କରୋନା‌ ବାତାବରଣ ବିଗାଡ଼ୁଛି ପିଲାଙ୍କ ମନସ୍ତତ୍ତ୍ବ

ଭୁବନେଶ୍ବର: ସ୍କୁଲ୍‌ ବନ୍ଦ। ଖେଳ ପଡ଼ିଆ ଯିବା ବନ୍ଦ। ସାଙ୍ଗ ସାଥୀଙ୍କ ସହ ମିଶିବା ମନା। ଶିଶୁର କଅଁଳ ମନକୁ ହାଲ୍‌କା କରୁଥିବା ସବୁ ବାଟ ବନ୍ଦ କରିଦେଇଛି କରୋନା। ପୁଣି ବୋଝ ଉପରେ ନଳିତା ବିଡ଼ା ଭଳି ତା’ କୋମଳ ମନସ୍ତତ୍ବକୁ ବିଗାଡ଼ିବାରେ ଲାଗିଛି କରୋନାକୁ ନେଇ ଘରେ ସୃଷ୍ଟି ହେଉଥିବା କୋକୁଆ ଭୟ। କରୋନାରେ ପ୍ରତିଦିନ ଯେତିକି ପ୍ରାଣ ହରାଉଛନ୍ତି, ତାହା ଅନ୍ୟ ରୋଗରେ ମୃତ୍ୟୁବରଣ କରୁଥିବା ସଂଖ୍ୟାଠୁ ଢେର୍‌ କମ୍‌। ତେବେ ଗଣମାଧ୍ୟମରେ ବାରମ୍ବାର କରୋନା ସମ୍ପର୍କିତ ଖବର ଏବଂ ଘରେ ଏନେଇ ବାରମ୍ବାର ଆଲୋଚନା ଶିଶୁକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ମନସ୍ତତ୍ତ୍ବବିତ୍‌ ଓ ଗବେଷକମାନେ କହିଛନ୍ତି।

ଯୁବପିଢ଼ିଙ୍କ ମଧ୍ୟରେ ଏହା ଆତ୍ମହତ୍ୟାପ୍ରବଣତା ବଢ଼ାଉଥିବା କୁହାଯାଉଥିବା ବେଳେ ଶିଶୁଙ୍କୁ ମଧ୍ୟ ଏହା ଗଭୀର ଭାବେ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି। ଶିଶୁ ଉପରେ ସିଧାସଳଖ କରୋନାର ପ୍ରଭାବ ପଡ଼ୁଥିବା ଜଣାପଡ଼ୁନଥିଲେ ହେଁ ଏହା ଶିଶୁର ମନୋ ସାମାଜିକ ସ୍ଥିତିକୁ କ୍ଷତ ପହଞ୍ଚାଇ ଚାଲିଛି ବୋଲି ମନସ୍ତତ୍ତ୍ବବିତ୍‌ମାନେ କହିଛନ୍ତି। ବିଶେଷକରି କରୋନା ଖବର ପ୍ରସାରଣ ଦେଖି ଓ ଘରେ ଏନେଇ ଆଲୋଚନା ହେଉଥିବା ଶୁଣି ଶିଶୁଟିଏ ଭାବୁଛି, ସତରେ କ’ଣ କରୋନାରେ ସମସ୍ତେ ମରିଯିବେ। ଅସ୍ବାଭାବିକ ଜୀବନ ଜିଉଁଥିବା ଶିଶୁଟିଏ ବିଭିନ୍ନ ବିଭ୍ରାନ୍ତିକର ପରିକଳ୍ପନାକୁ ନେଇ ଚିନ୍ତିତ ହୋଇପଡ଼ୁଛି। ଫଳରେ ସହରରେ ଅଧିକାଂଶ ପିଲା ଗୁମ୍‌ସୁମ୍‌ ରହୁଛନ୍ତି। ସେମାନଙ୍କ ଭିତରେ ଉଦ୍‌ବେଗ, ଉଦ୍‌ବେଳନ ବଢ଼ିଛି। ପେଟ ବିନ୍ଧା, ଛାତି ବିନ୍ଧା, ମୁଣ୍ଡ ବିନ୍ଧା, ଚିଡ଼ଚିଡ଼ାପଣ ସହ କିଛି ପିଲା ଘରେ ନିଜର ବହିପତ୍ର ଫିଙ୍ଗା ଫୋପଡ଼ା କରୁଛନ୍ତି ବୋଲି ‘ଚାଇଲ୍‌ଡ ଲାଇନ୍‌’ର ନିର୍ଦ୍ଦେଶକ ଡ. ବେଣୁଧର ସେନାପତି କହିଛନ୍ତି।

