ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ପଶିଲା କରୋନା

ବାଲିଅନ୍ତାରେ ଆଉ ୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଜଣେ ପ୍ରଥମ ବର୍ଷର ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ପୃଥକବାସରେ ରଖାଯାଇଛି। ଛାତ୍ର ଜଣକ ପଜିଟିଭ୍ ଚିହ୍ନଟ ହେବା ପରେ କଲେଜର କ୍ଲାସ୍ ଦୁଇଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସଂପୃକ୍ତ ଛାତ୍ରଙ୍କର ସାମାନ୍ୟ ଜ୍ବର ହୋଇଥିଲା। ପରେ ତାଙ୍କର କୋଭିଡ ନମୁନା ପରୀକ୍ଷା କରାଯିବା ପରେ ଆଜି ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ ହଷ୍ଟେଲରେ ପୃଥକବାସରେ ରଖାଯାଇଥିବା ବେଳେ ହଷ୍ଟେଲ ପରିସରକୁ ସାନିଟାଇଜ୍ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକୁ ତୁରନ୍ତ ଖାଲି କରିବା ଲାଗି କଲେଜ କାଉନସିଲ ବୈଠକରେ ନିଷ୍ପତ୍ତି ନେବା ଲାଗି ଗତକାଲି ଡିଏମ୍‌ଇଟି ଚିଠି ଲେଖିଛନ୍ତି। ମାତ୍ର ରାଜ୍ୟରେ ଥିବା ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ କଲେଜ ପାଇଁ ଏଭଳି କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ଡିଏମ୍‌ଇଟିଙ୍କ ପକ୍ଷରୁ ଜାରି ଚିଠିରେ ସବୁ ମେଡିକାଲ କଲେଜରେ ଅନଲାଇନ୍ କ୍ଲାସ୍ ଆରମ୍ଭ କରିବା ସହିତ କୋଭିଡ୍‌ ପ୍ରୋଟୋକଲ ଅନୁସାରେ ପରୀକ୍ଷା କରିବା ଓ କ୍ୟାମ୍ପସ ପରିସରରେ ଆବଶ୍ୟକ ସଂଖ୍ୟକ ସାଇନଏଜ୍‌ ଲଗାଇବାକୁ କୁହାଯାଇଛି। ମାତ୍ର ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏ ନେଇ କୌଣସି ଚିଠି ଜାରି ହୋଇନାହିଁ।

ବାଲିଅନ୍ତାରେ ଆଉ ୮ ପଜିଟିଭ୍‌ ଚିହ୍ନଟ
ବାଲିଅନ୍ତା : ଗତ ୨୪ ଘଣ୍ଟାରେ ବାଲିଅନ୍ତା ଅଞ୍ଚଳରୁ ୮ଜଣ (୪ପୁରୁଷ ଓ ୪ ମହିଳା) କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟ‌ରୁ କେବଳ ଗୋଟିଏ ପରିବାରର ୬ଜଣ ଥିବା ସୂଚନା ମିଳିଛି। ପିପିଲି ଉପନିର୍ବାଚନ ପ୍ରଚାରରେ ସଂପୃକ୍ତ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ପରିବାର ଲୋକ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ସେହିପରି ଏହି ଗ୍ରାମ ପାଖାପାଖି ଆଉ ଏକ ଗ୍ରାମର ଦୁଇଜଣ ମହିଳା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅସୁସ୍ଥମାନଙ୍କୁ ଗୃହ ସଂଗେରୋଧରେ ରହିବା ପାଇଁ କୁହାଯାଇଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର