କରୋନା ଭୟ: ବସ୍‌, ଟ୍ରେନ୍‌ରେ ଚଢ଼ୁନାହାନ୍ତି

‌ଖାଲିପଡ଼ୁଛି ଟ୍ରେନ୍‌ର ୪୫% ସିଟ୍‌, ଜଣେ ଦୁଇ ଜଣରେ ଗଡ଼ୁଛି ମୋ’ ବସ୍‌

ଭୁବନେଶ୍ବର: କରୋନା ବ୍ୟାପୁଥିଲେ ମଧ୍ୟ ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ କୋହଳ କରାଯାଇଛି। ରାଜ୍ୟ ଭିତରେ ବସ୍‌, ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ୍‌ ଓ ଟ୍ରେନ୍‌ ଗଡ଼ୁଛି। ଗତ ୮ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ୬ଟି ଟ୍ରେନ୍‌ ଗଡ଼ୁଥିବା ବେଳେ ୨୦ଟି ରୁଟ୍‌ରେ ଓଏସ୍‌ଆରଟିସି ବସ୍‌ ଚଳାଚଳ କରୁଛି। ତେବେ ବସ୍‌ ଓ ଟ୍ରେନ୍‌‌ରେ ଯାତ୍ରୀ ହେଉ ନାହାନ୍ତି। ଟ୍ରେନ୍‌ରେ ୪୫ ପ୍ରତିଶତ ସିଟ୍‌ ଖାଲି ପଡ଼ୁଛି। ବସ୍‌ ଅବସ୍ଥା‌ ନ କହିବା ଭଲ। ଦିନେ ଦିନେ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ଏକ ଅଙ୍କ ବି ଟପୁ ନାହିଁ। ପରିସ୍ଥିତି ଏମିତି ହେଲାଣି ଯେ ରାଜ୍ୟରେ ଗଡ଼ୁଥିବା ଓଏସ୍‌ଆରସିଟି ବସ୍‌ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଭିତରେ ୬ଟି ଟ୍ରେନ୍‌ ଗଡ଼ୁଛି। ସେଥିମଧ୍ୟରୁ ୫ଟି ଟ୍ରେନ୍‌ ଯଥା ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌, ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(ଭାୟା ସମ୍ବଲପୁର-ରାୟଗଡ଼ା), ରାଉରକେଲା-ଭୁବନେଶ୍ବର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଗଡ଼ୁଛି। ଏଥିସହ ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟ ଚଳାଚଳ ଆରମ୍ଭ କରିଛି। ତେବେ ଏହି ଟ୍ରେନ୍‌ଗୁଡ଼ିକ‌ରେ ଆବଶ୍ୟକୀୟ ଯାତ୍ରୀ ହେଉନାହାନ୍ତି। ପ୍ରତି ଟ୍ରେନ୍‌ରେ ୬୦୦ରୁ ୭୦୦ ଯାତ୍ରୀ ଯିବା ଭଳି କ୍ଷମତା ରହିଛି। ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ଟ୍ରେନ୍‌ରେ ଯିବା ଲାଗି ବ୍ୟାପକ ବ୍ୟବସ୍ଥା ବି ହୋଇଛି। ହେଲେ ଯିବା ପାଇଁ ପ୍ରତି ଟ୍ରେନ୍‌ରେ ପ୍ରାୟ ୩୫୦ ଟିକେଟ୍‌ ବୁକିଂ ହେଉଛି। ଗଲା ବେଳକୁ ୨୦ରୁ ୩୦ ଜଣ ଯାଉ ଥିବା ପରିଲକ୍ଷିତ କରାଯାଉଛି।

