କରୋନା ଛଡ଼ାଇ ନେଇଛି ଜୀବିକା: ପସାରୁଣୀ ପତ୍ରରେ ମେଣ୍ଟୁଛି ଭୋକ

ଭୁବନେଶ୍ବର: ଘରେ ବର୍ତ୍ତମାନ କାମ ଅନେକ। କିନ୍ତୁ ଘରୋଇ ସହାୟିକାଙ୍କୁ ଘରକୁ ଆସିବା ମନା। ରୋଷେଇ କରିବା, ବାସନ ମାଜିବା, ଲୁଗା କାଚିବା, ଘର ସଫା କରିବା… ପ୍ରଭୃତି କାମ ଏବେ ସବୁ ନିଜେ ନିଜେ କରୁଛନ୍ତି। ଘର କାମରେ ଦିନେ ଅବହେଳା ହେଲେ ଦୁନିଆ ଗାଳି ପଡ଼ୁଥିଲା। ବର୍ତ୍ତମାନ କିନ୍ତୁ ପରିସ୍ଥିତି ପୂରା ଭିନ୍ନ। କରୋନା ପାଇଁ ସବୁ କିଛି ବଦଳିଯାଇଛି। ବଞ୍ଚିବା ପାଇଁ ବାରଦୁଆରେ କାମ କରି ପେଟ ପୋଷୁଥିବା ଘରୋଇ ସହାୟିକାମାନେ ଏବେ ସମ୍ପୂର୍ଣ୍ଣ ଅଲୋଡ଼ା। କରୋନା ଭୟରେ ଏବେ ବାବୁ ବାବୁଆଣୀମାନେ ଏମାନଙ୍କୁ କାମରୁ ନିବୃତ୍ତ ରଖିଛନ୍ତି। ପର ଘରେ ରୋଷେଇ କରି ଅନ୍ୟର ପେଟ ପୂରାଉଥିବା ଏହି ଘରୋଇ ସହାୟିକାମାନେ ଏବେ ଭୋକରେ। ଦି’ ଓଳି ଖାଇଲେ ଦି’ ଓଳି ଉପାସରେ ରହିବାକୁ ପଡ଼ୁଚି। ଭୋକ ମେଣ୍ଟାଇବା ପାଇଁ ଏମାନେ ବର୍ତ୍ତମାନ ଗଛ ପତ୍ର ଉପରେ ନିର୍ଭରଶୀଳ ଥିବା କହିଛନ୍ତି ଶୈଳଶ୍ରୀ ବିହାରସ୍ଥିତ ଶ୍ରୀକୃଷ୍ଣନଗର ବସ୍ତିରେ ରହୁଥିବା ପବିତ୍ରା ନାୟକ। ଭୋକ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ତାଙ୍କ ବ୍ୟତୀତ ବସ୍ତିର ଅନେକ ମହିଳା ଯେଉଁମାନେ ଘରୋଇ ସହାୟିକା ଭାବେ କାମ କରନ୍ତି, ସେମାନେ ବି ପସାରୁଣୀ ଗଛର ପତ୍ର ଆଣି ଖାଉଥିବା କଥା କହିଛନ୍ତି।

ପବିତ୍ରାଙ୍କ ସମେତ ବସ୍ତିର ୨୦ରୁ ଊର୍ଦ୍ଧ୍ବ ମହିଳା ସ୍ଥାନୀୟ ଆପାର୍ଟମେଣ୍ଟଗୁଡ଼ିକରେ ଘରୋଇ ସହାୟିକା ଭାବେ କାମ କରନ୍ତି। କିନ୍ତୁ କରୋନା ପାଇଁ ମାର୍ଚ୍ଚ ୨୨ରୁ ଏମାନଙ୍କ ଜୀବିକାରେ ତାଲା ପଡ଼ିଛି। ଅନେକଙ୍କର ରାସନ୍‌ କାର୍ଡ ନ ଥିବା ବେଳେ ଆଉ କେତେ ଜଣଙ୍କର ଗାଁରେ ରହିଛି। ମାସାଧିକ କାଳ କାମ ବନ୍ଦ ରହିବା ଦ୍ବାରା ପାଖରେ ଥିବା ପୂର୍ବ ସଞ୍ଚିତ ଅର୍ଥ ମଧ୍ୟ ଶେଷ ହୋଇଯାଇଥିବା ଏହି ବସ୍ତିରେ ମହିଳାମାନେ କହିଛନ୍ତି। ଖାଇବା ପାଇଁ ପାଖରେ ବର୍ତ୍ତମାନ ରାସନ ନାହିଁ କି କିଣିବା ପାଇଁ ଟଙ୍କା ନାହିଁ। ଯାହାଦ୍ବାରା ଏମାନେ ବର୍ତ୍ତମାନ ପସାରୁଣୀ ପତ୍ରକୁ ବାଟି ତା’କୁ ପିଠା କରି ଖାଉଛନ୍ତି। ପସାରୁଣୀ ପତ୍ର ଦେହ ପାଇଁ ହିତ ହୋଇଥିଲେ ସୁଦ୍ଧା ପେଟର ଜ୍ବାଳା ଦୂର କରିବା ପାଇଁ ବର୍ତ୍ତମାନ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା କହିଛନ୍ତି। ରାସନ କାର୍ଡ ନ ଥିଲେ ବି ଆଧାର କାର୍ଡ ଦେଖାଇ ସରକାରଙ୍କ ପକ୍ଷରୁ ରାସନ ସାମଗ୍ରୀ ଦିଆଯାଉଛି ବୋଲି ଶୁଣୁଛୁ। ହେଲେ ଆମକୁ ଆଜି ସୁଦ୍ଧା ଚାଉଳ କିମ୍ବା ଡାଲି ନ ମିଳିବା ଦୁର୍ଭାଗ୍ୟଜନକ ବୋଲି କୋହଭରା କଣ୍ଠରେ କହିଛନ୍ତି ପବିତ୍ରା।

