କଟକ: ରାତିରେ ବୃଦ୍ଧା ମା’ଙ୍କର ଗାଁରେ ଦେହାନ୍ତ ହୋଇଗଲା। ଖବର ପାଇ କଟକରେ ରହୁଥିବା ପୁଲିସ ଅଫିସର ନାରାୟଣ ମହାରଣା ଜଗତସିଂହପୁର ଚାଲିଯାଇଥିଲେ। ଶବ ସତ୍କାର ପରେ ଅଧରାତିରେ ହିଁ କଟକ ଫେରିଥିଲେ। ଭୋର୍‌ରୁ ସତୀଚଉରା ଛକରେ ଡ୍ୟୁଟିରେ ନିୟୋଜିତ ହୋଇଥିଲେ। ଆଜି ସୁଦ୍ଧା କୌଣସି ଛୁଟି ନ ନେଇ ସେ ଡ୍ୟୁଟି କରୁଛନ୍ତି। ନାରାୟଣଙ୍କ ଏଭଳି କାର୍ଯ୍ୟ ପୁଲିସ ବିଭାଗରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Advertisment

publive-image

ସୂଚନା ଅନୁଯାୟୀ, କମିସନରେଟ ପୁଲିସର ରିଜର୍ଭ ଅଫିସରେ ନିଯୁକ୍ତି ପାଇଥିବା ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଅନ୍ତର୍ଗତ ପୋଲରର ନାରାୟଣ ଦୀର୍ଘ ୩୮ ବର୍ଷ ହେବ ପୁଲିସ ବିଭାଗରେ ଚାକିରି କରିଆସୁଛନ୍ତି। ଏବେ ତାଙ୍କୁ ୫୪ ବର୍ଷ। ପରିବାର ସହିତ ସେ ଯୋବ୍ରାରେ ରୁହନ୍ତି। ଗଲା ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ବେଳେ ଗାଁରେ ଥିବା ତାଙ୍କ ମା’ଙ୍କ ବାର୍ଦ୍ଧକ୍ୟ ଜନିତ ରୋଗରେ ଦେହାନ୍ତ ହୋଇଯାଇଥିଲା। ସେଦିନ ରାତିରେ ସେ ଗାଁରେ ପହଞ୍ଚି ସଂସ୍କାର କାର୍ଯ୍ୟ ଶେଷକରି ପୁଣି ରାତି ୩ଟା ବେଳେ କଟକ ଫେରିଆସିଥିଲେ। ଭୋର ପ୍ରାୟ ୫ଟାବେଳେ ସତୀଚଉରା ଛକରେ କରୋନା ପାଇଁ ଖୋଲିଥିବା ପୁଲିସର ଅସ୍ଥାୟୀ ଏଡ ପୋଷ୍ଟରେ ଡ୍ୟୁଟି କରିଥିଲେ। ଏ ସମ୍ପର୍କରେ ନାରାୟଣ କୁହନ୍ତି ଯେ ଯେହେତୁ ଲୋକଙ୍କ ସେବା କରିବା ପାଇଁ ପୁଲିସ ଚାକିରି କରିଛି, ବର୍ତ୍ତମାନ ସମୟରେ ଡ୍ୟୁଟିକୁ ପ୍ରାଥମିକତା ଦେବାକୁ ପଡ଼ିବ। ଦିନକ ପୂର୍ବରୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଅନୁରୂପ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବାବେଳେ କଟକର ଜଣେ ପୁଲିସ ଅଧିକାରୀଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।