କରୋନା ମାନବଜାତିକୁ ମହାଶିକ୍ଷା ଦେଇଛି

ଭୁବନେଶ୍ବର: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ) ସହଭାଗିତାରେ ଆୟୋଜିତ ୱେବିନାର୍‌ରେ ‘କରୋନା କିଭଳି ମଣିଷ ଜାତିକୁ ଆହୁରି ବଳିଷ୍ଠ କରିଛି’ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ମେଜର ଜେନେରାଲ୍‌ ବସନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରି କହିଲେ, କ‌ରୋନା ମାନବଜାତିକୁ ମହାଶିକ୍ଷା ଦେଇଛି। ଏ କରୋନା ସଙ୍କଟ କାଳରେ ସାମାଜିକ, ଅର୍ଥନୈତିକ, ଆଧ୍ୟାତ୍ମିକ ତଥା ବୈଷୟିକ ଦିଗରେ ମଣିଷ ନିଜକୁ କେବଳ ଖାପ ଖୁଆଇନାହିଁ ବରଂ ଅଗ୍ରସର ହେବା ପାଇଁ ଚେଷ୍ଟା କରି ଚାଲିଛି। ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର କହିଲେ, କରୋନା ଭୂତାଣୁର ଉତ୍ପତ୍ତି ସହ ବିଶ୍ବବ୍ୟାପୀ ସଂକ୍ରମଣ ଫଳରେ ମାନସିକ ବିଷ‌ାଦଗ୍ରସ୍ତ ହୋଇଛି। ତେବେ ବି ମଣିଷଜାତି କରୋନା ପାଖରେ ହାର୍‌ ନମାନି ତା’ ଉପରେ ବିଜୟ ନିମନ୍ତେ ଚେଷ୍ଟା କରିଚାଲିଛି। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଲେ, ମଣିଷ ଜାତି କରୋନା ପାଖେ ହାର୍‌ ମାନିବାର ପ୍ରଶ୍ନ ଉଠୁନାହିଁ। ବିଶ୍ବ, ଭାରତ ତଥା ଓଡ଼ିଶାର ସାହିତ୍ୟରେ କରୋନାର ଝଲକ କିଭଳି ପ୍ରତି‌ଫଳିତ ହୋଇଛି ତା’ର ଉଦାହରଣ ସହ ସାତ୍ତ୍ବିକ ଆହାର ଆପଣେଇ ନେଲେ ବହୁ ରୋଗ ଦୂର ‌ହୋଇପାରିବ ବୋଲି କହିଥିଲେ। ମୁକ୍ତ ଚିନ୍ତନ ମଞ୍ଚର ସଭାପତି ସାତକଡ଼ି ହୋତା କହିଥିଲେ, ପ୍ରକୃତି ମହାଶିକ୍ଷା ଦେଇଛି। ଆଧ୍ୟାତ୍ମବାଦ ଦିଗରେ ଆଗେଇ ଯାଇ ଯୋଗ ଓ ଧ୍ୟାନକୁ ପ୍ରାଧାନ୍ୟ ଦେବାକୁ ସେ ଉପଦେଶ ଦେଇଥିଲେ। ସୋଆର ଡିନ୍‌ ସ୍ଥିତକଣ୍ଠ ମିଶ୍ର, ନିର୍ଦେଶକ ଯୁଗଳ କିଶୋର ଦାସ ଓ ଏସ୍‌ ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ସଭା ସଞ୍ଚାଳନ କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର