ଉଜୁଡ଼ିଗଲାଣି ବିବାହ ବ୍ୟବସାୟ : ଦୁର୍ଦ୍ଦିନରେ ୨୦ ଲକ୍ଷ ପରିବାର

୨୫୦ ଲୋକରେ ଅନୁମତି ଦିଅ, ବିଚାର ନକଲେ ରାସ୍ତାକୁ ଓହ୍ଲାଇବୁ, ପ୍ରଶାସନକୁ ଘେରିବୁ

ଭୁବନେଶ୍ୱର : ସାଜସଜା ବନ୍ଦ। ‌ବଡ଼ ଧରଣର ଭୋଜିଭାତ ବି ବନ୍ଦ। ମାସେ କି ଦୁଇମାସ ନୁହେଁ, ୭ମାସ ଧରି ବିବାହ ଆଡ଼ମ୍ବରରେ ରୋକ୍‌ ଲାଗିବା ପରେ ଧରାଶାୟୀ ହୋଇଗଲେଣି ଏହାକୁ ଆଶ୍ରା କରି ଚଳୁଥିବା ବ୍ୟବସାୟୀ ଓ କର୍ମଚାରୀ। ଟେଣ୍ଟ୍‌ରୁ ନେଇ କ୍ୟାଟରିଂ, ପୁଣି ଲାଇଟ୍‌-ସାଉଣ୍ଡ୍‌ରୁ ନେଇ ଫୁଲ ସଜ; କରୋନା ଓ ସରକାରଙ୍କ କଟକଣା ମାଡ଼ରେ ଏହା ଉପରେ ନିର୍ଭରଶୀଳ ୧୦ହଜାର ବ୍ୟାବସାୟିକ ଅନୁଷ୍ଠାନ ମୁହଁ ମାଡ଼ି ପଡ଼ିଲେଣି। ଫଳରେ ଏହି ସଂସ୍ଥାରେ ନିୟୋଜିତ ରାଜ୍ୟର ୨୦ଲକ୍ଷରୁ ଅଧିକ ପରିବାର, କେମିତି ବଞ୍ଚିବେ ପ୍ରମାଦ ଗଣିଲେଣି। ସ୍ଥିତି ଏତେ ଦୟନୀୟ ଯେ ଯାଜପୁରରେ ଜଣେ ଟେଣ୍ଟ୍‌ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ପୁଣି କେଉଁଠି ଟେଣ୍ଟ୍‌ ଓ କ୍ୟାଟରିଂ ବ୍ୟବସାୟୀ ରାସ୍ତାକଡ଼ରେ ପରିବା ବି‌କିଲେଣି ତ କିଏ ମାଛ ବିକିଲେଣି।

କେନ୍ଦ୍ର ସରକାର ୨ଶହ ଲୋକରେ ବାହାଘର ପାଇଁ ଅନୁମତି ଦେଲେଣି। ମାତ୍ର ରାଜ୍ୟରେ ଏବେ ବି ୫୦ ଜଣରେ ବାହାଘର ଉତ୍ସବ ସୀମିତ ରଖିବାକୁ ନିର୍ଦେଶ ରହିଛି। ଫଳରେ କେହି ଆଉ ସାଜସଜା କି କ୍ୟାଟରିଂ ସଂସ୍ଥା ଉପରେ ନିର୍ଭର କରୁନାହାନ୍ତି ବୋଲି କହିଛନ୍ତି ରାଜ୍ୟ କ୍ୟାଟରିଂ ସଂଘର ସଭାପତି ଓ ସୃଷ୍ଟି ସର୍ଭିସ୍‌ର ସ୍ବତ୍ତ୍ବାଧିକାରୀ ବିନୟ ଭୂଷଣ ପଟ୍ଟନାୟକ। ସେ କହିଛନ୍ତି, ମୁଖ୍ୟଧାରାକୁ ଫେରିବାକୁ ସରକାର ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ କଲେଣି। ବଜାର ଖୋଲୁଛି। ଧର୍ମାନୁଷ୍ଠାନ ଖୋଲିବାକୁ ବି ସରକାର ଚିନ୍ତା କଲେଣି। ତେବେ ବିବାହ ଉତ୍ସବରେ କାହିଁକି କୌଣସି ବିଚାର କରାଯାଉନାହିଁ? ଏବେ ମାତ୍ର ୫୦ ଜଣରେ ବିବାହ ସୀମିତ ରହୁଥିବାରୁ ଆମକୁ କେହି ଲୋଡ଼ୁନାହାନ୍ତି। ସରକାରଙ୍କୁ ନିବେଦନ, ଅନ୍ତତଃ ୨୫୦ରୁ ୩୦୦ ଲୋକଙ୍କୁ ନେଇ ବିବାହ ଉତ୍ସବ ଆୟୋଜନ କରିବାକୁ ଅନୁମତି ଦିଆଯାଉ। ଏହା ‌ହୋଇପାରିଲେ କେବଳ ବିବାହ ଉତ୍ସବକୁ ଆଶ୍ରା କରି ଚଳୁଥିବା ସଂସ୍ଥା ଓ ୨୦ଲକ୍ଷ କର୍ମଚାରୀ ରାହା ପାଇଯିବେ।

ଟେଣ୍ଟ୍‌, କ୍ୟାଟରିଂ ସଂଘ ବାରମ୍ବାର ଏନେଇ ସରକାର ଓ ପ୍ରଶାସନର ଦ୍ବାରସ୍ଥ ହୋଇଛି। ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସରକାର ଯେଉଁ ଗାଇଡ୍‌ଲାଇନ୍‌ କରିଛନ୍ତି, ଅବା ବାହାଘର ଉତ୍ସବ ଆୟୋଜନ ନିମନ୍ତେ ପାଳନ କରିବାକୁ କହିବେ; ତାହା ବି ମାନିବାକୁ ପ୍ରସ୍ତୁତ ଅଛୁ। ତେଣୁ ସରକାର ଅନ୍ତତଃ ଆମର ଗୋଟିଏ ଦାବିକୁ ଗୁରୁତ୍ବ ଦେଇ ଅନ୍ୟୁନ ୨୫୦ ଲୋକଙ୍କୁ ଅନୁମତି ଦିଅନ୍ତୁ। ବାହାଘର ଋତୁ ପୁନର୍ବାର ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଲୋକେ ୨-୩ ମାସ ଆଗରୁ ସାଜସଜା, କ୍ୟାଟରିଂ ଓ ମଣ୍ଡପ ବୁକିଂ କରନ୍ତି। କିନ୍ତୁ ଏବେର କଟକଣା ଯୋଗୁଁ ଲୋକେ ଭୟରେ ବୁକିଂ କରୁନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅନ୍ତତଃ ନଭେମ୍ବରରୁ ସରକାର ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ। ନଚେତ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ। ଜିଲ୍ଲାସ୍ତରରୁ ନେଇ ସଦର ମହକୁମା ପର୍ଯ୍ୟନ୍ତ ପ୍ରଶାସନର ଦ୍ବାର ସମ୍ମୁଖରେ କର୍ମଚାରୀମାନେ ଗୁଜୁରାଣ ପାଇଁ ହାତ ପତାଇବାକୁ ବାଧ୍ୟ ହେବେ। ଆବଶ୍ୟକସ୍ଥଳେ ପ୍ରଶାସନକୁ ଘେରିବୁ ବୋଲି ରାଜ୍ୟ ଟେଣ୍ଟ୍‌, କ୍ୟାଟରିଂ, ଲାଇଟ୍‌-ସାଉଣ୍ଡ୍‌, ଫୁଲ ବ୍ୟବସାୟୀ ଓ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର