କଳାକାରଙ୍କ କଳା ହରଣ କରିଛି କରୋନା, ବେଉସା ବଦଳାଇବାକୁ ବାଧ୍ୟ ହେଉଛନ୍ତି ନୃତ୍ୟଶିଳ୍ପୀ

ବାପା ପଦ୍ମଶ୍ରୀ ପାଇଥିଲେ, ଏବେ କାନଫୁଲ, ଚୁଡ଼ି ବିକୁଛି

ଖଣ୍ଡଗିରି: ଶୁଭୁନି ନୂପୁରର ରୁଣୁଝୁଣୁ ଶବ୍ଦ। ନିରବି ଯାଇଛି ମର୍ଦ୍ଦଳ ଓ ପଖଜର ଯୁଗଳବନ୍ଦୀ। ମଞ୍ଚ ଉପରେ ଦେଖିବାକୁ ମିଳୁନାହାନ୍ତି ନୃତ୍ୟ ନିପୁଣା ଶିଳ୍ପୀ। ଦର୍ଶକଙ୍କ କରତାଳିରେ ଫାଟିପଡ଼ୁନି ପ୍ରେକ୍ଷାଳୟ। ସବୁକିଛି ଯେମିତି ଛଡ଼ାଇ ନେଇଛି ମହାମାରୀ କରୋନା। ଅନେକଙ୍କ ବେଉସା ଉପରେ କୁଠାରାଘାତ କରିଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଲୋକ କଳା ଓ ନୃତ୍ୟଶିଳ୍ପୀ। କରୋନା ପ୍ରଥମ ଲହର ସେମାନଙ୍କ ବେଉସା ଉପରେ ଦାଉ ସାଧିଥିଲା। ଏଥିରୁ ମୁକୁଳି ଟିକିଏ ଅଣ୍ଟା ସିଧା କରୁ କରୁ ପୁଣି ଦ୍ବିତୀୟ ଲହର ଆସି ସବୁ ଆଶାକୁ ପାଣିରେ ମିଶାଇ ଦେଇଛି। ଅନେକ ଅନୁଷ୍ଠାନ ଅଗ୍ରୀମ ଟଙ୍କା ନେଇଥିବା ବେଳେ ପରେ ଫେରେଇବାକୁ ପଡ଼ିଲା। ଛଉ, ଗୋଟିପୁଅ ଭଳି ଅନେକ ଲୋକ କଳା ବୁଡିବାକୁ ବସିଲାଣି। ନୃତ୍ୟକୁ ବେଉସା କରିଥିବା ଲୋକେ ଓ ଅନେକ ବୁଦ୍ଧିଜୀବୀ ଏବେ ଏ ସବୁକୁ ନେଇ ଚିନ୍ତା ପ୍ରକାଶ କଲେଣି। କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ୨ବର୍ଷ ଭିତରେ ଅନେକ ନିଜ ବେଉସା ବଦଳାଇ ସାରିଲେଣି। ସେହି କଳାକାରଙ୍କ ଅଭାବ ଅସୁବିଧାକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା…

ଅଭ୍ୟାସ କରିବାର ଇଚ୍ଛାଶକ୍ତି ମରିଯାଇଛି
କଳାକାର ଭିତରେ ଅଭ୍ୟାସ କରିବାର ଇଚ୍ଛାଶକ୍ତି ମରି ଯାଇଛି। ଓଡ଼ିଶୀରେ ନାଚିଲେ ନୃତ୍ୟଶିଳ୍ପୀ ନିଜେ କେବଳ ରୋଜଗାର କରେନି ସଙ୍ଗୀତ ବାଦକମାନେ ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ କାମ କରନ୍ତି। ଏବେ ସେମାନେ ହତ ବନ୍ଧି ବସିଛନ୍ତି। ଯେତେ ଯାଏ ସହି ହେବ ସହିବାକୁ ବାଧ୍ୟ ହେବୁ।
-ପୁଷ୍ପିତା ମିଶ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ

ସରକାରଙ୍କ ତରଫରୁ ଅନଲାଇନ୍ ମାଧ୍ୟମରେ କଳାକାରଙ୍କୁ ରୋଜଗାର ମିଳୁ
ଘୁଙ୍ଗୁର ବାନ୍ଧିବା ଆରମ୍ଭ କରୁ କରୁ ପୁଣି ଘରେ ବନ୍ଦ୍ ପଡ଼ିଗଲୁ। ତେଣୁ ଦ୍ଵିତୀୟ ଲହରର ଛାଟ ଖୁସିର ଲହର ଭାଙ୍ଗି ସାରିଛି। ତୃତୀୟ ଲହର ପାଇଁ ପୁଣି ଛାତିରେ ଛନକା ପଶିଲାଣି। କେତେଦିନ ଏମିତି ବିନା ରୋଜଗାରରେ ଘରେ ରହିବାକୁ ହେବ ତାହା ଚିନ୍ତା କରି ହେଉନି। ସରକାର କଳାକାରଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ହେବ। ମହୋତ୍ସବ ବିଭିନ୍ନ ପ୍ରୋଗ୍ରାମ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ଏକ ଏସଓପି ମାଧ୍ୟମରେ କଳାକାରଙ୍କୁ ସାହାଯ୍ୟ କରିବା ଦରକାର। ଅନଲାଇନ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଇ କଳାକାରଙ୍କୁ ରୋଜଗାର ଦେବା ବ୍ୟବସ୍ଥା କରାଇବାକୁ ଚିନ୍ତା କରିବା ଦରକାର।
-ଡ. ଶ୍ରୀନିବାସ ଘଟୁଆରି, ଓଡ଼ିଶୀ ନୃତ୍ୟଶିଳ୍ପୀ, ମଞ୍ଚ ଉପସ୍ଥାପକ

ନୃତ୍ୟ କେନ୍ଦ୍ର ଏବେ ଭୂତକୋଠି
ଜୀବନ ଜୀବିକା ଏବେ ଖୁବ୍ ପ୍ରଭାବିତ ହୋଇଛି। ଅନେକ କଳାକାର ଛଉ ନାଚ ଛାଡ଼ି ଅନ୍ୟ ବେଉସା ଅପଣାଇଲେଣି। ୧୬ ଜଣ ପିଲା ଏଠି ରହି ଛଉନୃତ୍ୟ ଶିକ୍ଷା ଲାଭ କରୁଥିଲେ। ମାତ୍ର ୩ମାସରେ ୩ଟି କାର୍ଯ୍ୟକ୍ରମ କରିଥିଲୁ। ପୁଣି ସବୁ ବନ୍ଦ ହୋଇ ଗଲା। ଅନେକ ଗୁରୁ ନୃତ୍ୟ ଅନୁଷ୍ଠାନ ଖୋଲିଥିଲେ। ଧାର ଉଧାର କରି ସଂସ୍ଥା ଆରମ୍ଭ କରିଥିଲେ। ସେମାନେ ଏବେ କ’ଣ କରିବେ? ଏବେ ତ ୨ବର୍ଷ ହେବାକୁ ବସିଲାଣି। ଯେଉଁ ସ୍ଥାନରେ ନୃତ୍ୟ ଶିଖା ଯାଉଥିଲା ତାହା ଏବେ ଭୂତ କୋଠି ହେବାକୁ ବସିଲାଣି। ଅନେକ ପିଲାଙ୍କ ପାଖରେ ପଇସା ନଥିବାରୁ ଧାର କରଜ କରି ତାଙ୍କୁ ଚଳାଇବାକୁ ପଡ଼ୁଛି। ଏମିତି ଆଉ ୬ ମାସ ହେଲେ ପାରମ୍ପରିକ କଳା ସଂସ୍କୃତି ମାଟିରେ ମିଶିଯିବ। ସରକାର କଳା ସଂସ୍କୃତି ପ୍ରତି ଯତ୍ନବାନ୍ ନ ହେଲେ ଛଉନୃତ୍ୟ ଲୁପ୍ତ ହୋଇ ଯିବ।
-ପ୍ରଦୀପ ମିଶ୍ର, ଛଉ ନୃତ୍ୟଶିଳ୍ପୀ

ସମ୍ବନ୍ଧିତ ଖବର