ବିମାନଯାତ୍ରୀଙ୍କୁ କରୋନା ଭୟ

ଦୁଇ ମୁମ୍ବାଇ ଫେରନ୍ତା ଆକ୍ରାନ୍ତ, ଆଉ ୨ ଯାତ୍ରୀଙ୍କ ପରୀକ୍ଷା ହେଲା

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରେ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ ହେଉଥିବାବେଳେ ଯେଉଁମାନଙ୍କର ଲକ୍ଷଣ ଅଛି ବା ଯେଉଁମାନେ ଇଚ୍ଛା କରୁଛନ୍ତି ସେମାନଙ୍କର ଆର୍‌ଟିପିସିଆର୍ ପରୀକ୍ଷା ହେଉଛି। ଦୁଇ ଦିନ ହେଲା ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ଦୁଇ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ଜଣ ଯାତ୍ରୀ ମୁମ୍ବାଇରୁ ଫେରିଥିବାବେଳେ ଜଣେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟ ଜଣଙ୍କ ଘରେ ଆଇସୋଲେସନରେ ଅଛନ୍ତି। ବିଏମ୍‌ସି ପକ୍ଷରୁ ସକାଳ ୭ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ କରୋନା ପରୀକ୍ଷା କରାଯାଉଥିଲେ ହେଁ ଆଜି ମାତ୍ର ଆଉ ୨ ଯାତ୍ରୀ କରୋନା ପରୀକ୍ଷା କରିଛନ୍ତି। ଯାତ୍ରୀମାନେ ବିମାନବନ୍ଦରରେ କରୋନା ପରୀକ୍ଷା କରିବାକୁ ରାଜି ହେଉନଥିବା ବିଏମ୍‌ସି ସୂତ୍ରରୁ ଜାଣିବାକୁ ମିଳିଛି।

ଆଜି ପ୍ରାୟ ୩ହଜାର ଯାତ୍ରୀ ବିଭିନ୍ନ ବିମାନରେ ଆସିଥିଲେ ହେଁ ଜଣେ ଯାତ୍ରୀ ସ୍ବଇଚ୍ଛାରେ ଆରଟିପିସିଆର୍ ପରୀକ୍ଷା କରିଥିଲେ। ବିମାନବନ୍ଦରରେ ସ୍କ୍ରିନିଂ କରୁଥିବା କର୍ମଚାରୀଙ୍କ କହିବାନୁଯାୟୀ, ଯାତ୍ରୀଙ୍କୁ ଆରଟିପିସିଆର୍‌ ‌ପରୀକ୍ଷା କରିବାକୁ କୁହାଯାଉଥିଲେ ହେଁ ସେମାନେ ମଙ୍ଗୁନାହାନ୍ତି। କାହାକୁ ବାଧ୍ୟ କରିବାକୁ ନିୟମ ନ ଥିବାରୁ ବହୁ ଯାତ୍ରୀଙ୍କର ଥଣ୍ଡା କାଶ ହେଉଥିଲେ ହେଁ ସେମାନେ କରୋନା ପରୀକ୍ଷା ନ କରି ପଳାଉଛନ୍ତି। ଏବେ ଭୁବନେଶ୍ବରକୁ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଯାତ୍ରୀଙ୍କୁ କରୋନା ପରୀକ୍ଷା କରିବାକୁ କୁହାଯାଉଛି। କିନ୍ତୁ କେହି ରାଜି ହେଉନାହାନ୍ତି।

ସମ୍ବନ୍ଧିତ ଖବର