ଭୁବନେଶ୍ବର : ‘ଦିନକୁ ୩୦ରୁ ୪୦ଟି ଭଡ଼ା ମିଳି ଯାଉଥିଲା। ଭଡ଼ା ପିଛା ଅତି କମ୍ରେ ୪୦ ଟଙ୍କା ମିଳିଗଲେ ବି କମ୍ପାନି ତା’ ପଇସା ରଖି ଆମକୁ ଅତି କମ୍ରେ ହଜାରେରୁ ୧୨ଶ’ ଟଙ୍କା ଦେଉଥିଲା। ତେଣୁ ୫ ଦିନ କାମ ନ କଲେ ବି ତେଲ ଖର୍ଚ୍ଚ ଛାଡ଼ି ମାସକୁ ଅତି କମ୍ରେ ୨୨ରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା। ଏହାବାଦ୍, କାମ ଅନୁଯାୟୀ କମ୍ପାନି ମାସକୁ ୭ ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ଅଲଗା କମିସନ୍ ଦେଉଥିଲା। ତେଣୁ ଖାଇ ପିଇ ମେସ୍ ଭଡ଼ା ଦେବା ପରେ ବି ଗାଁକୁ ୮/୧୦ ହଜାର ଟଙ୍କା ପଠାଇ ପାରୁଥିଲି। କିନ୍ତୁ ଦି’ ବର୍ଷ ହେଲାଣି, ଏ କରୋନା ଆସି ଯାହା ହନ୍ତସନ୍ତ କରୁଛି…। ମାସେ ହେଲାଣି ବେପାର ଠପ୍; ସରକାରଙ୍କ ନିୟମାବଳି ପାଳନ କରି ଗାଡ଼ି ଚଳାଇଲେ ବି କୋଉ ଲୋକ ଆସୁଛନ୍ତି ଯେ ବେପାର ହେବ? ମୋବାଇଲ୍ ସ୍କ୍ରିନ୍କୁ ଦେଖି ଦେଖି ଦିନ ବିତିଯାଉଛି, ଦିନକୁ ୫ଟା କଲ୍ ମିଳିବା ବି କଷ୍ଟକର। ଏମିତି ଆଉ ବେଶି ଦିନ ତିଷ୍ଠି ହେବନି। ତେଣୁ ଏଠି ମେସ୍ ଭଡ଼ା ଗଣି ଖାଇପିଇ ରହିବା ଛଡ଼ା ଗାଁକୁ ଚାଲି ଯିବାଟା ଭଲ ହେବ ବୋଲି ଭାବୁଛି।’ ଉବେର୍, ରାପିଡୋ, ଓଲା ଭଳି ସଂସ୍ଥାରେ ନିଜକୁ ପଞ୍ଜୀକୃତ କରି ବାଇକ୍ରେ ଲୋକଙ୍କୁ ନବା ଆଣିବା କରୁଥିବା ରାକେଶ ପାତ୍ରଙ୍କ ଭଳି କିଛି ଶିକ୍ଷିତ ବେକାରଙ୍କ ଏ ହେଉଛି କୋହଭରା ଉକ୍ତି। କରୋନାର ଦ୍ବିତୀୟ ଲହର ଖାଲି ଆକ୍ରାନ୍ତଙ୍କୁ ମାରୁନି, ଅନେକ ଅଣ-ଆକ୍ରାନ୍ତଙ୍କ ଜୀବିକା ଛଡ଼ାଇ କଲବଲ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଓଲା, ଉବେର୍ ଭଳି କମ୍ପାନି ରାଜଧାନୀରେ କ୍ୟାବ୍ ସେବା ପ୍ରଦାନ କରି ସଫଳତା ପାଇବା ପରେ ଦୀର୍ଘ ଦିନ ହେଲା ଏମିତି ବାଇକ୍ ସେବା ଆରମ୍ଭ କରିଛନ୍ତି। ଏଥିରେ ‘ରାପିଡୋ’ ଭଳି ମଧ୍ୟ ଆଉ କିଛି ସଂସ୍ଥା ସାମିଲ ହୋଇଗଲେ। ଜଣିକିଆ ଲୋକ କାର୍ରେ ଯାଇ ଅଧିକ ଭଡ଼ା ଗଣିବା ଅପେକ୍ଷା ବାଇକ୍ରେ ଆରାମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ୍ କମ୍ ଭଡ଼ାରେ ଯାଇପାରିବ। ତେଣୁ ଏହି ସେବା ଆରମ୍ଭ ହେବା ପରେ ନିଜର ବାଇକ୍ ଥିବା ଅନେକ ଯୁବପିଢ଼ି ଏଥିରେ ସାମିଲ ହୋଇଗଲେ। ବିଶେଷକରି ଗାଁରୁ ଭୁବନେଶ୍ବର ଆସି ଚାକିରି ଖୋଜୁଥିବା କିମ୍ବା ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବପିଢ଼ି ଏଥିରେ ନିଜକୁ ପଞ୍ଜୀକୃତ କରାଇଦେଲେ। ବେଶ୍ ଭଲ ଦି’ ପଇସା ରୋଜଗାର ହେଉଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ଜୀବିକା ଭାବେ ମଧ୍ୟ ବାଛି ନେଲେ। ଅନ୍ତତଃ ଚାକିରିଟିଏ ନ ମିଳିବା ଯାଏ ପରିବାର ଉପରେ ବୋଝ ହେବେନି, ନିଜ ଖର୍ଚ୍ଚ ନିଜେ ତୁଲାଇ ପାରିବେ। ତେବେ କରୋନା ଏବେ ସେମାନଙ୍କ ପାଇଁ କଣ୍ଟା ସାଜିଛି। ଗତବର୍ଷ ଲକ୍ଡାଉନ୍, ସଟ୍ଡାଉନ୍ ବେଳେ ଏମିତି ପରିସ୍ଥିତି ହେଲା ଯେ ଦିନ ମାସ ମାସ ଧରି ଏମାନେ ଘରେ ହାତବାନ୍ଧି ବସିଲେ। ଏ ବର୍ଷ ବି କରୋନା ପୁଣି ଫେରି ସେମାନଙ୍କ ବାଟ ଉଗାଳିଲାଣି। ତେଣୁ ସେମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି।