କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଟିଆ ଅଞ୍ଚଳରେ ଆତଙ୍କ

ଚନ୍ଦ୍ରଶେଖରପୁର : ପଟିଆ ଅଞ୍ଚଳରୁ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ଆଜି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଲୋକମାନେ ସଟ୍‌ଡାଉନ୍ ପରିସ୍ଥିତିରେ ଘରୁ ବାହାରୁ ନଥିଲାବେଳେ ସ୍ଥାନୀୟ ଅଞ୍ଚଳରୁ ଆକ୍ରାନ୍ତ ବାହାରିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଚନ୍ଦ୍ରଶେଖରପୁର ପୁଲିସ୍ ସୂଚନା ଅନୁଯାୟୀ ଗତକାଲି ରାତିରେ ପଟିଆ ଅଞ୍ଚଳରୁ ବାପା ଓ ଝିଅ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇଟି ଆମ୍ବୁଲାନସ୍‌ରେ ଆକ୍ରନ୍ତଙ୍କୁ ନିକଟସ୍ଥ କିମସ୍ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନଙ୍କ ଭ୍ରମଣ ତଥ୍ୟ ଅନୁଯାୟୀ ଦୁଇ ଆକ୍ରାନ୍ତ ଓ ଝିଅର ମା’ ଗତ ୨୭ ତାରିଖରେ ଦିଲ୍ଲୀରୁ ଭୁବନେଶ୍ବର ଫେରି‌ଥିଲେ। ସେମାନେ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ସାତଦିନ ଧରି ଦିଲ୍ଲୀ ଯାଇଥିଲେ। ଫେରିବା ପରେ ବିମାନବନ୍ଦରରୁ ଘରକୁ ଆସି ଆପାର୍ଟମେଣ୍ଟ ଭିତରେ ପ୍ରବେଶ ପୂର୍ବରୁ ସ୍ଥାନୀୟ ଲୋକ ସେମାନଙ୍କ ସହ ବଚସା କରିଥିଲେ। ଏହାପରେ ସେମାନଙ୍କୁ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ପରେ ସେମାନେ ହୋମ କ୍ବାରାଣ୍ଟିନ୍‌ରେ ରହିଥିଲେ। ମାତ୍ର ଗତକାଲି ସକାଳେ ବାପା ଓ ଝିଅ ଆକ୍ରାନ୍ତ ଥିବା ଜଣାପଡ଼ିବାରୁ ପ୍ରଥମେ ଏକ ଡାକ୍ତରୀଦଳ ସେମାନଙ୍କ ନିକଟରେ ପହଞ୍ଚି ପ୍ରାଥମିକ ସୂଚନା ଦେଇଥିଲେ। ପରେ ରାତିରେ ସେମାନଙ୍କୁ ଆମ୍ବୁଲାନସ୍ ଯୋଗେ ହସ୍ପିଟାଲ୍ ନେଇଥିଲେ।

ତେବେ ଆକ୍ରାନ୍ତ ଦୁଇ ଜଣ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରିବା ଓ କିଛି ଦୋକାନକୁ ଯାଇ ଜିନିଷପତ୍ର କିଣିଥିବା ସୂଚନା ମିଳିବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ କେତେକ ଦୋକାନକୁ ସିଲ୍ କରିଛି। ଲୋକମାନେ ଏସବୁ ସୂଚନା ପାଇବା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଲୋକଙ୍କୁ ଭୟ ନକରିବା ପାଇଁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର