ବାଣୀବିହାରକୁ କରୋନା ଡର, ଗୋବିନ୍ଦ ସାହୁ ମାର୍କେଟ୍‌ ସିଲ୍‌

ବିନା ବିଶୋଧନରେ ଖୋଲିଲା ବିଭାଗ, ଅନ୍ତେବାସୀ ବନ୍ଦୀ, ପଶ୍ଚିମବଙ୍ଗ ଶ୍ରମିକ ବୁଲୁଛନ୍ତି

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟ ଖୋଲିଛି। ବିନା ବିଶୋଧନରେ କ୍ୟାମ୍ପସରେ ଯୋଗଦେଇଛନ୍ତି ପ୍ରଫେସର ଓ କର୍ମଚାରୀ। କ୍ୟାମ୍ପସ ଖୋଲିବା ପୂର୍ବରୁ ସମସ୍ତ ଶ୍ରେଣୀଗୃହ, ବିଭାଗ, ବିଲ୍‌ଡିଂ, ହଷ୍ଟେଲକୁ ବିଶୋଧନ କରିବାକୁ କଡ଼ା ନିର୍ଦେଶ ଥିଲେ ମଧ୍ୟ ଏଠାରେ କିଛି ବି ପାଳନ କରାଯାଇ ନାହିଁ। କୋଭିଡ୍‌-୧୯ ନିୟମକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାଏଁ ବାଏଁ ଉଡାଇ ଦେଇଛନ୍ତି। ଏମିତିକି ପ୍ରତି ବିଭାଗର ପ୍ରବେଶ ପଥରେ ହାତଧୁଆ ପାଇଁ ବ୍ୟବସ୍ଥା କରାଯିବା ସହ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ନିର୍ଦେଶ ରହିଛି। ତେବେ ଏଠା‌କାର କିଛି ବିଭାଗ ଆଗରେ ପାଣି ରଖାଯାଇଥିଲେ ମଧ୍ୟ ସାନିଟାଇଜର ଦିଆଯାଇ ନାହିଁ। ଏମିତିକି ୧୪ ଦିନ ତଳେ ସିଲ୍‌ ହୋଇଥିବା ଇଂରାଜୀ, ଅର୍ଥନୀତି ଓ ଦର୍ଶନଶାସ୍ତ୍ର ବିଭାଗ ଖୋଲିଥିଲେ ମଧ୍ୟ ବିଲଡିଂକୁ ବିଶୋଧନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବଙ୍ଗାଳୀ ଶ୍ରମିକଙ୍କୁ ନେଇ କ୍ୟାମ୍ପସର ଅନ୍ତେବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେମାନେ ଯେଉଁଭଳି ଭାବେ କ୍ୟାମ୍ପସରେ ଖୁଲମ୍‌ଖୁଲା ବୁଲୁଛନ୍ତି ତାହାକୁ ନେଇ ଅନ୍ତେବାସୀ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପଟେ ସାମଗ୍ରୀ କିଣିବାକୁ କ୍ୟାମ୍ପସର ଅନ୍ତେବାସୀଙ୍କୁ ଭିଏସ୍‌ଏସ୍‌ ନଗର ହାଟକୁ ଛଡ଼ା ଯାଉ ନ ଥିବା ବେଳେ ଅନ୍ୟପଟେ ବଙ୍ଗାଳୀ ଶ୍ରମିକଙ୍କ କ୍ୟାମ୍ପସରେ ବିଚରଣକୁ ପ୍ରତିହତ କରିବାରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିଫଳ ହୋଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା କଥା ହେଉଛି ଯେ କ୍ୟାମ୍ପସରେ ଥିବା ଗୋବିନ୍ଦ ସାହୁ ମାର୍କେଟକୁ ଇତି ମଧ୍ୟରେ ସିଲ୍‌ କରାଯାଇଛି। ‌ମିଳିଥିବା ସୂଚନା ଅନୁଯାୟୀ ବିଶ୍ବବିଦ୍ୟାଳୟକୁ ଲାଗି ଥିବା ବିଶେଶ୍ବର ବସ୍ତିରେ ଜଣେ କରୋନା ଆକ୍ରାନ୍ତ ବାହାରିଛନ୍ତି। ଯିଏ କି ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ଗୋବିନ୍ଦ ସାହୁ ମାର୍କେଟରେ ବେପାର କରୁଥିବା ଜଣେ ବ୍ୟବସାୟୀ ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସମ୍ପୂର୍ଣ୍ଣ ମାର୍କେଟକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି। ଅପରପକ୍ଷରେ କ୍ୟାମ୍ପସରେ ରହୁଥିବା ଅନ୍ତେବାସୀଙ୍କ ଚିନ୍ତା ବଢ଼ାଇଛନ୍ତି ବଙ୍ଗାଳୀ ଶ୍ରମିକ। ୬ ଦିନ ତଳେ ଏଠାକୁ ଆସିଥିବା ଶ୍ରମିକମାନେ ଏବେ ଖୁଲମ୍‌ଖୁଲା କ୍ୟାମ୍ପସରେ ଘୂରି ବୁଲୁଛନ୍ତି। ଏମାନେ ‌ପ୍ରେକ୍ଷାଳୟରେ ରହୁଥିଲେ ମଧ୍ୟ ସେଠାରେ ଥିବା ଗୋଟିଏ ଶୌଚାଳୟ ପର୍ଯ୍ୟାପ୍ତ ହେଉନାହିଁ। କ୍ୟାମ୍ପସରେ ଥିବା ସୁଲଭ ଶୌଚାଳୟରେ ତାଲା ପଡ଼ିଛି। ଯେଉଁଥିପାଇଁ ଏମାନେ ବାହା‌ରେ ଶୌଚ କରୁଥିବା ଦେଖିବାକୁ ମିଳୁଛି। ସେପଟେ କ୍ୟାମ୍ପସରେ ଥିବା ଶୌଚାଳୟ ସଫା ହେଉ ନ ଥିବା ବି ଅଭିଯୋଗ ହୋଇଛି। ଡାଏରୀ ଡେସ୍‌ପାଚ୍‌ ନିକଟ ଶୌଚାଳୟ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଚୋକ୍‌ ହୋଇଥିବାରୁ ମହିଳା କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବିଶ୍ବବିଦ୍ୟାଳୟ ବରିଷ୍ଠ ଅଧିକାରୀମାନେ ୪ ଥାକିଆ ଗ୍ରିଲ୍‌ ଭିତରେ ସୁରକ୍ଷିତ ଭାବେ ରହୁଛନ୍ତି। ସେମାନେ ଯେଉଁ ବାଟରେ ଯାଉଛନ୍ତି ସେହି ରାସ୍ତାରେ ଆଉ କୌଣସି କର୍ମଚାରୀଙ୍କୁ ଛଡ଼ାଯାଉନି। ତେବେ କ୍ୟାମ୍ପସରେ ଥିବା ବାକି ପ୍ରଫେସର ଓ କର୍ମଚାରୀଙ୍କ ସୁରକ୍ଷାକୁ ବରିଷ୍ଠ ଅଧିକାରୀମାନେ ଭୁଲି ଯାଇଛନ୍ତି। ମୁଖ୍ୟ ଫାଟକକୁ ଛାଡ଼ି ବାକି ଦୁଇଟି ଫାଟକ ବନ୍ଦ କରାଯାଇଛି। ଅନ୍ତେବାସୀମାନେ କ୍ୟାମ୍ପସ ଭିତରେ ଏକପ୍ରକାର ବନ୍ଦୀ ଜୀବନ କାଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର