ରାଜଧାନୀର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଆଇଗିଣିଆ କୁବେରପୁରୀକୁ କରୋନା ଭୟ, ଶ୍ରମିକ ଅଭାବରୁ ଦରବୃଦ୍ଧି

ଭୁବନେଶ୍ବର : ରାଜଧାନୀର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଆଇଗିଣିଆ କୁବେରପୁରୀକୁ କରୋନା ଭୟ ଘାରିଛି। ଶ୍ରମିକ ଅଭାବ ଏବେ ଏଠି ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି। କମ୍ ସଂଖ୍ୟକ ଅଣଓଡ଼ିଆ ଶ୍ରମିକମାନେ ଅଧିକ ପାରିଶ୍ରମିକ ଦାବି କରିବାରୁ ପରୋକ୍ଷରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଘଟୁଛି। ବିଶେଷକରି ପଶ୍ଚିମବଙ୍ଗ ଆଳୁ ଗାଡ଼ିରୁ ମାଲ୍ ଓହ୍ଲାଇବାକୁ ସେମାନେ ଅଧିକ ପାରିଶ୍ରମିକ ଦାବି କରୁଥିବାରୁ ଦିନକୁ ଦିନ ଆଳୁ ଦର ବୃଦ୍ଧି ପ‌ାଉଛି।

ପ୍ରତିଦିନ ଏଠାକୁ ଶହ ଶହ ଟ୍ରକ୍ ଆସୁଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରୁ ପରିବା ପତ୍ର ନେଇ ନିୟମିତ ମାଲବାହୀ ଟ୍ରକ୍ ଆସୁଛି। ସେହିଭଳି ଛତିଶଗଡ଼, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ମଧ୍ୟ ଡାଲି ଓ ତେଜରାତି ସାମଗ୍ରୀ ଭଳି ମାଲ୍ ନେଇ ଟ୍ରକ ସବୁ ଆସୁଛି। ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଅଧିକ ହୋଇଥିବାରୁ ସେଠାରୁ ଆସୁଥିବା ଟ୍ରକ୍‌ ଚାଳକ ଓ ହେଲପ୍‌ରମାନଙ୍କ ଉପରେ କୁବେରପୁରୀ ଶ୍ରମିକମାନଙ୍କ ସନ୍ଦେହ ରହୁଛି। ଏବେ ପଶ୍ଚିମବଙ୍ଗରୁ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଓଡ଼ିଆ ଲୋକ ରାଜ୍ୟକୁ ଆସିଥିବାରୁ ପଶ୍ଚିମବଙ୍ଗ ଟ୍ରକ୍ ଚାଳକ ଓ ହେଲପ୍‌ରଙ୍କୁ ଶ୍ରମିକମାନେ ଅଧିକ ସନ୍ଦେହ କରୁଛନ୍ତି। ଗାଡ଼ିରୁ ମାଲ୍‌ ଖାଲି କଲା ବେଳେ ସେହି ଚାଳକ ଓ ହେଲ୍‌ପରମାନଙ୍କୁ ସାନିଟାଇଜ୍ କରିବା ସହ ଦୂରେଇ ରଖାଯାଉଥିଲେ ମଧ୍ୟ ଶ୍ରମିକମାନଙ୍କ ଭୟ କମୁ ନାହିଁ। ଫଳରେ ତାଲାବନ୍ଦ ପରେ ଯେଉଁ ଶ୍ରମିକମାନେ ଗାଁକୁ ପଳାଇଥିଲେ, ସେମାନେ ଫେରିବାକୁ ନାରାଜ। ଯେଉଁ କିଛି ଶ୍ରମିକ ଏଠାରେ ରହି ଯାଇଥିଲେ, ସେମାନେ ଏହି ସବୁ ଗାଡ଼ିରୁ ମାଲ୍ ଖାଲି କରିବାକୁ ଇଚ୍ଛା କରୁନାହାନ୍ତି। ଏହି ମଉକାରେ ଅଣଓଡ଼ିଆ ଶ୍ରମିକମାନେ ଅଧିକ ପାରିଶ୍ରମିକ ଦାବି କରୁଛନ୍ତି ଓ ବ୍ୟବସାୟୀମାନେ ଗଣିବାକୁ ବାଧ୍ୟ ହେଉଛନ୍ତି। ବ୍ୟବସାୟୀମାନେ ଦେଉଥିବା ଅଧିକ ପାରିଶ୍ରମିକ ଖାଉଟିଙ୍କ ଉପରେ ଲଦୁଛନ୍ତି। ତିନି ଦିନ ହେଲା ଏହି କାରଣରୁ ଆଳୁ ଦର ବଢ଼ୁଥିବା କୁହାଯାଉଛି। ଓଡ଼ିଶା-ପଶ୍ଚିମବଙ୍ଗ କରୋନା ଲିଙ୍କକୁ ନେଇ ଚର୍ଚ୍ଚା ଅଧିକ ହେବା ପରଠାରୁ ଆଳୁ ଦର ବଢ଼ୁଛି। ତିନି ଦିନ ପୂର୍ବେ କ୍ବିଣ୍ଟାଲ ୧୫/୧୬ ଶହ ଟଙ୍କା ଥିବା ଆଳୁ ଦର ଏବେ ସାଢ଼େ ୧୮ ଶହକୁ ଛୁଇଁଗଲାଣି। ଏବେ ପଶ୍ଚିମବଙ୍ଗ ଓଡ଼ିଶା ସୀମାରେ କଡ଼ା କଟକଣା ସାଙ୍ଗକୁ ଆଳୁ ଆମଦାନି କମିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଓଡ଼ିଶାରେ ଆଳୁ ଦର ପୁଣି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର