ ପରମାଣିକଙ୍କ ବେପାର ସମ୍ପୂର୍ଣ୍ଣ ରୂପେ କଲେଜ ଛାତ୍ରୀଙ୍କ ଉପରେ ନିର୍ଭରଶୀଳ। କଲେଜ ଖୋଲିବା ଦିନରୁ ବେପାର ଟିକେ ଭଲ ଜମିଥିଲା। କିନ୍ତୁ କରୋନା ଦ୍ବିତୀୟ ଲହରି କଥା ଶୁଣି କଲେଜ ପିଲା ବି ବାହାର ଖାଦ୍ୟ ଖାଇବାରୁ ବିମୁଖ ହେଲେଣି। ଧୀ‌ରେଧୀରେ ବେପାର ମାନ୍ଦା ହେବାକୁ ଲାଗିଥିବାରୁ ଗତବର୍ଷ ଭଳି ଚଳିତ ବର୍ଷ ଗାଁକୁ ଯାଇ ଚାଷ କରିବି ବୋଲି କହିଛନ୍ତି ପ୍ରକାଶ।

କ‌ରୋନା ମାରିବା ପୂର୍ବରୁ ଭୋକରେ ମରିଯିବୁ
ସତ୍‌ସଙ୍ଗ ବିହାର ନିକଟ ଜାତୀୟ ରାଜପଥ କଡ଼ରେ ମକା ବିକ୍ରି କରୁଥିବା ସୁକାନ୍ତ କୁମାର ବେହେରା କହିଛନ୍ତି, ସେ ଦୀର୍ଘ ୧୫ ବର୍ଷ ଧରି ସେଠାରେ ମକା ବିକ୍ରି କରିଆସୁଛନ୍ତି। ହେଲେ ଗଲା ବର୍ଷେ ହେଲା ବେପାରରେ ଯେମିତି ମାନ୍ଦାବସ୍ଥା ଦେଖାଦେଇଛି ଏହା କେବେ ହୋଇନଥିଲା। ଆଗରୁ ଦିନକୁ ୨ ହଜାର ଟଙ୍କାର ମକା ବିକ୍ରି କରୁଥିବା ବେଳେ ଏବେ ୫୦୦ ଟଙ୍କାର ବିକ୍ରି ହେଲା ବେଳକୁ ରାତି ୧୦ଟା ବାଜିଯାଉଛି। ଏମିତି ଯଦି ବେପାର ହୁଏ, ତେବେ ପରିବାର ଚଳାଇବା ବହୁତ କଷ୍ଟ ହୋଇପଡ଼ିବ। ପୂର୍ବରୁ ଲକ୍‌ଡାଉନ ସମୟରେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଥିଲି। ଧାରଉଧାର କରି ଚଳିଛୁ। ଏବେ ପୁଣି ଯଦି ସେମିତି ପରିସ୍ଥିତି ଆସେ ତେବେ କରେନାରେ ମରିବା ପୂର୍ବରୁ ଭୋକରେ ମରିଯିବୁ ବୋଲି ସେ କହିଛନ୍ତି।

ହୋଲି ପରଠୁ ଫଳ ବେପାର ଠପ୍‌
ଦରଦାମ୍‌ ବୃଦ୍ଧି ସହ କରୋନା ପ୍ରଭାବରେ ଏବେ ରାଜଧାନୀରେ ଫଳ ବେପାର ସମ୍ପୂର୍ଣ୍ଣ ମାନ୍ଦା ପଡ଼ିଯାଇଛି। ବିଶେଷ କରି ହୋଲି ପରଠାରୁ ବେପାର ବିଲ୍‌କୁଲ ଜମୁନାହିଁ। ବାଣୀବିହାରଠାରେ ଦୋକାନ କରିଥିବା ଫଳ ଦୋକାନୀ ବିଷ୍ଣୁଚରଣ ନାଥ କହିଛନ୍ତି, ଆଗରୁ ଦିନକୁ ୫ ରୁ ୬ ହଜାର ଟଙ୍କାର ବେପାର ହେଉଥିଲା‌, ବର୍ତ୍ତମାନ ହଜାରେ ଟଙ୍କା ହେଲା ବେଳକୁ ବହୁତ କଷ୍ଟ। ଗତବର୍ଷ ତାଲାବନ୍ଦ ଯୋଗୁଁ ବେପାର ବନ୍ଦ ଥିବାରୁ ଋଣ କରି ପରିବାର ପ୍ରତିପୋଷଣ କରିଥିଲି। ଭାବିଥିଲି ଏ ବର୍ଷ ବେପାର କରି କରଜ ଶୁଝି ଦେବି। କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଲାଣି, ଲାଗୁଛି ଭୋକ ଉପାସରେ ଦିନ କାଟିବାକୁ ପଡ଼ିବ। ଏବେ ଦିନେ ଦିନେ ଏମିତି ପରିସ୍ଥିତି ହେଉଛି ଯେ, ମହାଜନ ଟଙ୍କା ଦେବାକୁ ମଧ୍ୟ ପଇସା ହେଉନାହିଁ। ଏପଟେ ମହଙ୍ଗା ମାଡ଼ ଯୋଗୁଁ ଲୋକଙ୍କ ଫଳ ଚାହିଦା ମଧ୍ୟ କମି କମି ଯାଉଛି। ସରକାରଙ୍କୁ କେବଳ ଏତିକି ନିବେଦନ, ପୁଣି ଥରେ ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ ଯେମିତି ନ ହେଉ।

କମିଲାଣି ଆଇସ୍‌କ୍ରିମ୍‌ ଚାହିଦା
ଚଳିତ ବର୍ଷ ପ୍ରଚଣ୍ଡ ଖରା ଯୋଗୁଁ ବେଶ୍‌ ଜମି ଆସିଥିଲା ଆଇସ୍‌କ୍ରିମ୍‌ ଓ ‌ଥଣ୍ଡା ପାନୀୟ ବେପାର। କିନ୍ତୁ କରୋନାର ଦ୍ବିତୀୟ ଲହରି ପୁଣି ବେପାର ଉପରେ ମାଡ଼ କରିବାକୁ ବସିଛି। ସାହି ସାହି ବୁଲି ଆଇସ୍‌କ୍ରିମ୍‌ ବିକୁଥିବା ଶଙ୍କର ପ୍ରଧାନ କହିଛନ୍ତି, ଆମ ବେପାର ଖରା ଦିନ ଉପରେ ନିର୍ଭରଶୀଳ। ପୂର୍ବ ବର୍ଷ ଖରା ଦିନ ଆରମ୍ଭରେ କରୋନା ପାଇଁ ଲକ୍‌ଡାଉନ୍‌ ହୋଇଯାଇଥିଲା। ତେଣୁ ପୂରା ବେପାର ମାଡ଼ ଖାଇଥିବା ବେଳେ ଏ ବର୍ଷ ବି ସମାନ ଅବସ୍ଥା ହେବାର ଆଶଙ୍କା ରହିଛି। ବର୍ଷକୁ ମୁଁ ୨ ଲକ୍ଷ ଟଙ୍କାର ଆଇସକ୍ରିମ୍ ବେପାର କରୁଥିଲି। କିନ୍ତୁ ପୂର୍ବ ବର୍ଷ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା। ଏ ବର୍ଷ ମଧ୍ୟ ବେପାର ଧୀରେ ଧୀରେ କମ୍‌ ହେବାରେ ଲାଗିଛି। କରୋନା ବଢ଼ିବା ଆଗରୁ ଦିନକୁ ୩ରୁ ୪ ହଜାର ଟଙ୍କାର ବ୍ୟବସାୟ ହେଉଥିଲା। କିନ୍ତୁ ଏଇ ସପ୍ତାହ ହେବ ବେପାର ସମ୍ପୂର୍ଣ୍ଣ ମାନ୍ଦା ହୋଇଯାଇଛି। ଦିନକୁ ୧୫୦୦ ଟଙ୍କାର ବି ବେପାର ହେଉ ନାହିଁ। ପୁଣି ଲକ୍‌ଡାଉନ ହୋଇଗଲେ ଆମେ ସମ୍ପୂର୍ଣ୍ଣ ଭାବେ ରାସ୍ତାକୁ ଆସିଯିବୁ।

ଖେଳନା ବେପାରୀଙ୍କୁ ଲକ୍‌ଡାଉନ୍‌ ଚିନ୍ତା
ରାଜଧାନୀରେ ଏବେ ସମସ୍ତ ମେଳା, ମହୋତ୍ସବ ବନ୍ଦ ରହିଛି। ଏଥିପାଇଁ ଖେଳନା ଓ ଘରସଜ୍ଜା ସାମଗ୍ରୀ ବିକ୍ରି ସମ୍ପୂର୍ଣ୍ଣ ମାନ୍ଦା ପଡ଼ିଯାଇଛି। ଏଭଳି ପରିସ୍ଥିତିରେ ରାସ୍ତାକଡ଼ରେ ବସି ଯାହା ଟିକେ ବିକ୍ରି ହେଉଥିଲା, ତାହା ବି କିଛି ଦିନ ପରେ ହେବ କି ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ବାହାରୁ ଆସି ରାମମନ୍ଦିର ଗଳିରେ ପ୍ଲାଷ୍ଟିକ୍‌ ଫୁଲ, ପିଲାଙ୍କ ଖେଳନା ଓ ଫଟୋ ଚିତ୍ର ଆଦି ବେପାର କରୁଥିବା ବେପାରୀମାନେ ଏବେ ଆଶଙ୍କାରେ ରହିଛନ୍ତି। ଗତବର୍ଷ ଭଳି କଟକଣା ଲାଗୁ ହେଲେ ଗୁଜୁରାଣ କେମିତି ମେଣ୍ଟିବ ସେ ନେଇ ଚିନ୍ତା ଘାରିଲାଣି। ପ୍ଲାଷ୍ଟିକ ଫୁଲ ବିକ୍ରି କରୁଥିବା ଚଣ୍ଡିଖୋଲର ମୁନା ବେଉରିଆ କୁହନ୍ତି କରୋନା ଆଗରୁ ଦିନକୁ ୨୦୦୦ରୁ ୨୫୦୦ ଟଙ୍କାର ଜିନିଷ ବିକ୍ରି ହେଉଥିଲା। କିନ୍ତୁ ଲକ୍‌ଡାଉନ୍‌ରେ ବେପାର ବନ୍ଦ ରହିବା ସହ ଲକ୍‌ଡାଉନ୍‌ ଖୋଲିବା ପରେ ଦିନକୁ ମାତ୍ର ୨ରୁ ୩ ଶହ ଟଙ୍କାର ବେପାର ହେଉଥିଲା। ଏବେ ଟିକେ ବେପାର ହେଉଛି। କିନ୍ତୁ ପୁଣି ଥରେ ଲକ୍‌ଡାଉନ୍‌ ହେଲେ ବେପାର ପୂରା ବନ୍ଦ ହୋଇଯିବ।

ଲକ୍‌ଡାଉନ୍‌ ହେଲେ ସବୁ ସରିଯିବ
ବେଲପଣା ଦୋକାନୀ ସନ୍ତୋଷ ନାୟକ କହିଛନ୍ତି, ଏବେ ପୁଣି ଲକ୍‌ଡାଉନ୍‌ ହେଲେ ଆର ବର୍ଷକୁ ଆଉ ଦୋକାନ ଖୋଲିବାକୁ ସମ୍ବଳ ରହିବନି। ଲକ୍‌ଡାଉନ୍‌ ପରେ ଏ ବର୍ଷ ବହୁତ କଷ୍ଟରେ ଦୋକାନ ପୁଣି ଠିଆ କରେଇଛୁ। ଆଗରୁ ଦିନକୁ ୩୦୦୦ ଟଙ୍କାର ବେପାର ହେଉଥିଲା। କରୋନା ସଂକ୍ରମଣ ବଢ଼ିବା ଦିନରୁ ୧୦୦୦-୧୫୦୦ ଟଙ୍କାର ବ୍ୟବସାୟ ବି ହେଉନାହିଁ। କିନ୍ତୁ ଆମେ କଷ୍ଟମଷ୍ଟେ ପରିବାର ଚଳେଇ ଦେଉଛୁ। ଏ ବର୍ଷ ପୁଣି ଲକ୍‌ଡାଉନ୍‌ ହେଲେ ସବୁ ସରିଯିବ। ଗାଁ କୁ ଯାଇ ଚାଷ କରିବୁ। ସବୁର ଦର ଦାମ୍‌ ବଢୁଛି। ପିଲାଙ୍କ ସ୍କୁଲ ଫି’ ମଧ୍ୟ ନେଉଛନ୍ତି। ଏମିତିରେ ପୁଣି ଲକ୍‌ଡାଉନ ହେଲେ, ଆଉ ଭୁବନେଶ୍ୱରରେ ରହି ବ୍ୟବସାୟ ଆରମ୍ଭ କରି ହେବନି। ତେଣୁ ସରକାର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନ କରି କେବଳ ଯେଉଁ ଅଞ୍ଚଳରେ କରୋନା ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳ ଲକଡାଉନ କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି।

୧୫ ଦିନ ହେଲା ‘ଖାଓ ଗଳି’ରେ ବେପାର ମାନ୍ଦା
ରାମ ମନ୍ଦିର ପାର୍ଶ୍ବରେ ଥିବା ‘ଖାଓ ଗଳି’ରେ ପ୍ରତିଦିନ ସଂଧ୍ୟା ହେଲେ ଯୁବପିଢ଼ିଙ୍କ ଆସର ଜମେ। ଗତବର୍ଷ କଟକଣା ଯୋଗୁଁ ସମସ୍ତ ଦୋକାନ ବନ୍ଦ ରହିଥିଲା। ଗତ କିଛିମାସ ହେଲା ଧୀରେଧୀରେ ବେପାରରେ ଉନ୍ନତି ହୋଇଥିଲା। କିନ୍ତୁ ଏବେ ୧୫ ଦିନ ହେଲାଣି ବ୍ୟବସାୟ କମି ଆସିଲାଣି ବୋଲି କହିଛନ୍ତି ‘ଖାଓ ଗଳି’ରେ ଫାଷ୍ଟଫୁଡ୍‌ ଦୋକାନ କରିଥିବା ଶୁଭମ୍‌ ପାତ୍ର। ସେ କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ଦିନକୁ ୧୦ ହଜାର ଟଙ୍କାର ବେପାର ‌ହେଉଥିଲା। ଲକ୍‌ଡାଉନ୍‌ ହେବାରୁ ସେ ଗାଁରେ ଯାଇ ଚାଷ କାମ କରୁଥିଲେ। ପରେ ଅନ୍‌ଲକ୍‌ ହେବା ପରେ ପ୍ରଥମ ଯେଉଁ ଦିନ ଦୋକାନ ଖୋଲିଥିଲେ ସେଦିନ ୬୦୦ ଟଙ୍କାର ଖାଦ୍ୟ ବିକ୍ରି କରିଥିଲେ। ପରେ କରୋନା କମି ଆସିବାରୁ ଲୋକଙ୍କ ସୁଅ ଛୁଟିଥିଲା। ଏହି ସମୟରେ ଦିନକୁ ୮ ହଜାର ଟଙ୍କାର ବିକ୍ରିବଟା ହେଉଥିଲା। ଯାହା କରୋନା ପୂର୍ବବର୍ତ୍ତୀ ବ୍ୟବସାୟର ପାଖାପାଖି ହେବ। କିନ୍ତୁ ଏବେ କିଛି ଦିନ ହେବ ବେପାର କମି ଆସିଲାଣି। ୧୫ଦିନ ହେଲାଣି ଦିନକୁ ୩ରୁ ୪ ହଜାର ଟଙ୍କାର ବ୍ୟବସାୟ ହେଉଛି। ଯାହା କର୍ମଚାରୀଙ୍କ ଦରମା, ବିଦ୍ୟୁତ୍‌ ବିଲ୍‌ ଓ ଭେଣ୍ଡିଂ ଜୋନ ବାବଦ ଟଙ୍କା ଦେବା ପରେ ଅଳ୍ପ କିଛି ବଞ୍ଚୁଛି। ଯଦି ଆଗକୁ ଲକ୍‌ଡାଉନ୍‌ କି ସରକାର ଅନ୍ୟ କିଛି କରିବା ପାଇଁ ନିଷ୍ପତ୍ତି କରନ୍ତି, ପୁଣି ଥରେ ଆମେ ଗାଁକୁ ଯିବାକୁ ବାଧ୍ୟ ହେବୁ।

 

ସମ୍ବନ୍ଧିତ ଖବର