ବିଶେଷସୂତ୍ରୁରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ୮ରେ ଟ୍ରେନ୍‌ ସେବା ଆରମ୍ଭ ପରେ ମାତ୍ର ୩୦ ପ୍ରତିଶତ ସିଟ୍‌ ପୂରଣ ହେଉଥିଲା। ‌୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଥିଲା। ତେବେ ପରବର୍ତୀ ସମୟରେ ଯାତ୍ରୀଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିଲା। ଗତ ସପ୍ତାହରେ ୫୦ରୁ ୫୫ ପ୍ରତିଶତ ସିଟ୍‌ ପୂରଣ ହୋଇଥିଲା। ଶନିବାର ଓ ରବିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ବି ବଢ଼ିଛି। ଯେଉଁଥିପାଇଁ ଯାତ୍ରୀଙ୍କ ମଧ୍ୟରେ ଏକପ୍ରକାର ଛନକା ପଶିଛି। ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହୁଛି ସତ। ଏହାଦ୍ବାରା ଟ୍ରେନ୍‌ରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରହିବା ସହ କରୋନା ଭଳି ରୋଗକୁ ରୋକିବାରେ ସଫଳତା ମିଳିପାରିଛି। ଯାତ୍ରୀଙ୍କ ସୁରକ୍ଷାକୁ ଆମେ ସବୁବେଳେ ପ୍ରାଥମିକତା ଦେଉଛୁ। ନିୟମିତ ଭାବେ ଷ୍ଟେସନକୁ ବିଶୋଧନ କରାଯା‌ଉଛି। ଚଢ଼ିବା ପୂର୍ବରୁ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପ‌କ୍ଷରେ ଭୁବନେଶ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଗଡ଼ୁଥିବା ବସ୍‌ରେ ଲୋକ ହେଉନାହାନ୍ତି। ଯଦି କାଁ ଭାଁ ଘରୋଇ ବସ୍‌ ଚାଲୁଛି ‌ତାହା କେବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଛାଡ଼ିବ ଡ୍ରାଇଭର ବି ଜାଣିନାହାନ୍ତି। କରୋନା ଭୟରେ ଯାତ୍ରୀ ଆସୁ ନ ଥିବାରୁ ଗାଡ଼ି ମାଲିକମାନେ ବସ୍‌ ଚଲାଇବାକୁ ଉଚିତ୍‌ ମଣୁନାହାନ୍ତି। ସେମାନଙ୍କର ଖର୍ଚ୍ଚ ହେଉଥିବା ଅର୍ଥ ଉଠୁ ନ ଥିବାରୁ ବସ୍‌ରେ ଯାତ୍ରୀ ହେଲେ ବସ୍‌ଷ୍ଟାଣ୍ଡ ଛାଡ଼ିବାକୁ କୁହାଯାଉଛି। ‌ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଜଣେ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ କହିବାନୁଯାୟୀ ବସ୍‌ରେ ଦୈନିକ ଯେତିକି ଖର୍ଚ୍ଚ ହେଉଛି ସେହି ଅନୁଯାୟୀ ଅର୍ଥ ଉଠୁନି। କେତେବେଳେ କେମିତି ଯାତ୍ରୀ ଚଢ଼ୁଛନ୍ତି। ବସ୍‌କୁ ବିଶୋଧନ କରିବାକୁ ପଡ଼ୁଛି। ଯାତ୍ରୀ ଓ ଆମମାନଙ୍କ ସୁରକ୍ଷା ପାଇଁ ଏଭଳି ବିଶୋଧନ କରାଯାଉଛି। ଏ ବାବାଦରେ ଯେତିକି ଖର୍ଚ୍ଚ ହେଉଛି ଯାତ୍ରୀ ଭଡ଼ା ବି ସେତିକି ଉଠୁନି। ତେଣୁ ସିଟ୍‌ର ୬୦ ପ୍ରତିଶତ ଲୋକ ନ ହେଲେ ବସ୍‌ଷ୍ଟାଣ୍ଡ ଛାଡ଼ୁନୁ।

ଜଣେ ଦୁଇ ଜଣରେ ଗଡ଼ୁଛି ମୋ’ ବସ୍‌
ଭୁବନେଶ୍ବର ସହର ମଧ୍ୟରେ ଗଡ଼ୁଥିବା ମୋ’ ବସ୍ ଅବସ୍ଥା ବି ସମାନ। ବସ୍‌ରେ ଯାତ୍ରୀ ହେଉ ନାହାନ୍ତି। ଏମିତିକି ଜଣେ ଦୁଇ ଜଣ ଯାତ୍ରୀଙ୍କୁ ‌ନେଇ ବସ୍‌ ଗଡ଼ୁଛି। ନିୟମ ଅନୁଯାୟୀ ବସ୍‌ଗୁଡ଼ିକ ନିର୍ଦ୍ଧାରିତ ସମୟରେ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ ଛାଡ଼ୁଛି। ଏହା ବିଭିନ୍ନ ରୁଟ୍‌ରେ ଯିବା ସମୟରେ ଅଳ୍ପ ସଂଖ୍ୟକ ଯାତ୍ରୀ ଚଢ଼ୁଥିବା ଦେଖିବାକୁ ମିଳୁଛି। ବସ୍‌ଷ୍ଟାଣ୍ଡରେ ଅପେକ୍ଷାରତ ଯାତ୍ରୀଙ୍କୁ ବି ଦେଖିବାକୁ ବି ମିଳୁନି। ବସ୍‌ଗୁଡ଼ିକ ସମସ୍ତ ଷ୍ଟପ୍‌ରେ ରହୁଥିଲେ ମଧ୍ୟ କେହି ଚଢ଼ୁନାହାନ୍ତି। ହାଉଯାଉ ହେଉଥିବା ବସ୍‌ଷ୍ଟପ୍‌କୁ ବି ଲୋ‌କେ ଆସୁ ନାହାନ୍ତି। କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଏଭଳି ଭୟ ଖେଳିଯାଇଛି ଯେ ବସ୍‌ରେ ଯିବା ପରବର୍ତେ ସେମାନେ ବାଇକ୍‌ ଓ କାର ଯୋଗେ ଯିବାକୁ ଉଚିତ୍‌ ମଣୁଛନ୍ତି।

ସମ୍ବନ୍ଧିତ ଖବର