ଖାଇବା ପାଇଁ ପାଖରେ କିଛି ବି ନାହିଁ
୨ବର୍ଷ ହେଲା ପର ଘରେ ରୋଷେଇ କରି ମୁଁ ଚଳେ। କିନ୍ତୁ ୫୦ ଦିନରୁ ଅଧିକ ହେଲାଣି ଆଉ କାମକୁ ଯାଉନି। ପାଖରେ ଯାହା କିଛି ଥିଲା ସେସବୁ ମଧ୍ୟ ସରିଗଲାଣି। ବର୍ତ୍ତମାନ ଖାଇବା ପାଇଁ ପାଖରେ କିଛି ନ ଥିବାରୁ ବର୍ତ୍ତମାନ ସପ୍ତାହେ ହେଲାଣି ଜଙ୍ଗଲକୁ ଯାଇ ପସାରୁଣୀ ପତ୍ର ଆଣି ସେଥିରେ ପିଠା ତିଆରି କରି ଖାଉଛୁ। ଭୋକ ମଧ୍ୟ ଆଉ ସହିହେଉନି। ପସାରୁଣୀ ପତ୍ର ହିଁ ଏବେ ଶେଷ ଭରସା।
ଚନ୍ଦ୍ରକାନ୍ତି ମହାରଣା,
ଘରୋଇ ସହାୟିକା

ଗାଁକୁ ଯିବା ମଧ୍ୟ ସମ୍ଭବ ନୁହେଁ
ଲକ୍‌ଡାଉନ୍ ପୂର୍ବରୁ ଅନ୍ୟ ଘରେ କାମ କରି ମାସକୁ ୬ହଜାର ଟଙ୍କା ରୋଜଗାର କରୁଥିଲି। ବର୍ତ୍ତମାନ କିନ୍ତୁ ପାଖରେ ଟଙ୍କାଟିଏ ବି ନାହିଁ। ମୋର ରାସନ୍‌ କାର୍ଡ ନଥିବାରୁ ମତେ କିଛି ବି ସରକାର ଦେଇନାହାନ୍ତି। ୪ମାସ ହେଲାଣି ଘର ଭଡ଼ା ମଧ୍ୟ ଦେଇନି। ଗାଁରୁ ଯାହା ଚାଉଳ ଆଣିଥିଲି, ସେତକ ବି ଶେଷ ହୋଇଯାଇଛି। ଯେଉଁଠି କାମ କରୁଥିଲି ସେଇଠୁ ଆଗୁଆ କିଛି ଟଙ୍କା ଆଣିଥିଲି। ତା’ ବି ଶେଷ ହୋଇଗଲାଣି। ଏହି ପାଖ ଘର ଲୋକଙ୍କ ସହିତ ଜଙ୍ଗଲକୁ ଯାଇ ପତ୍ର ତୋଳି ପିଠା କରି ଖାଉଛି। ତା’ ଛଡ଼ା ଗାଁକୁ ମଧ୍ୟ ଯିବା ସମ୍ଭବ ନୁହେଁ। କାରଣ ଗାଁରେ ଚାଷ କରିବା ପାଇଁ ଜମି ଗୁଣ୍ଠେ ମଧ୍ୟ ନାହିଁ।
ଲକ୍ଷ୍ମୀପ୍ରିୟା ଜେନା,
ଘରୋଇ ସହାୟିକା, ଶ୍ରୀକୃଷ୍ଣନଗର ବସ୍ତି

ସମ୍ବନ୍ଧିତ ଖବର