ପୁଣି ଡରେଇଲାଣି କରୋନା : ଦେଢ ମାସ ପରେ ରାଜଧାନୀରେ ଦୁଇ ଅଙ୍କ ଛୁଇଁଲା

ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀବାସୀଙ୍କୁ ପୁଣି ଡଣେଇଲାଣି କରୋନା। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ହଠାତ୍ ବଢ଼ିଯାଇଛି। ପ୍ରାୟ ଦେଢ଼ ମାସ କାଳ ଅର୍ଥାତ୍ ଜାନୁଆରି ୧୮ରୁ ଗତକାଲି ପର୍ଯ୍ୟନ୍ତ ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହୁଥିବାବେଳେ ଆଜି ଏହା ଦୁଇ ଅଙ୍କ ଛୁଇଁଛି। ଆଜି ଗୋଟିଏ ଦିନରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩ଜଣ ସଙ୍ଗରୋଧରେ ଥିବାବେଳେ ୧୦ଟି ମାମଲା ସ୍ଥାନୀୟ ସଂକ୍ରମଣ ଜନିତ ବୋଲି ଜଣାପଡ଼ିଛି। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ରହିବା ସୂଚାଇ ଦେଉଛି ଯେ ଏବେବି କରୋନା ଆକ୍ରାନ୍ତ ଜାଣତରେ ହେଉକି ଅଜାଣତରେ ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି। କୋଭିଡ୍‌ କଟକଣା ମାନୁନାହାନ୍ତି। ଅତ୍ୟଧିକ ଦେହ ଖରାପ ହେବା ପରେ ପରୀକ୍ଷା କରୁକରୁ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ୁଛନ୍ତି।

ବିଏମ୍‌ସିର ସୂଚନା ଅନୁଯାୟୀ, ଗତ ଜାନୁଆରି ୧୭ ତାରିଖରେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହୁଥିଲା। ଏପରିକି କେଉଁ ଦିନ ୮ଜଣ ତ କେଉଁଦିନ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ଆଜି ହଠାତ୍ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁଆରି ୧୭ ପୂର୍ବରୁ ମଧ୍ୟ ବହୁଦିନ ଧରି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ଥିଲା। ଦିନେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ପୁଣି କମିଯାଇଥିଲା। ତେଣୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଏହିଭଳି ଅଧିକ ବଢ଼ିବ ବୋଲି କହିହେବନି। କିନ୍ତୁ ଆମକୁ କୋଭିଡ କଟକଣା ମାନି ଚଳିବାକୁ ହେବ।

ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୩୨୦୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୧୬୬୧ ଜଣ ସୁସ୍ଥ ହୋଇସାରିଲେଣି। ଏବେବି ୮୧ଜଣ ଆକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୨୪୯ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର