ରାଜଧାନୀରେ କରୋନା ଡର : ହସ୍ପିଟାଲକୁ କମିଛି ରୋଗୀଙ୍କ ଆଗମନ

ଚନ୍ଦ୍ରଶେଖରପୁର : ଲୋକଙ୍କୁ ଘାରିଛି କରୋନା ଭୟ। ଆଉ କେହି ମେଡିକାଲ ଆସୁନାହାନ୍ତି। ଥଣ୍ଡା, କାଶ, ଛିଙ୍କ ହେଲେ ‌ପଦାକୁ ବି ବାହାରୁ ନାହାନ୍ତି। କାଳେ କରୋନା ଆକ୍ରାନ୍ତ ହୋଇଯିବେ, ସେହି ଭାବ‌ନାରେ ଲୋକେ ‌ମେଡିସିନ୍‌ କିଣି ଖାଇ ‌ଦେଉଥିଲେ ମଧ୍ୟ ରୋଗ ଦେଖାଇବାକୁ ହସ୍ପିଟାଲ ଦୁଆରମୁହଁ ମାଡ଼ୁ ନାହାନ୍ତି। କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଘରୋଇ ମେଡିକାଲ ପର୍ଯ୍ୟନ୍ତ, ସବୁଠି ସମାନ ଚିତ୍ର। କରୋନା ପୂର୍ବରୁ ଯେଉଁ ହସ୍ପିଟାଲର ଓପିଡିରେ ଦୈନିକ ଶହେ ରୋଗୀ ଚିକିତ୍ସା ପାଇଁ ଧାଡ଼ିରେ ରହୁଥିଲେ, ଏବେ ୪୦ ଟପିବା ବି ମୁସ୍କିଲ ହୋଇପଡ଼ୁଛି। ଜୁନ୍‌ ପହିଲାଠାରୁ କଟକଣା ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ଲୋକଙ୍କ ମନରୁ ଭୟ ‌ଦୂର ହୋଇନି। ଏବେ ବି ହସ୍ପିଟାଲଗୁଡ଼ିକରେ ସମାନ ଚିତ୍ର ଦେଖିବାକୁ ମିଳୁଛି।

telegraphindia.com

ମିଳିଥିବା ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲକୁ ଆଉ ଆଗଭଳି ରୋଗୀ ଆସୁନାହାନ୍ତି। କରୋନା ପୂର୍ବରୁ କେବଳ ଆଉଟଡୋର୍‌ରେ ଦେଖାଇବା ପାଇଁ ଏଠାକୁ ପ୍ରତିଦିନ ୩ ହଜାର ରୋଗୀ ଆସିଥାନ୍ତି। ଏମିତିକି ଦିନେ ଦିନେ ୪ ହଜାର ବି ଟପିଯାଏ। କିନ୍ତୁ ଏବେ ଏହି ସଂଖ୍ୟା ଦୁଇ ହଜାର ଟପିବା ବି କଷ୍ଟକର ହୋଇପଡ଼ୁଛି। ଏପ୍ରିଲ ମାସରେ ଏଠାରେ ରୋଗୀଙ୍କ ସଂଖ୍ୟା ପାଖାପାଖି ୮୦ପ୍ରତିଶତ କମିଥିଲା। ମେ’ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ତେବେ ସନ୍ତୋଷଜନକ ହୋଇପାରିନାହିଁ। ସେହିପରି ଇନଡୋର୍‌ ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଛି। କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ, ରାଜଧାନୀର ସମସ୍ତ ସରକାରୀ ହସ୍ପିଟାଲରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

