ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ଲାଗୁ କରାଯାଇଛି। କିନ୍ତୁ ପରାଉ ସୋରେନ୍ ପାଇଁ ଏହି ଲକ୍ଡାଉନ୍ କରୋନାଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଛି। ଚାରି ଚାରିଟା ଭୋକିଲା ପିଲାଙ୍କ ମୁହଁ ଦେଖି ପରାଉ ପ୍ରତି ମୁହୂର୍ତ୍ତରେ ଜିଇଁ ଜିଇଁ ମରୁଥିବା ଅନୁଭବ କରୁଛି। ମାତ୍ର ୧୦ ବର୍ଷର ଝିଅ ମାମା ଘରେ ମା’ର ଦାୟିତ୍ବ ନିଭାଇ ଭୋକିଲା ଭାଇଭଉଣୀଙ୍କୁ ବୁଝାଉଥିବାର ଦୃଶ୍ୟ ପରାଉକୁ ବେଶି ବ୍ୟଥିତ କରୁଛି। କରୋନା ପାଇଁ କାମ ମିଳୁ ନଥିବାରୁ ତାକୁ ଏବେ ଚାରି ଦିଗ ଅନ୍ଧାର ଦେଖାଯାଉଛି।
ରାଜଧାନୀସ୍ଥିତ ପାଣ୍ଡରା ମୁଣ୍ଡାସାହି ବସ୍ତିରେ ରହୁଛି ମୟୂରଭଞ୍ଜର ପରାଉ। ଗତବର୍ଷ ସ୍ତ୍ରୀ କୁନି ଅଜଣା ରୋଗରେ ଆଖି ବୁଜିବା ପରଠାରୁ ପରାଉ ପରିବାର ଉପରକୁ ମାଡ଼ି ଆସିଛି ଦୁଃଖ ଓ ଦୁଃଖ। କାମ କରିବାକୁ ଗଲେ ୧୦ ବର୍ଷର କୁନି ଝିଅ ମାମା ଘରେ ମା’ର ଭୂମିକା ନେଉଛି। ମା’ କୋଳରେ ଖେଳିବା ବୟସରେ ସେ କୁନି କୁନି ୩ ଭାଇ ଶମ୍ଭୁ, ହତ ଓ ଗୋବିନ୍ଦ ପାଇଁ ମା’ ପାଲଟି ଯାଉଛି। ଏହା ହେଉଛି ତା’ ପାଇଁ ବଡ଼ କଷ୍ଟ ବୋଲି ପରାଉ କୁହେ। ସବା ସାନ ଗୋବିନ୍ଦର ବୟସ ମାତ୍ର ୨ ବର୍ଷ। ତେଣୁ ଗୋବିନ୍ଦ ପାଇଁ ମାମା ଏବେ ସବୁ କିଛି। ଏଭଳି ଦୁଃଖ ବେଳେ ପୁଣି ମାଡ଼ି ଆସିଛି କରୋନାର ଦ୍ବିତୀୟ ଲହର। ଲକ୍ଡାଉନ୍ ପାଇଁ ତାକୁ କାମ ମିଳୁନି। ବିନା ରୋଜଗାରରେ ଘରେ ବସିଛି। ରାସନ୍ କାର୍ଡରେ ମିଳୁଥିବା ଚାଉଳ ମୁଠାକ କେବଳ ସାହାଭରସା। ପଇସାଟିଏ ହାତରେ ନଥିବାରୁ ଭଲରେ ଭାତ ମୁଠାଏ ପିଲାଙ୍କୁ ଖାଇବାକୁ ଦେଇପାରୁନି। ସ୍ତ୍ରୀ କୁନିର ମୃତ୍ୟୁ ତା’ ସଂସାର ପାଇଁ ବଡ଼ ଅଭିଶାପ ବୋଲି ସେ କହିଛି।
ଭୋକିଲା ପିଲାଙ୍କ ପାଇଁ ଦାନା ଯୋଗାଡ଼ କରିପାରୁ ନଥିବା ପରାଉ ଯେ ପିଲାମାନଙ୍କୁ ପାଠ ପଢ଼ାଇବ ବୋଲି କେବେ ଭାବି ନାହିଁ ବୋଲି ଖୋଲାଖୋଲି ଭାବେ କହିଛି। ପ୍ରଶାସନ ଚାଇଲ୍ଡ ଲାଇନ୍ ସହଯୋଗରେ ୪ ପିଲାଙ୍କ ଦାୟିତ୍ବ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।