ପିଲାକୁ ନେତୃତ୍ବ ଦିଅନ୍ତୁ
ପିଲାମାନଙ୍କ ଉପରେ ଅଧିକାରତ୍ବ ଜାହିର କରିବା ସହ ସେମାନଙ୍କୁ ମଧ୍ୟ ନେତୃତ୍ବ ଦେବାର କଳା ଶିଖାଇବା ଉଚିତ। ଯେବେ ଘରେ ଥିବା ପିଲାକୁ କୁହାଯିବ, ସେ ହ୍ବିସିଲ୍‌ ବଜାଇଲେ ସମସ୍ତେ ହାତ ଧୋଇବେ, ସେତେବେଳେ ସେ ଏହାକୁ ଉପ‌ଭୋଗ କରିବ। ସେ ମଧ୍ୟ ହାତ ଧୋଇବା ବାବଦରେ ସଚେତନ ହେବ। ଡ. ସେନାପତି କହିଛନ୍ତି, ଯାଜପୁରରେ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)‌ରେ ପିଲାମାନଙ୍କୁ ଏହିପରି ଦାୟିତ୍ବ ଦିଆଯାଇଛି। କିଛି ପିଲା ହିଁ ସମୟ ଦେଖି ଘଣ୍ଟା ବଜାଉଛନ୍ତି ଏବଂ ହାତ ଧୋଇବାକୁ ଯାଉଛନ୍ତି। ଏହା କେବଳ ସେମାନଙ୍କୁ ସଚେତନ କରାଉନାହିଁ ବରଂ ଏକ ଖୁସିର ବାତାବରଣ ସୃଷ୍ଟି ହେଉଛି। ଏହା ସେଠାରେ ସଫଳ ହୋଇଛି। ଘରେ ମଧ୍ୟ ଏହାକୁ ଆପଣାଇ ହେବ। ପିଲାଙ୍କର ରୁଚିକୁ ହୃଦୟଙ୍ଗମ କରି ତାକୁ ସେ ଦିଗରେ ପ୍ରୋତ୍ସାହିତ କରିବା ଦ୍ବାରା ପିଲାମାନଙ୍କର ଖାଲି ମସ୍ତିଷ୍କକୁ ସ୍ବାଭାବିକ ରଖାଯାଇ ପାରିବ ବୋଲି ଡ. ସେନାପତି କହିଛନ୍ତି।

ଯଥେଷ୍ଟ ସମୟ କଟାନ୍ତୁ
ଘରେ କରୋନାକୁ ନେଇ ଯେତିକି ଭୟର ବାତାବରଣ ସୃଷ୍ଟି ହେଉଛି, ସେଥିରୁ ଅନ୍ତତଃ ପିଲାମାନଙ୍କୁ ଦୂରେଇ ରଖିବାର ଆବଶ୍ୟକତା ରହିଛି। ଚାଇଲ୍‌ଡ ଲାଇନ୍‌ର ନିର୍ଦେଶକ ଡ. ବେଣୁଧର ସେନାପତି କହିଛନ୍ତି, ପିଲାମାନଙ୍କୁ ଉପଦେଶ ଦିଆଯାଉ, ମାତ୍ର ଘରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେଉ। ପିଲାମାନଙ୍କ ଆଗରେ ସବୁବେଳେ ସକାରାତ୍ମକ କଥାକୁ ଉପସ୍ଥାପନ କରିବାର ପରିବେଶ ସୃଷ୍ଟି ହେଉ। ସାଙ୍ଗସାଥୀଙ୍କୁ ଝୁରି ହେଉଥିବା ପିଲାମାନଙ୍କୁ ତାଙ୍କ ସାଙ୍ଗମାନଙ୍କ ସହ ଫୋନ୍‌ରେ ଅବା ସାମାଜିକ ଦୂରତା ରକ୍ଷା କରି ଭେଟାଭେଟି ହେବାର ଅବକାଶ ସୃଷ୍ଟି ହେବା ଆବଶ୍ୟକ। ଯୋଜନା ପ୍ରସ୍ତୁତ ପୂର୍ବକ ପିଲା ସହ ଖେଳିବା ଆବଶ୍ୟକ। ପେଣ୍ଟିଂ, କ୍ରାଫ୍ଟ, ନୃତ୍ୟ ଓ ଗୀତ ଭଳି ସୃଜନ କଳାରେ ତା’ର ସମ୍ପୃକ୍ତି ରଖିବା ଆବଶ୍ୟକ।

ସ୍ବାଭାବିକ ରଖିବାକୁ ପଡ଼ିବ
ଅଭିଭାବକତ୍ବ ଜାହିର୍‌ କରିବା ପୂର୍ବରୁ ଏବଂ ପ୍ରତ୍ୟେକ ପିଲା ଉପରେ କିଛି ଲଦି ଦେବା ପୂର୍ବରୁ ତା’ କଥା ଶୁଣିବା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବିଶିଷ୍ଟ ମନସ୍ତତ୍ତ୍ବବିତ୍‌ ପ୍ରଫେସର୍‌ ପ୍ରତାପ ରଥ। ପ୍ରଫେସର୍‌ ରଥ କହିଛନ୍ତି, ହୁ’ ହୁ’ ହୋଇ କରୋନା ବଢ଼ି ଚାଲିଛି ଓ କରୋନା ଲୋକଙ୍କୁ ମାରିଦେଉଥିବା ଖବର ଦେଖିବା ବେଳେ ପିଲାଟିଏ ମଧ୍ୟ ସେସବୁ ଦେଖୁଛି। ମାତ୍ର ତାହା ଯେ ପିଲା ଉପରେ ଏକ ପ୍ରତିକୂଳ ପ୍ରଭାବ ପକାଉଛି, ତାହା ଜାଣିବାକୁ ଅଭିଭାବକମାନେ ଚେଷ୍ଟା କରିବା ଉଚିତ। ତେଣୁ ଏ ସମୟ ହେଉଛି ତାଙ୍କୁ ମାନସିକ ଓ ଶାରୀରିକ ଭାବେ ସମ୍ପୃକ୍ତି ରଖିବା। ଏଥିପାଇଁ ଖାଲି ବି-ପଜିଟିଭ୍‌ କହିଲେ ହେବ ନାହିଁ ବରଂ ଘରେ ସେହିଭଳି ସକ୍ରିୟ ବାତାବରଣ ସୃଷ୍ଟି କରିବା ମଧ୍ୟ ଆମର ଦାୟିତ୍ବ। ମୋବାଇଲ୍‌ ଫୋନ୍‌ ପିଲାଙ୍କୁ ବିଗାଡ଼ି ଦେଉଥିବା ଅନେକ କହୁଛନ୍ତି, ମାତ୍ର ପିଲାର ଦକ୍ଷତା ବଢ଼ାଇବା ପାଇଁ ଯେ ସେଥିରେ ଅନେକ ସୁବିଧା ରହିଛି, ସେ ବିଷୟରେ‌ କେବେ ପିଲାଙ୍କୁ ମାର୍ଗଦର୍ଶନ କରିବା କଥା ଚିନ୍ତା କରାଯାଉନାହିଁ। ଚାକିରି ପାଇବା କ୍ଷେତ୍ରରେ ଇଂରାଜୀରେ ନିଜକୁ ବ୍ୟକ୍ତ କରିବାରେ ଅସାମର୍ଥ୍ୟ ପିଲାମାନଙ୍କୁ ଅଧିକାଂଶ ସମୟରେ ବିଷାଦଗ୍ରସ୍ତ କରୁଥିବା ଦେଖିବାକୁ ମିଳୁଥିଲେ ହେଁ ଏହି ମୋବାଇଲ୍‌ରେ ବିଭିନ୍ନ ଆପ୍‌ ସେସବୁର ସମାଧାନ କରୁଛି। ‘ଫଟୋ-ମ୍ୟାଥ୍‌’ ଆପ୍‌ ଗଣିତ ଶିକ୍ଷକ ଭଳି ପିଲାକୁ ସହଯୋଗ କରୁଛି। ଯଦିଓ ପିଲାମାନଙ୍କୁ ମୋବାଇଲ୍‌ ପରିଚାଳନା ବେଳେ ସମ୍ପୂର୍ଣ୍ଣ ଛାଡ଼ିଦେବା ନାହିଁ, ମାତ୍ର ମୋବାଇଲ୍‌ର ବହୁ ସକାରାତ୍ମକ ଦିଗକୁ କିଭଳି ବିନିଯୋଗ କରାଯିବ, ସେ ଦିଗରେ ଧ୍ୟାନ ଦେଇ ପିଲାଙ୍କ ସମ୍ପୃକ୍ତି ବଢ଼ାଇ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର