ରୋଜଗାର ଛଡ଼ାଇନେଲା କରୋନା, ଜୀବନ ସଂଗ୍ରାମରେ ପେଷି ହେଉଛନ୍ତି ମଞ୍ଜରୀ

ଭୁବନେଶ୍ବର: ପକ୍ଷାଘାତରେ ରୋଗରେ ପଡ଼ି ପଡ଼ି ସ୍ବାମୀ ଆଖି ବୁଜିଦେଲେ। ରୋଗିଣା ବଡ଼ଝିଅକୁ ଜ୍ବାଇଁ ଛାଡ଼ିଦେଲା। ତଥାପି ଜୀବନ ଯୁଦ୍ଧରେ ହାର୍ ମାନି ନଥିଲେ ୭୦ ବର୍ଷ ବୟସର ବୃଦ୍ଧା ମଞ୍ଜରୀ। କେତେବେଳେ ଶାଗ ବିକି ତ କେବେ ପୁଣି କଣ୍ଢେଇ ବିକି ପରିବାର ପାଇଁ ଦାନା ଯୋଗାଡ଼ କରୁଥିଲେ ଓ ରୋଗିଣା ଝିଅ ପାଇଁ ଔଷଧ କିଣୁଥିଲେ। ମାତ୍ର ଦୁଇ ବର୍ଷ ହେଲା କରୋନା ଦାଉ ସାଧିଛି। ଲକଡାଉନ୍‌ ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସର ଫୁଟ୍‌ପାଥ୍‌ରେ ଥିବା ତାଙ୍କ କଣ୍ଢେଇ ଦୋକାନଟି ବନ୍ଦ ହୋଇଯାଇଛି। ପେଟ ପାଇଁ ଦାନା ଯୋଗାଡ଼ କରିପାରୁନଥିବା ମଞ୍ଜରୀ ଝିଅ ପାଇଁ ଔଷଧ କିଣି ପ‌ାରୁନାହାନ୍ତି। ଏମିତି ସ୍ଥିତିରେ ବାହାରୁ ସହଯୋଗ ନ ମିଳିଲେ ପୂରା ପରିବାର ଛାରଖାର୍ ହୋଇଯିବ ବୋଲି କୋହଭରା କଣ୍ଠ‌ରେ କହିଛନ୍ତି ମଞ୍ଜରୀ।

ରୋଜଗାର କରିବା ପାଇଁ କଟକ ନରାଜରୁ ସପରିବାର ଭୁବନେଶ୍ବର ଚାଲି ଆସିଥିଲେ ମଞ୍ଜରୀଙ୍କ ସ୍ବାମୀ। ଗଙ୍ଗନଗରର ୭ ନମ୍ବର ସାହିରେ ରହି କଳ୍ପନା ଛକରେ ପରିବା ଦୋକାନ କରିଥିଲେ। ପରେ ବ୍ୟବସାୟ ବୁଡ଼ିଯିବାରୁ ଦିନ ମଜୁରିଆ ଭାବେ କାମ କଲେ। କିନ୍ତୁ ହଠାତ୍ ସେ ପକ୍ଷାଘାତ ରୋଗର ଶିକାର ହେଲେ ଏବଂ ୭ ବର୍ଷ ଶଯ୍ୟାରେ ପଡ଼ିପଡ଼ି ଆଖି ବୁଜିଦେଲେ। ଅବଶ୍ୟ ସେତେବେଳକୁ ବଡ଼ଝିଅକୁ ବାହା ଦେଇ ସାରିଥିଲେ। ୭ବର୍ଷ ବିଛଣାରେ ପଡ଼ି ରହିଥିବା ସ୍ବାମୀଙ୍କ ଚିକିତ୍ସାରେ ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯାଇଥିଲା। ତେଣୁ ପରିବାର ଚଳାଇବା ପାଇଁ ମଞ୍ଜରୀ ପଦାକୁ ଗୋଡ଼ କାଢ଼ିଥିଲେ। ୪ ନମ୍ବର ମାର୍କେଟରୁ ଶାଗ କିଣି ଘରେ ଘରେ ବୁଲି ବିକ୍ରି କଲେ। କିଛି ପଇସା ରଖିବା ପରେ ୧ ନମ୍ବର ମାର୍କେଟରୁ ଖେଳଣା କିଣି କ୍ୟାପିଟାଲ ହସ୍ପିଟାଲ ପରିସରରେ ବସିଲେ।

ଖେଳଣା ବିକି ଯେତିକି ରୋଜଗାର ହୁଏ, ସେଥିରେ ତାଙ୍କର ପରିବାର ଚଳିଥାଏ। ଏହା ଭିତରେ ବଡ଼ ଝିଅ ରୋଗିଣା ହୋଇଯିବାରୁ ଜ୍ବାଇଁ ଆଣି ଛାଡ଼ି ଦେଲା। ତେଣୁ ରୋଗିଣା ସ୍ବାମୀଙ୍କ ଜଞ୍ଜାଳ ମୁଣ୍ଡରୁ ଓହ୍ଲାଉ ଓହ୍ଲାଉ ବଡ଼ ଝିଅର ବୋଝ ପଡ଼ିଲା ମଞ୍ଜରୀଙ୍କ ଉପରେ। ସେତିକିରେ ଦୁଃଖ ସରିଲା ନାହିଁ, ଶେଷକୁ କରୋନା କଷଣ ଭୀଷଣ ହୋଇଛି। ରୋଜଗାର ବନ୍ଦ ହୋଇଯାଇଛି। ମଞ୍ଜରୀଙ୍କ କହିବା କଥା, ଏବେ ପାଖରେ ପଇସାଟିଏ ନାହିଁ। ଘର ପାଖ ଦୋକାନୀ ଡାଲି, ତେଲ, ଲୁଣ ବାକି ଦେବାକୁ ମନା କଲାଣି। ୩ ମାସ ହେବ ଝିଅ ଔଷଧ ଖାଇନି। ତା’ ଦେହ ଅଧିକ ଖରାପ ହେଲାଣି। ତେଣୁ ଏମିତି ଯଦି ଦୋକାନ ବଜାର ବନ୍ଦ ରହିବ, ସେମାନେ ଭୋକ ଉପାସରେ ମରିଯିବେ। ଏମିତି ସ୍ଥିତିରେ ମଞ୍ଜରୀଙ୍କୁ ସାହା ହେବ କିଏ?

ସମ୍ବନ୍ଧିତ ଖବର