ଚନ୍ଦ୍ରଶେଖରପୁର, ‌ନୀଳାଦ୍ରିବିହାର, ଗାଡ଼କଣ, ପଟିଆ, କାନନବିହାର, ଜାଭିଅର ଛକ ପ୍ରଭୃତି ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ଏପ୍ରିଲ ଓ ମେ’ ମାସରେ ରୋଗୀଙ୍କ ସଂଖ୍ୟା କମିଥିଲା। କରୋନା ପୂର୍ବରୁ ଡାକ୍ତରଙ୍କୁ ଦେଖାଇବା ଲାଗି ଯେଉଁଭଳି ଲମ୍ବା ଲାଇନ୍‌ ଲାଗୁଥିଲା, ଗତ ଦୁଇ ମାସରେ ସେଭଳି ଭିଡ଼ ନ ଥିଲା। ଜୁନ୍‌ ମାସରେ ରୋଗୀଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। କରୋନା ଭୟ ଅନ୍ୟ ରୋଗୀଙ୍କୁ ଚିନ୍ତାରେ ପକାଇଛି। ରୁଟିନ୍‌ ଚେକଅପ୍‌ଠାରୁ ଆରମ୍ଭ କରି ଥଣ୍ଡା, ଜ୍ୱର ଦେଖାଇବା ପାଇଁ ଆଉ ଆଗ ଭଳି ରୋଗୀ ଆସୁ ନ ଥିବା ଏକ ସରକାରୀ ହସ୍ପିଟାଲର ଡାକ୍ତର କହିଛନ୍ତି। ଯେଉଁମାନେ ହସ୍ପିଟାଲ ଆସୁଛନ୍ତି, ସେମାନଙ୍କ ମଧ୍ୟରେ ଏବେ ବି ଭୟ ରହୁଛି। କାଳେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଯିବେ, ସେନେଇ ମନରେ ଶଙ୍କା ପ୍ରକାଶ ପାଉଛି।

Mumbai Live

ସବୁଠାରୁ ବଡ଼ କଥା ହେଉଛି ଯେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍‌-୧୯ ରୋଗୀ କେବଳ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବେ। ତେଣୁ ଅନ୍ୟ ହସ୍ପିଟାଲକୁ ଯିବାକୁ ଅସୁବିଧା ନାହିଁ। ଏହାପରେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ଦାନ୍ତ, ଗଣ୍ଠିବାତ, ମୁଣ୍ଡବିନ୍ଧା, ପେଟ ସଂକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମ୍‌ ହୋଇଛି। ଅର୍ଥାତ ଆଗରୁ ଯେଉଁ ଡାକ୍ତରମାନେ ଦିନକୁ ଶତାଧିକ ରୋଗୀ ଦେଖୁଥିଲେ, ଏବେ ସେମାନେ ୨୦ରୁ ୩୦ ରୋଗୀ ଦେଖୁଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲର ସୂଚନା‌ ଅନୁଯାୟୀ, ଲୋକଙ୍କୁ କରୋନା ଭୟ ଏତେ ଘାରିଛି ଯେ ଅନ୍ୟାନ୍ୟ ରୋଗୀ ବି ମେଡିକାଲ ଆସୁନାହାନ୍ତି। ରୋଗୀ ସେବା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଉଭୟ ଇନ୍‌ଡୋର ଓ ଆଉଟ୍‌ଡୋର୍‌ରେ ରୋଗୀଙ୍କ ସଂଖ୍ୟା ଆଗ ଭଳି ରହୁନାହିଁ। ଯେଉଁ ରୋଗୀମାନେ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି, ସେମାନେ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ଆସୁଛନ୍ତି। ନ ହେଲେ ଛୋଟ ରୋଗରେ ଆକ୍ରାନ୍ତ ରୋଗୀ ଆଗ ଭଳି ଆସୁନାହାନ୍ତି। ଏପ୍ରିଲ ମାସରେ ଜଣେ ଦୁଇ ଜଣ ରୋଗୀ ଆସୁଥିଲେ। ମେ’ରେ ସାମାନ୍ୟ ବଢ଼ିଥିଲେ। ଭୁବନେଶ୍ବରରେ କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁ ଥିବାରୁ ରୋଗୀଙ୍କ ସଂଖ୍ୟା ଟିକିଏ ବଢ଼ିଛି। ତେବେ ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ରାଜ୍ୟ ସରକାର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଥିବାରୁ ପୁଣିଥରେ ରୋଗୀ ସେବା ପ୍ରଭାବିତ ହୋଇପାରେ। ତେବେ ଦୈନିକ ‌କେତେ କ୍ଷତି ହେଉଛି, ସେନେଇ କହିପାରିବି ନାହିଁ।

ସମ୍ବନ୍ଧିତ ଖବର