ବିଜୁ ପଟ୍ଟନାୟକ ପୁଲିସ୍‌ ଏକାଡେମି‌ରେ ପଶିଲା କରୋନା

ଦାଢ଼ାପାଟଣାରୁ ପୁଣି ଜଣେ ପଜିଟିଭ୍‌, ଆଇଗଣିଆସ୍ଥିତ ଆଳୁଗଦିରୁ ବାହାରିଲେ ୨୦

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ପୁଲିସ୍‌ ଏକାଡେମିରେ ସଫେଇ କାମ କରୁଥିବା ଦୁଇ ମହିଳାଙ୍କ ଦୁଇ ସନ୍ତାନ କରୋନା‌ରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ଏକାଡେମି ପରିସରରେ ରହୁଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, କିଛିଦିନ ତଳେ ପିଲାଦ୍ବୟ ଗଞ୍ଜାମ ଯାଇଥିଲେ। ସେଠାରୁ ଫେରିବା ପରେ କ୍ବାରାଣ୍ଟିନ୍‌ରେ ଥିଲେ। ପରୀକ୍ଷା ପରେ ସେମାନଙ୍କ ରିପୋର୍ଟ କରୋନା ପଜିଟିଭ୍ ଜଣାପଡ଼ିଛି।

ଇଂଜିନିୟର ପଜିଟିଭ୍‌ ଚିହ୍ନଟ
ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଢମିଲୋ ଗ୍ରାମରୁ ଆଜି ଜଣେ କରୋନା ଆକ୍ରାନ୍ତ ଯୁବକ ଚିହ୍ନଟ ହୋଇଛନ୍ତି। ସେ କଟକ ଚୌଦ୍ବାର ଅଞ୍ଚଳସ୍ଥିତ ଏକ ଘରୋଇ କମ୍ପାନିରେ ଜଣେ କାର୍ଯ୍ୟରତ ଇଂଜିନିୟର ବୋଲି ସୂଚନା ମିଳିଛି। କିଛି ଦିନ ହେଲା ସେ ଥଣ୍ଡା ଜ୍ବରରେ ପୀଡ଼ିତ ଥିବାରୁ ଗତକାଲି ସେ ନିଜ ପକ୍ଷରୁ ଏକ ଘରୋଇ ହସ୍ପିଟାଲରେ ସ୍ବାବ୍‌ ନମୁନା ପରୀକ୍ଷା କରାଇଥିଲେ। ସ୍ବାବ୍‌ ପରୀକ୍ଷା ରିପୋର୍ଟ ଆଜି ପଜିଟିଭ୍‌ ବୋଲି ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ତେଣୁ ତାଙ୍କ ପରିବାରକୁ ଗୃହ ସଙ୍ଗରୋଧରେ ରହିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Ada Derana

ଦାଢ଼ାପାଟଣାରୁ ପୁଣି ଜଣେ ପଜିଟିଭ୍‌
ବାରଙ୍ଗ : ବାରଙ୍ଗ ବ୍ଲକ ଦାଢ଼ାପାଟଣା ପଞ୍ଚାୟତରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତି ଜଣେ ୪୭ ବର୍ଷ ବୟସର ବ୍ୟବସାୟୀ। ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଓ ତାଙ୍କ ପରିବାରକୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଦାଢାପାଟଣାରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୧୧ ତାରିଖରେ ଜଣେ ୨୮ ବର୍ଷୀୟ ଯୁବକଙ୍କର କିମସ୍ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥା‌ରେ ମୃତ୍ୟୁ ହୋଇଥିଲା।

ଆଇଗଣିଆସ୍ଥିତ ଆଳୁଗଦିରୁ ବାହାରିଲେ ୨୦
ଭୁବନେଶ୍ୱର : ଆଇଗଣିଆସ୍ଥିତ ଆଳୁ ଗଦି ଏବେ ରାଜଧାନୀ ପାଇଁ ଚିନ୍ତାର ବିଷୟ ହେବାକୁ ଯାଉଛି। ରାଜଧାନୀ ସମେତ ଆଖପାଖ ଜିଲ୍ଲାକୁ ଏଠାରୁ ଆଳୁ, ପିଆଜ ଏବଂ ବିଭିନ୍ନ କଞ୍ଚା ପରିବା ଯୋଗାଣ ହେଉଥିବା ବେଳେ ଏଠାରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିଲେଣି। ଆଜି ଗୋଟିଏ ଦିନରେ ୨୦ଜଣ ଆକ୍ରାନ୍ତ ବାହାରିବା ପରେ ବ୍ୟବସାୟୀମାନେ ଏବେ ଆଳୁଗଦିକୁ ‌ଯିବାକୁ ଡରିଲେଣି। ତିନି ଦିନ ତଳେ ଆଳୁ ଗଦିରେ ଥିବା ପରିବା ଗୋଦାମରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାପରେ ଆଉ ଦୁଇ ଜଣ ଚିହ୍ନଟ ହୋଇଥିଲେ। ଆଜି ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ପୁରୁଷ ଶ୍ରମିକ ବୋଲି ଜଣାପଡ଼ିଛି। ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗୋଟିଏ ଗୋଦାମରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ‌ଆଳୁ ଗଦି ପ୍ରତି ବର୍ତ୍ତମାନ ବିପଦ ନାହିଁ। ଯେଉଁ ପରିବା ଗୋଦାମରୁ ଆକ୍ରାନ୍ତ ବାହାରିଛନ୍ତି, ତାହା ଏବେ ଅଧା ବନ୍ଦ ହୋଇଛି। ଅଧା ଅଞ୍ଚଳ ଖୋଲା ରଖି କାମ ଚାଲିଛି। ଏଠାରେ ପ୍ରାୟ ୫୦ଜଣ ଶ୍ରମିକ କାମ କରୁଥିବା ବେଳେ ଆମେ ଯାହା ସନ୍ଦେହ କରଥିଲୁ, ତାହା ଏବେ ସୁଦ୍ଧା ଘଟିଛି। ଏହି ଗୋଦାମ ସିଲ୍‌ ହେବ କି ନାହିଁ, ତାହା ନିଷ୍ପତ୍ତି ହୋଇନି। କିନ୍ତୁ ଆଳୁ ଗଦି ଏବେ ସିଲ୍‌ ହେବାର ନାହିଁ। ଆଳୁ ଗଦି ସିଲ୍‌ ହେଲେ ରାଜଧାନୀ ପାଇଁ ସମସ୍ୟା ସୃଷ୍ଟି ହେବାର ଥିବାରୁ ବିଏମ୍‌ସି ଏନେଇ ସତର୍କତାମୂଳକ ପଦକ୍ଷେପ ନେଉଛି।

ସମ୍ବନ୍ଧିତ ଖବର